ବୁଧବାରଠୁ ଆହୁରି କଲବଲ କରିବ ତାତି, ୨୫ ଯାଏଁ ଜଳାଇବ ଖରା

Published By : Prameya-News7 Bureau | April 22, 2025 IST

ଭୁବନେଶ୍ୱର ୨୨।୦୪ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷୁଛି। ପାରଦ ୪୫ ଡିଗ୍ରୀ ସେଲସିୟସ୍‌ ଡେଇଁଛି, ଝାରସୁଗୁଡ଼ା (୪୫.୪ ଡିଗ୍ରୀ) ପାଲଟିଛି ଦେଶର ଦ୍ୱିତୀୟ ଉତ୍ତପ୍ତ ସହର । ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଛି । ସେଥିରୁ ୧୧ଟି ସହରରେ  ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ଥିଲା । 

ଉପକୂଳ ଓଡ଼ିଶାରେ ତାତି କମ୍‌ ଥିଲେ ବି ଅସମ୍ଭାଳ ହୋଇଛି ଗୁଳୁଗୁଳି ପ୍ରକୋପ। ମେ’ ଶେଷ ଭଳି ଗୁଳୁଗୁଳି ଅତିଷ୍ଠ କରି ପକାଇଲାଣି ଏପ୍ରିଲରେ। ଡରାଇଲାଣି ପାଣିପାଗ ପୂର୍ବାନୁମାନ, ଆଗକୁ ତାତି ଆହୁରି ସାଂଘାତିକ ରୂପ ନେବ। ୨୫ ତାରିଖ ଯାଏ ଟିକିଏ ବି ନିସ୍ତାର ଆଶା ନାହିଁ। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଜଳିବ ଗ୍ରୀଷ୍ମ ଲହରୀରେ। ୨୩ରୁ ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ଆହୁରି ନୟାନ୍ତ କରିବ । 

ଭୀଷଣ ଗରମ ଓ ଗୁଳୁଗୁଳି ପାଇଁ ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତ ସଂଖ୍ୟା ବଢ଼ିଛି। ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଅଂଶୁଘାତରେ ୫୦ ଜଣ ଆକ୍ରାନ୍ତ ହୋଇ ହସ୍ପିଟାଲକୁ ଆସିଥିବା ସରକାରୀ  ଭାବେ କୁହାଯାଇଛି । କେବଳ ସମ୍ବଲପୁରରେ ୪୦, ଦେବଗଡ଼ରେ ୬, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝରରେ ଜଣେ ଲେଖାଏଁ ବ୍ୟକ୍ତି ଅଂଶୁଘାତ  ଆକ୍ରାନ୍ତ ହୋଇଥିଲେ ଗତକାଲି ସନ୍ଧ୍ୟା ସୁଦ୍ଧା ।  ଏ ସଂଖ୍ୟା ଆହୁରି ବଢ଼ିବ । ସ୍କୁଲ, କଲେଜ ଓ   ଅଙ୍ଗନବାଡ଼ିରୁ ପିଲାମାନେ ଘରକୁ ଫେରିବାବେଳେ ପ୍ରଚଣ୍ଡ ଗରମରେ ଝାଇଁ ହୋଇ ପଡ଼ୁଛନ୍ତି । ମାତ୍ର ଏପର୍ଯ୍ୟନ୍ତ ସ୍କୁଲ, କଲେଜ, ଅଙ୍ଗନବାଡ଼ିରେ ଖରା ଛୁଟି ନେଇ କିଛି ସରକାର ନିଷ୍ପତ୍ତି ନେଇନାହାନ୍ତି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ  କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ସତର୍କତା ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ବର୍ତ୍ତମାନ ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି  ସ୍ଥାନରେ କାଳବୈଶାଖୀ ପ୍ରଭାବରେ ହାଲୁକା ବର୍ଷା  ଓ ପବନ ହୋଇପାରେ । ମାତ୍ର ବିସ୍ତୃତ ଅଞ୍ଚଳରେ ଏବେ ବର୍ଷା ସମ୍ଭାବନା ନାହିଁ । ଅପରପକ୍ଷରେ  ଆସନ୍ତାକାଲି (ମଙ୍ଗଳବାର) ଝାରସୁଗୁଡ଼ା,  ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁରରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା ଅଛି । ୨୩ରୁ ସ୍ଥିତି ଆହୁରି  ଅସହ୍ୟ ହେବ । ଆଭ୍ୟନ୍ତରୀଣ ଓ ପଶ୍ଚିମରେ ଗ୍ରୀଷ୍ମ  ପ୍ରବାହ ପ୍ରକୋପ ବଢ଼ିବା ସହ ଉପକୂଳ ଓ ସଂଲଗ୍ନ   ଜିଲ୍ଲାମାନଙ୍କରେ ଗରମ, ଗୁଳୁଗୁଳି ଆହୁରି ଛଟପଟ କରିବ । ୨୫ ଯାଏଁ ଏମିତି ସ୍ଥିତି ଲାଗି ରହିବ ।  ଆସନ୍ତା ୨ ଦିନ ଭିତରେ କେତେକ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ଆଭ୍ୟନ୍ତରୀଣ ଓ ପଶ୍ଚିମର ଅନେକ ଜିଲ୍ଲାରେ  ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବା ସମ୍ଭାବନା ଅଛି । ୨୬ରୁ ଗରମ ପ୍ରକୋପ କମିବା ସହ କାଳବୈଶାଖୀ ବଢ଼ିପାରେ । 

