ନୂଆଦିଲ୍ଲୀ ୨୨/୦୩: ଏପ୍ରିଲ ୨ରୁ ଭାରତ ଉପରେ ପାଲଟା ଟିକସ ଲାଗୁ କରିବ ଆମେରିକା । ଏ ନେଇ ଗୁରୁବାର ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ଦ୍ୱାରା ଭାରତର କୃଷି ଏବଂ ଫାର୍ମା ସାମଗ୍ରୀ ରପ୍ତାନି କ୍ଷତିଗ୍ରସ୍ତ ହେବ । ଏସବୁ ସାମଗ୍ରୀ ଉପରେ ଉଚ୍ଚ ହାରରେ ଶୁଳ୍କ କଷିବ ଆମେରିକା । ଆମେରିକା ଭିତ୍ତିକ ବ୍ରେଟବାର୍ଟ ନ୍ୟୁଜକୁ ଏକ ସାକ୍ଷାତକାରରେ ଟ୍ରମ୍ପ କହିଲେ, ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କ ବେଶ ଭଲ ରହିଛି ।
ମାତ୍ର ବିଶ୍ୱର ଅନ୍ୟ କୌଣସି ଦେଶ ତୁଳନାରେ ଭାରତ ସର୍ବୋଚ୍ଚ ଟିକସ ଲାଗୁ କରିଛି । ଧୀରେ ଧୀରେ ଭାରତ ଟିକସ କମାଇବ ବୋଲି ଆଶା ରହିଛି । ମାତ୍ର ସେମାନେ ଯେଭଳି ଆମ ଉପରେ ଉଚ୍ଚ ମାତ୍ରାରେ ଟିକସ କଷୁଛନ୍ତି ଏପ୍ରିଲ ୨ରେ ଆମେ ସମାନ ଟିକସ ଲାଗୁ କରିବୁ । ନିକଟରେ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଥିଲେ, ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକା ସହ ଦ୍ୱିପାକ୍ଷୀକ ବାଣିଜ୍ୟ ଚୁକ୍ତି (ବିଟିଏ) ସ୍ୱାକ୍ଷରିତ ହେବା ନେଇ ଲକ୍ଷ୍ୟ ରଖାଯାଇଛି ।
ଅଂଶୀଦାରଙ୍କ ସହ ଆଲୋଚନା ପରେ ଏ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ତେବେ ଏଭଳି ସ୍ଥିତିରେ ଟ୍ରମ୍ପ ଟିକସ ଲାଗୁ କରିବା ନେଇ ଘୋଷଣା କରିଛନ୍ତି । ନିକଟରେ ଆମେରିକା ଭାରତ ରପ୍ତାନି କରୁଥିବା ଇସ୍ପାତ ଏବଂ ଆଲୁମିନିୟମ ସାମଗ୍ରୀ ଉପରେ ୨୫% ଟାରିଫ ଲଗାଇଥିଲା । ଘରୋଇ ବଜାର ଏ କ୍ଷେତ୍ରରେ ରପ୍ତାନି କରୁଥିବା ୫ ବିଲିୟନ ଡଲାର ସାମଗ୍ରୀ ନୂଆ ଟିକସ ଯୋଗୁ ପ୍ରଭାବିତ ହୋଇଛି । ତେବେ ଏ କ୍ଷେତ୍ରରେ ଘରୋଇ ବଜାରରେ ଯେଭଳି ଅନ୍ୟ ଦେଶ ଦ୍ୱାରା ସାମଗ୍ରୀ ଡମ୍ପିଂ ନ ହୁଏ ସେ ନେଇ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ଡମ୍ପିଂ ନିରୋଧୀ କର୍ତ୍ତୃପକ୍ଷ ଇସ୍ପାତ ଆମଦାନି ଉପରେ ୧୨% ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଛି ।
ଏସ୍ବିଆଇ ରିସର୍ଚ୍ଚ ମୁତାବକ, ଭାରତୀୟ ସାମଗ୍ରୀ ଉପରେ ଆମେରିକାର ଟାରିଫ୍ ୨୦୧୮ରେ ୨.୭୨%ରୁ ୨୦୨୧ରେ ୩.୯୧%କୁ ବୃଦ୍ଧି ହୋଇଛି । ଏହା ୨୦୨୨ରେ ୩.୮୩%କୁ ହ୍ରାସ ହୋଇଥିଲା । ସେହିଭଳି ଆମେରିକା ସାମଗ୍ରୀ ଉପରେ ଭାରତର ଭାରତର ୨୦୧୮ରେ ଟାରିଫ ୧୧.୫୯% ଥିବା ବେଳେ ୨୦୨୨ରେ ୧୫.୩୦%କୁ ବଢ଼ିଛି । ଗତ ମାସରେ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ସମୟରେ କେତେକ ସାମଗ୍ରୀ ଉପରେ ଭାରତ ଟିକସ କମାଇବା ନେଇ ଆଭାଷ ଦେଇଥିଲା । ଭାରତ ଅଦ୍ୟାବଧି ବର୍ବନ ହ୍ୱିସ୍କି, ମୋଟର ବାଇକ ଉପରେ ଟିକସ କମାଇଛି ।
ଆମେରିକା ଭାରତକୁ ଏହି ସାମଗ୍ରୀ ଗୁଡ଼ିକ ବହୁଳ ମାତ୍ରାରେ ରପ୍ତାନି କରିଥାଏ । ଗୋଲ୍ଡମ୍ୟାନ ସ୍ୟାଚ୍ ମୁତାବକ, ଟ୍ରମ୍ପଙ୍କ ଟାରିଫ ଯୋଗୁ ଭାରତ ପ୍ରଭାବିତ ହେବ । ଏହା ଉଭୟ ଦେଶର ବାଣିଜ୍ୟିକ ସମ୍ପର୍କକୁ ପ୍ରଭାବିତ କରିବ । ଆମେରିକା ଭାରତର ପ୍ରତି ଉତ୍ପାଦ ଉପରେ ସମାନ ଟିକସ ଲଗାଇବାକୁ ହେଲେ ଏହାକୁ ହାରାହାରି ୧୧.୫% ଟିକସ ବୃଦ୍ଧି କରିବାକୁ ହେବ ।
ସେହିଭଳି ଅଣ ଶୁଳ୍କଗତ କଟକଣାକୁ ଦେଖିଲେ ପ୍ରଶାସନିକ କଟକଣା, ଆମଦାନି ଲାଇସେନ୍ସ, ରପ୍ତାନି ସବସିଡି ଭଳି ଦିଗ କ୍ଷେତ୍ରରେ କଟକଣା ରହିପାରେ । ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଫେରିବା ପରେ ଆମେରିକାକୁ ପ୍ରାଥମିକତା ଦେଇ ଟିକସ ଲଗାଉଥିବା ଦେଶ ଗୁଡ଼ିକ ଉପରେ ଏବେ ପାଲଟା ଟିକସ ଲାଗୁ କରୁଛନ୍ତି । ଏହା ଦ୍ୱାରା ସାରା ବିଶ୍ୱରେ ବାଣିଜ୍ୟ ଯୁଦ୍ଧ ତୀବ୍ରତର ହୋଇଛି ।