ସେଣ୍ଟ୍ରାଲ ଇସ୍ରାଏଲରେ ଇରାନର କ୍ଷେପଣାସ୍ତ୍ର ମାଡ଼, ଗୁଳି କରି ଖସାଇଲେ ନେତାନ୍ୟାହୁ ସେନା

Published By : Prameya-News7 Bureau | June 23, 2025 IST

ନୂଆଦିଲ୍ଲୀ ୨୩/୦୬: ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ୧୧ ଦିନରେ ପହଞ୍ଚିଛି । ବିଳମ୍ୱିତ ରାତିରେ ସେଣ୍ଟ୍ରାଲ ଇସ୍ରାଏଲରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ତେବେ ଏହାର ଜବାବ ଦେଇଥିଲା ଇସ୍ରାଏଲ । ଇସ୍ରାଏଲ ଏହାକୁ ଗୁଳି କରି ଖସାଇ ଦେଇଛି । ସେପଟେ ଇରାନରେ ଏପର୍ଯ୍ୟନ୍ତ ୯୫୦ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ଭିତରେ ଆମେରିକା ଇରାନ ସହିତ ଆଲୋଚନା ପୁନର୍ବାର ଆରମ୍ଭ କରିବାକୁ ପ୍ରସ୍ତୁତ ବୋଲି ସୂଚାଇ ଦେଇଛି । 

ଯାହା ଫଳରେ ଲମ୍ୱା ଚାଲିବାକୁ ଯୁଦ୍ଧ ଏଡାଯାଇପାରିବ ବୋଲି ଚର୍ଚ୍ଚା ହେଉଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଯେଉଁଥିରେ ୮୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଥିଲେ ଯେ କୂଟନୀତିର ସମୟ ଏବେ ଶେଷ ହୋଇଛି ଏବଂ ଇରାନର ଆତ୍ମରକ୍ଷା କରିବାର ଅଧିକାର ଅଛି। 

ଜୁନ ୧୩ ରେ ଇସ୍ରାଏଲ ହଠାତ୍ ଇରାନରେ ଅନେକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଯେଉଁଠାରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଆକ୍ରମଣ ପଛରେ ଯୁକ୍ତି ଦେଇଥିଲେ ଯେ ଇରାନ ଆଗାମୀ କିଛି ଦିନ ମଧ୍ୟରେ ପରମାଣୁ ବୋମା ତିଆରି କରିବାକୁ ଯାଉଛି ଏବଂ ଆମ ପାଇଁ ଏହା ଅସ୍ତିତ୍ୱର ବିପଦ। 

ଇସ୍ରାଏଲୀ ଆକ୍ରମଣର ଜବାବରେ, ଇରାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ ସହିତ ପ୍ରତିଶୋଧ ନେଇଛି, ଯେଉଁଠାରେ ହଜାର ହଜାର ଆବାସିକ କୋଠା ଏବଂ ସରକାରୀ ପ୍ରତିଷ୍ଠାନ ଧ୍ୱଂସ ପାଇଛି। ବର୍ତ୍ତମାନ, ଆମେରିକା ଆକ୍ରମଣ ପରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଛି। ଏହି ସମୟରେ, ୟୁଏନଏସସିରେ ମଧ୍ୟ ଆମେରିକା ଆକ୍ରମଣକୁ ନିନ୍ଦା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.