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର  ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି,  ୨୫ ତାରିଖ ପରେ ତାତି କ୍ରମଶଃ କମିବ ।  ବର୍ତ୍ତମାନ ଉତ୍ତର-ପଶ୍ଚିମ ପଟୁ ତତଲା, ଶୁଷ୍କ  ପବନ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାକୁ ପ୍ରବେଶ କରୁଥିବାରୁ ତାତି ବଢ଼ୁଛି । ଆରବ ସାଗର ପଟୁ କର୍ଣ୍ଣାଟକ ଦେଇ ଉପକୂଳ ଓଡ଼ିଶା ଆଡ଼କୁ ଆସୁଥିବା ପବନରେ ଜଳୀୟବାଷ୍ପ ଅଧିକ ରହୁଛି । ଯେଉଁଥିପାଇଁ ଉପକୂଳରେ ଭୀଷଣ ଗୁଳୁଗୁଳି ଅନୁଭୂତ ହେଉଛି । ସାଧାରଣତଃ ମେ’ର ଶେଷ ଭାଗବେଳକୁ ଏଭଳି ଗୁଳୁଗୁଳି ହୋଇଥାଏ । ଏପ୍ରିଲରେ କେବଳ ଟାଣ ଖରା ଓ ଝାଞ୍ଜି ମାଡ଼   ହୁଏ । ଆସନ୍ତା ୨୩ରୁ ଉପକୂଳରେ ତାତି ପ୍ରକୋପ ବଢ଼ିବା ସହ ଗୁଳୁଗୁଳି କମିପାରେ । ଉପକୂଳ ୨୬ରୁ ଓ ଆଭ୍ୟନ୍ତରୀଣ ୨୭ରୁ ତାତିରୁ ନିସ୍ତାର ପାଇବେ । ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଅଧିକ ରହିବ ।  

ପାଣିପାଗ ବିଭାଗର ପୂର୍ବାନୁମାନ ହେଲା,  ମଙ୍ଗଳବାର ଝାରସୁଗୁଡ଼ା ପୁଣି ୪୫ ଟପିବା ସହ ବଲାଙ୍ଗୀର, ଟିଟିଲାଗଡ଼ ଆଦି ସ୍ଥାନରେ  ପାରଦ ୪୪ ଛୁଇଁପାରେ । ଉପକୂଳ ଓଡ଼ିଶାରେ  ତାପମାତ୍ରା ୩୮ ଡିଗ୍ରୀ ପାଖାପାଖି ରହିବ । ୨୫ ଯାଏଁ ଆଭ୍ୟନ୍ତରୀଣ ଓ ପଶ୍ଚିମରେ ଏଭଳି ଗ୍ରୀଷ୍ମ  ପ୍ରବାହ ଲାଗି ରହିବ । ୨୨ରେ ଉପକୂଳରେ  ପାରଦ ୩୮, ୨୩ରେ ୩୯ ଡିଗ୍ରୀ ସେଲସିୟସ୍‌  ଟପିପାରେ । ୨୪ ତାରିଖରେ ଉପକୂଳରେ  ତାପମାତ୍ରା ପ୍ରାୟତଃ ୪୦-୪୧ ଡିଗ୍ରୀ ଛୁଇଁପାରେ । 

  • Weather
  • Weather Forecast
  • Weather update
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.