ଭାରତୀୟଙ୍କୁ ଏହି ଏୟାରପୋର୍ଟରେ ଛାଡ଼ି ଚାଲିଯିବ ଆମେରିକା ବିମାନ, କିଛି ପହଞ୍ଚିବା ମାତ୍ରେ ହେବେ ଗିରଫ

Published By : Prameya-News7 Bureau | February 04, 2025 IST

ନୂଆଦିଲ୍ଲୀ: ଆମେରିକାରେ ବେଆଇନ ଭାବେ ରହୁଥିବା ୨୦୫ ଭାରତୀୟଙ୍କୁ ନେଇ ବାହାରିଥିବା ବିମାନ ବୁଧବାର ଅମୃତସରରେ ପହଞ୍ଚିବ। ଆମେରିକା ସେନାର ସି-୧୭ ପ୍ଲେନ ଶ୍ରୀ ଗୁରୁ ରାମଦାସ ଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସକାଳ ୯ଟାରେ ଅବତରଣ କରିବ। ଏହି ୨୦୫ ଭାରତୀୟଙ୍କୁ ପ୍ରଥମ ପର୍ଯ୍ୟାୟରେ ଆମେରିକାରୁ ନିର୍ବାସନ କରାଯାଇଛି। ଏହା ପରେ ଶତାଧିକ ଅନ୍ୟ ଲୋକଙ୍କୁ ଭାରତ ଆଣିବା ପାଇଁ ପ୍ରସ୍ତୁତି କରାଯିବ। 

ସୂଚନା ଅନୁଯାୟୀ, ପ୍ରାୟ ୫ ହଜାର ଭାରତୀୟଙ୍କୁ ପ୍ରଥମ ପର୍ଯ୍ୟାୟରେ ଭାରତ ପଠାଇବା ପାଇଁ ଆମେରିକା ପ୍ରସ୍ତୁତି କରୁଛି। ମୋଟ୍ ୧୮  ହଜାର ବେଆଇନ ପ୍ରବାସୀଙ୍କୁ ଆମେରିକାରେ ଚିହ୍ନଟ କରାଯାଇଛି। ଏହି ସବୁ ଲୋକଙ୍କୁ ନିଜ ନିଜ ଦେଶକୁ ପଠାଯାଉଛି। ଯାହାଙ୍କ କୌଣସି କାଗଜପତ୍ର ନାହିଁ ସେମାନଙ୍କୁ ଗ୍ଵାନ୍ତାନାମୋ ବେ ଜେଲ୍ ପରି ବିପଦଜ୍ଜନକ ସ୍ଥାନରେ ରଖାଯିବ। 

ଅମୃତସର ବିମାନ ବନ୍ଦରରେ ପହଞ୍ଚିବା ପରେ ଏହି ସବୁ ୨୦୫ ଭାରତୀୟଙ୍କ କାଗଜପତ୍ର ଯାଞ୍ଚ କରାଯିବ। ସେମାନଙ୍କର ଅପରାଧିକ ରେକର୍ଡର ଯାଞ୍ଚ ମଧ୍ୟ ହେବ। ଯଦ୍ଵାରା ସେମାନଙ୍କୁ ବିମାନ ବନ୍ଦରରେ ହିଁ ଗିରଫ କରାଯିବ। ଏଥିରେ ଏମିତି କିଛି ଲୋକ ହୋଇ ପାରନ୍ତି, ଯେଉଁମାନେ ଭାରତରେ ଅପରାଧ କରି ଆମେରିକା ଫେରାର ମାରିଛନ୍ତି। 

Also read: ମନମୋହନ ସିଂଙ୍କ ସ୍ମାରକ ପାଇଁ ସ୍ଥିର ହେଲା ଜାଗା, ପ୍ରଣବଙ୍କ ନିକଟରେ ହେବ ନିର୍ମାଣ

କୁହାଯାଉଛି ପ୍ରାୟ ୨୦ ଏମିତି ଗ୍ୟାଙ୍ଗଷ୍ଟର ଅଛନ୍ତି ଯେଉଁମାନେ ଆମେରିକାରେ ବସି ପଞ୍ଜାବରେ  ନିଜର ଗ୍ୟାଙ୍ଗ ଚଳାଉଥିଲେ କିମ୍ବା ଅପରାଧ ଘଟାଇ ଫେରାର ମାରିଥିଲେ। ଏବେ ପଞ୍ଜାବ ପୋଲିସକୁ ଆମେରିକାର କାର୍ଯ୍ୟାନୁଷ୍ଠାନ ନେଇ ଆଶା ଜାଗି ଉଠିଛି। ଏହି ସବୁ ଲୋକ ଡଙ୍କି ରୁଟ୍ ଦେଇ ଆମେରିକାରେ ପହଞ୍ଚିଥିଲେ ଓ ଏବେ ସେମାନଙ୍କ ନିକଟରେ ଉପଯୁକ୍ତ ଦସ୍ତାବିଜ ନ ଥିବାରୁ ଆମେରିକା ସେମାନଙ୍କୁ ଗୋଟି ଗୋଟି ଚିହ୍ନଟ କରି ନିଜ ଦେଶରୁ ନିର୍ବାସନ କରୁଛି। 

ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ବେଆଇନ ପ୍ରବାସୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆମେରିକାରେ ବେଆଇନ ପ୍ରବାସୀଙ୍କ ଧରପଗଡ଼ ପାଇଁ ଟ୍ରମ୍ପ ସେନାର ସହାୟତା ନେଇଛନ୍ତି ଏବଂ ଗିରଫ କରି ଏମିତି ପ୍ରବାସୀଙ୍କୁ ନିଜ ଦେଶକୁ ପଠାଯାଉଛି। ଡୋନାଲ୍ଡ ଟ୍ରମ୍ପ ସରକାରଙ୍କ କହିବା କଥା ସେ ଇତିହାସରେ ସବୁଠୁ ବଡ଼ ନିର୍ବାସନ ଅଭିଯାନ ଚଲାଇବେ। ଏହା ମାଧ୍ୟମରେ ସମସ୍ତ ବେଆଇନ ପ୍ରବାସୀଙ୍କୁ ଆମେରିକାରୁ ବାହାର କରିବାକୁ ପ୍ରସ୍ତୁତି ଚାଲିଛି। କେବଳ ଏତିକି ନୁହେଁ ଜନ୍ମ ଆଧାରରେ ନାଗରିକତା ମିଳୁଥିବା ଆଇନକୁ ମଧ୍ୟ ସମାପ୍ତ କରିବାକୁ ଟ୍ରମ୍ପ ପ୍ରଶାସନ ଯୋଜନା କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.