ନିର୍ବାଚନ ଲଢିବା ପାଇଁ ପାର୍ଟି ଦେଉଥିବା ଟିକଟ କଣ ?

Published By : Prameya-News7 Bureau | September 05, 2024 IST

ନୂଆଦିଲ୍ଲୀ: ହରିୟାଣା ଏବଂ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡ଼ିକ ଟିକଟ ବାଣ୍ଟିବା ଆରମ୍ଭ କରିଛନ୍ତି । ଏବେ ସୁଦ୍ଧ ଅନେକ ଦଳ ଟିକଟ ଘୋଷଣା କରିସାରିଛନ୍ତି । ତେବେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଆସିବା ସହ ଟିକଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଏହି ଟିକଟ କଣ ଏବଂ ଟିକଟର ଅର୍ଥ କଣ ? ନିର୍ବାଚନ ପୂର୍ବରୁ ବାସ୍ତବରେ କଣ ପାର୍ଟି ଦ୍ୱାରା ଟିକଟ ଦିଆଯାଇଥାଏ ? 

ପାର୍ଟି ଟିକଟ କଣ ?

ନିର୍ବାଚନ ବେଳେ ପାର୍ଟି ପକ୍ଷରୁ ଟିକଟ ଦିଆଯାଇଥାଏ, ଏହାର ଅର୍ଥ କୌଣସି ରାଜନୈତିକ ପାର୍ଟି ସେହି କ୍ଷେତ୍ରରେ ନିଜ ପ୍ରତିନିଧିକୁ ଚୟନ କରିଛି ଏବଂ ନିର୍ବାଚନ ଲଢିବା ପାଇଁ ଅନୁମତି ଦେଉଛି । ଏହାର ଅର୍ଥ ଏହା ମଧ୍ୟ ଯେ ପାର୍ଟି ନିଜର ନିର୍ବାଚନୀ ଚିହ୍ନ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଦେଉଛି । ଏହି ପ୍ରକ୍ରିୟାକୁ ଟିକଟ ମିଳିବା କୁହାଯାଏ ।

ବାସ୍ତବରେ ଟିକଟ ବୋଲି କିଛି ଥାଏ କି ?

ପ୍ରକୃତରେ କହିବାକୁ ଗଲେ ଏହା କୌଣସି ଟିକଟ ନଥାଏ, କିନ୍ତୁ ଗୋଟିଏ ଫର୍ମ ହୋଇଥାଏ, ଯାହାକୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ପଡ଼ିଥାଏ । ଯେତେବେଳେ କୌଣସି ପ୍ରାର୍ଥୀ କୌଣସି ରାଜନୈତିକ ଦଳର ଚିହ୍ନରେ ନିର୍ବାଚନ ଲଢିବା ବେଳେ ଦଳ ଏହି ସୂଚନା ନିର୍ବାଚନ ଆୟୋଗଙ୍କୁ ଦେଇଥାନ୍ତି । ସେହି ଆଧାରରେ ହିଁ ପ୍ରାର୍ଥୀଙ୍କୁ ପାର୍ଟିର ଚିହ୍ନ ମିଳିଥାଏ ।

ଆନୁଷ୍ଠାନିକ ଭାବେ ଯେତେବେଳେ ପ୍ରାର୍ଥୀ ପତ୍ର ଦାଖଲ ବେଳେ ଆବେଦନ ପତ୍ର ସହ ଫର୍ମ ଏ ଏବଂ ଫର୍ମ ବି ଦେବାକୁ ପଡ଼ିଥାଏ । ଏହାକୁ ହିଁ ଟିକଟ କୁହାଯାଏ । ପାର୍ଟି ଫର୍ମ-ଏ ଜରିଆରେ ନିର୍ବାଚନ ଆୟୋଗଙ୍କୁ କେଉଁ ବ୍ୟକ୍ତିଙ୍କୁ ପାର୍ଟି ତରଫରୁ ଅଧିକୃତ କରାଯାଇଛି ତାହା ଉଲ୍ଲେଖ କରିଥାଏ । ପରେ ଆଉ ଏକ ଫର୍ମ ଜରିଆରେ ଚିହ୍ନ ଅଲଟ୍ କରାଯାଇଥାଏ । ଏହା ରଟର୍ଣ୍ଣିଂ ଅଫିସରଙ୍କୁ ପାର୍ଟି ପକ୍ଷରୁ ଦିଆଯାଇଥାଏ । ଫର୍ମ-'ଏ'କୁ ପାର୍ଟି ଦ୍ୱାରା ଚିଫ୍ ଇଲେକ୍ଟ୍ରୋଲ ଅଫିସର ଏବଂ ରିଟର୍ଣ୍ଣିଂ ଅଫିସରଙ୍କୁ ଦେବାକୁ ହୋଇଥାଏ ଏବଂ ପ୍ରତି ପ୍ରାର୍ଥୀଙ୍କ ପାଇଁ ଅଲଗା ଫର୍ମ-ବି ରିଟର୍ଣ୍ଣିଂ ଅଫିସରଙ୍କୁ ଦେବାକୁ ପଡ଼ିଥାଏ । ଏଥିରେ ପ୍ରାର୍ଥୀଙ୍କ ହସ୍ତାକ୍ଷର ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.