ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କ ନିର୍ବାଚନ ଲଢିବାରେ ହୋଇପାରେ ଅସୁବିଧା, ଜାଣନ୍ତୁ କାହିଁକି?

Published By : Prameya-News7 Bureau | September 07, 2024 IST

ନୂଆଦିଲ୍ଲୀ : ହରିୟାଣା ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ସେପଟେ ଚାକିରୀରୁ ଇସ୍ତଫା ଦେଇ ରେସ୍ଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ ନିର୍ବାଚନ ଲଢିପାରିବେ କି ନା ସେ ନେଇ ଏବେ ସନ୍ଦେହ ଉପୁଜିଛି। ନିକଟ ଅତୀତରେ  ଭିନେଶ ଓ ବଜରଙ୍ଗ ପୁନିଆଙ୍କ ରାଜନୈତିକ ଗତିବିଧି ବଢିଛି। ଏଥି ପାଇଁ ସେମାନେ ଚାକିରୀ କରୁଥିବା ରେଳବାଇ ପକ୍ଷରୁ ସେପ୍ଟେମ୍ବର ୪ ତାରିଖରେ ସେମାନଙ୍କୁ ସୋ କଜ ନୋଟିସ ଜାରି କରାଯାଇଛି। 

ଏହି ନୋଟିସ୍‌ରେ ସେମାନଙ୍କୁ ରାଜନୈତିକ ଗତିବିଧି ସମ୍ପର୍କରେ ପଚରା ଯାଇଛି। ତେବେ ଏହି ନୋଟିସ୍ ପରେ ବଜରଙ୍ଗ ଓ ଭିନେଶ ସେପ୍ଟେମ୍ବର ୬ ତାରିଖରେ ରେଳବାଇରୁ ତତ୍କାଳ ଇସ୍ତଫା ପ୍ରଦାନ କରିଛନ୍ତି। ଏଥି ପାଇଁ ସେମାନେ ମାସିକିଆ ନୋଟିସ୍ ମଧ୍ୟ ଦେଇ ନାହାନ୍ତି। ଭିନେଶ ଉତ୍ତର ରେଳବାଇରେ ଓଏସଡି ସ୍ପୋର୍ଟସ୍ ପଦରେ ଅବସ୍ଥାପିତ ଥିଲେ। ସେ ଗୋଟିଏ ପଟେ ସରକାରୀ ଚାକିରୀରୁ ଇସ୍ତଫା ଦେଇଥିବା ବେଳେ ଅନ୍ୟ ପଟେ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ତାଙ୍କୁ ଜୁଲାନା ଆସନରୁ ପ୍ରାର୍ଥୀ ଘୋଷଣା ମଧ୍ୟ କରିସାରିଲାଣି।  

ରେଳବାଇ ଏପର୍ଯ୍ୟନ୍ତ ଭିନେଶ ଅଥବା ବଜରଙ୍ଗ ପୁନିଆଙ୍କ ଇସ୍ତଫାକୁ ମଞ୍ଜୁର କରି ନାହାନ୍ତି। ଯେଉଁ ପର୍ଯ୍ୟନ୍ତ ସେମାନଙ୍କ ଇସ୍ତଫା ମଞ୍ଜୁର ନ ହୋଇଛି ସେମାନେ ନିର୍ବାଚନ ଲଢିବା ପାଇଁ ଯୋଗ୍ୟ ହୋଇପାରିବେନି। ରେଳବାଇ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କୌଣସି କର୍ମଚାରୀ ଚାକିରୀରେ ଥାଇ ଇସ୍ତଫା ଦେଉଥିଲେ ତାଙ୍କୁ ୩ ମାସର ନୋଟିସ୍ ଦେବାକୁ ହୋଇଥାଏ। ଏଥିରେ ଯଦି ଭିନେଶ ଫୋଗାଟଙ୍କ ଇସ୍ତଫା ମଞ୍ଜୁର ନ ହୁଏ ତେବେ ସେମାନେ ଆଗାମୀ ହରିୟାଣା ବିଧାନସଭା ନିର୍ବାଚନ ଲଢିପାରିବେନି ବୋଲି କୁହାଯାଉଛି। 

ଯଦି କୌଣସି ବ୍ୟକ୍ତି ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ଓ ସେ କୌଣସି ସରକାରୀ ପଦପଦବୀରେ ଅଛନ୍ତି ତେବେ ତାଙ୍କୁ ଇସ୍ତଫା ଦେଇ ଏନଓସି ନେବାକୁ ପଡିଥାଏ। ଯେଉଁ ପର୍ଯ୍ୟନ୍ତ ତାଙ୍କୁ ଏନଓସି ନ ମିଳିଛି ସେ ପର୍ଯ୍ୟନ୍ତ ସେ ନିର୍ବାଚନ ଲଢିବାକୁ ଯୋଗ୍ୟ ହୋଇ ପାରିବେ ନାହିଁ। ଏଣୁ ଏନଓସି ବିନା ନିର୍ବାଚନ କାଳରେ ରିଟର୍ଣ୍ଣିଂ ଅଧିକାରୀ ସେମାନଙ୍କ ଆବେଦନ ସ୍ୱୀକାର କରି ନପାରନ୍ତି ବୋଲି କୁହାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.