ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନାର ପ୍ରଭାବ, ଭାରତ ଗସ୍ତ ବାତିଲ କଲେ ଆମେରିକାର ସୁରକ୍ଷା ପରାମର୍ଶଦାତା

Published By : Prameya-News7 Bureau | April 16, 2024 IST

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ଉତ୍ତେଜନାର ପ୍ରଭାବ ଭାରତ ଯାଏ ଦେଖିବାକୁ ମିଳୁଛି । ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ ସୁଲିବନଙ୍କ ଚଳିତ ସପ୍ତାହରେ ଭାରତ ଗସ୍ତ କାର୍ଯ୍ୟକ୍ରମ ଥିଲା, କିନ୍ତୁ ଏହି ଉତ୍ତେଜନା ଯୋଗୁଁ ସେ ନିଜ ଗସ୍ତକୁ ବାତିଲ କରିଛନ୍ତି । ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଜ୍ୟାକ୍ ସୁଲିବନ ନିଜ ଭାରତ ଗସ୍ତକୁ ବାତିଲ କରିଛନ୍ତି । ସେ ଦିଲ୍ଲୀରେ ନିଜ ସମକକ୍ଷ ଅଜିତ୍ ଡୋଭାଲଙ୍କୁ ଭେଟିବା ପାଇଁ ଏପ୍ରିଲ ୧୮ରେ ଭାରତ ଆସିଥାନ୍ତେ । ଏହି ଅବସରରେ ଦୁଇ ଅଧିକାରୀଙ୍କ ମଧ୍ୟରେ ଇନିସିଏଟିଭ ଅନ କ୍ରିଟିକଲ ଆଣ୍ଡ ଏମର୍ଜେନ୍ସି ଟେକ୍ନୋଲଜି ଉପରେ ଆଲୋଚନା ହୋଇଥାନ୍ତା । ଏହା ପୂର୍ବରୁ ଫେବ୍ରୁଆରୀରେ ତାଙ୍କର ଭାରତ ଆସିବାର ଥିଲା, କିନ୍ତୁ କିଛି କାରଣ ଯୋଗୁଁ ଗସ୍ତକୁ ସ୍ଥଗିତ କରାଯାଇଥିଲା । 

ଇସ୍ରାଏଲ୍ ଉପରେ ଇରାନ ଗତ ସପ୍ତାହ ଶେଷରେ ଆକ୍ରମଣ କରିଥିଲା । ଏହାପରେ ଅନୁମାନ କରାଯାଉଛି ଯେ ଯେକୌଣସି ସମୟରେ ଇସ୍ରାଏଲ ପାଲଟା ଜବାବ ଦେଇପାରେ । ଏହି କାରଣରୁ ପଶ୍ଚିମ ଏସିଆରେ ଉତ୍ତେଜନା ବଢିଛି ଏବଂ ଆମେରିକା ମଧ୍ୟ ଚିନ୍ତାରେ ଅଛି । ଯଦି ଇସ୍ରାଏଲ୍ ପଦକ୍ଷେପ ନିଏ ତେବେ କଣ ହେବ । ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେ ଏବେ ଇରାନ ଉପରେ ପାଲଟା ଆକ୍ରମଣ କରିବାଠାରୁ ଦୂରେଇ ରହିବା ଦରକାର । ଯଦି ଏପରେ ହୁଏ ତେବେ ଆମେରିକା ଯୁଦ୍ଧରେ ସକ୍ରିୟ ରୂପେ ଅଂଶଗ୍ରହଣ କରିବ ନାହିଁ ।

ଏହାପରେ ବି ବେଞ୍ଜାମିନ ନେତନ୍ୟାହୁ ପଛରୁ ହଟିବା ପରି ନଜର ଆସୁନାହାନ୍ତି । ସେ ଦ୍ୱିତୀୟ ଥର ୱାର କ୍ୟାବିନେଟର ବୈଠକ ଡାକିଛନ୍ତି, ଯେଉଁଥିରେ ଇରାନଠାରୁ କିପରି ପ୍ରତିଶୋଧ ନିଆଯିବା ତାହା ଉପରେ ନିଷ୍ପତ୍ତି ନିଆଯିବ । ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୧୩ରେ ସିରିଆରେ ଥିବା ଇରାନର ଏକ କନ୍ସୁଲେଟ ଅଫିସ୍ ଉପରେ ଇସ୍ରାଏଲ ଆକ୍ରମଣ କରିଥିଲା । ଏଥିରେ ଜଣେ ଶୀର୍ଷ ଇରାନୀ ଜେନେରାଲଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.