ମୁସ୍ତାକ ବୁଖାରୀ କିଏ ? କାହିଁକି ଗାନ୍ଧିଜୀ ଓ ନେଲସନ ମାଣ୍ଡେଲାଙ୍କ ସହ ତୁଳନା କରୁଛି ବିଜେପି

Published By : Prameya-News7 Bureau | September 17, 2024 IST

ଶ୍ରୀନଗର ୧୭/୯: ରାତି ପାହିଲେ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ । ୨୪ଟି ବିଧାନସଭା ଆସନରେ ହେବ ମତଦାନ । ଦୀର୍ଘ ୧୦ ବର୍ଷ ପରେ ମତାଧିକାର ସାବ୍ୟସ୍ତ କରିବେ ଭୋଟର୍‌ । ୟା ଭିତରେ ଚର୍ଚ୍ଚାରେ ବରିଷ୍ଠ ନେତା ମୁସ୍ତାକ ବୁଖାରୀ । ବିଜେପିର ରାଷ୍ଟ୍ରୀୟ ମହାସଚିବ ତରୁଣ ଚୁଘ ମୁସ୍ତାକ ବୁଖାରୀଙ୍କୁ ଜାତିର ପିତା ମହାତ୍ମାଗାନ୍ଧୀ ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲ୍‌ସନ ମାଣ୍ଡେଲାଙ୍କ ସହ ତୁଳନା ପରେ ରାଜନୀତି ଜୋର୍‌ ।  ୭୫ ବର୍ଷୀୟ ଭେଟେରାନ ଲିଡର ମୁସ୍ତାକ ବୁଖାରୀ । ଜମ୍ମୁର ଅନୁସୂଚିତ ଜନଜାତି ସଂରକ୍ଷିତ ସିଟ୍‌ ସୁରନକୋଟ୍‌ରୁ ବିଜେପି ପ୍ରାର୍ଥୀ । ବୁଖାରୀଙ୍କୁ ମଇଦାନକୁ ଓହ୍ଲାଇ ନିର୍ବାଚନ ଜିତିବାକୁ ବିଜେପି ଏଥର ଖାସ୍‌ ରଣନୀତି କରିଥିବା କୁହାଯାଉଛି । ଶନିବାର ବୁଖାରୀଙ୍କ ପାଇଁ ପ୍ରଚାର କରି ବିଜେପି ରାଷ୍ଟ୍ରୀୟ ମହାସଚିବ ତରୁଣ ତାଙ୍କର ଢେର ପ୍ରଶଂସା କରିଛନ୍ତି । ଆଉ ଯାହା କହିଛନ୍ତି ତାକୁ ଶୁଣି ସମସ୍ତେ ତାଜୁବ । ବୁଖାରୀଙ୍କୁ ସେ କୁଆଡେ ମହାତ୍ମା ଗାନ୍ଧି ଓ ନେଲସନ ମଣ୍ଡେଲାଙ୍କ ସହ ତୁଳନା କରିଛନ୍ତି । ଯାହାକୁ ନେଇ ଉଠୁଛି ପଡୁଛି ରାଜନୀତି । ବୁଖାରୀଙ୍କୁ ପ୍ରଶଂସାରେ ପୋତି ତରୁଣ କହିଛନ୍ତି ଦେଶ ପାଇଁ ଯେଉଁ କାମ ମହାତ୍ମା ଗାନ୍ଧି କରିଛନ୍ତି ତାକୁ କେହି ଭୁଲିପାରିବେନି । ସେହିପରି ଯେଉଁ ଦଳର ବି ସରକାର ହେଉ ଲୋକେ ନେଲସନ ମଣ୍ଡେଲାଙ୍କୁ କେବେ ଭୁଲିପାରିବେନି । ସେମିତି ହିଁ ପାହାଡୀ ସଂପ୍ରଦାୟକୁ ସ୍ବାଧୀନ କରିବାର କାମ ଏଠାକାର ମହାତ୍ମଗାନ୍ଧୀ,ନେଲସନ ମଣ୍ଡେଲା ବୁଖାରୀ ସାହେବ ହିଁ କରିଛନ୍ତି । ବୁଖାରୀ  ପୁଞ୍ଝ ଜିଲ୍ଲାର ଜଣେ ପ୍ରଭାବଶାଳୀ ନେତା । ସୁନରକୋଟରୁ ୨ ଦୁଇ ଥରର ବିଧାୟକ ।  ପ୍ରାୟ ୪ ଦଶନ୍ଧି ଧରି ନେସନାଲ କନଫରେନ୍ସ ସହ ଜଡିତ ଥିଲେ ସେ  । ଦିନ ଥିଲା ନେସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କର ଖୁବ ନିକଟତର ଥିଲେ । ମୁସଲିମ ସଂପ୍ରଦାୟ ଲୋକେ ତାଙ୍କୁ ଡାକୁଥିଲେ ପୀର ସାହେବ । ତେବେ ୨୦୨୨ ଫେବୃଆରୀରେ ପାହାଡି ସଂପ୍ରଦାୟକୁ ଏସ୍‌ଟି ଶ୍ରେଣୀ ଅନ୍ତର୍ଭୁକ୍ତ କରିବାକୁ ନେଇ ଫାରୁକ ଅବଦୁଲ୍ଲାଙ୍କ ସହ ବୁଖାରୀଙ୍କ ହୋଇଥିଲା ମତଭେଦ ।ସେହି କାରଣ ପାଇଁ ଦଳ ସହ ଏତେ ବର୍ଷର ସଂପର୍କ ତୁଟାଇ ଦେଇଥିଲେ ମୁସ୍ତାକ ।ନେସନାଲ କନଫରେନ୍ସ ଛାଡିବାର ଠିକ ୨ ବର୍ଷ ପରେ ମାନେ ଚଳିତ ବର୍ଷ ଫେବ୍ରୁଆରୀ ୧୫ରେ ବିଜେପିରେ ସାମିଲ ହୋଇଥିଲେ ଫାରୁକ । କହିଥିଲେ ଯେଉଁ ଦଳ ପାହାଡି ସଂପ୍ରଦାୟକୁ ଏସ୍‌ଟି ଶ୍ରେଣୀଭୁକ୍ତ କରିବ ମୁଁ ସେହି ଦଳରେ ରହିବି ।  ପାହାଡି ଲୋକଙ୍କ ମଧ୍ୟରେ ବୁଖାରୀଙ୍କ ପ୍ରଭାବ ଢେର । ରଜୌରୀ,ପୁଞ୍ଝ,ବାରମୁଲା ଓ କୁପୱାଡା ଜିଲ୍ଲାରେ ପ୍ରାୟ ସାଢେ ୧୨ ଲକ୍ଷ ଲୋକ ତାଙ୍କୁ ସମର୍ଥନ କରନ୍ତି। ବୁଖାରୀଙ୍କୁ ମଇଦାନକୁ ଓହ୍ଲାଇ ଭୋଟ୍‌ ହାତେଇବା ଚକ୍କରରେ ବିଜେପି । ଏକ ଦଶନ୍ଧି ସେପ୍ଟେମ୍ବର ୨୫ରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ସୁରନକୋଟରେ ନେତା ବାଛିବେ ଜନତା । ଆଉ ଅକ୍ଟୋବର ୮ରେ ଆସିବ ଫଳାଫଳ । ସ୍ପଷ୍ଟ ହେବ ବୁଖାରୀଙ୍କ ଥାର୍ଡ ଇନିଂସ ସଫଳ ହେଉଛି କି ନାହିଁ । 

 

  • Jammu Kashmir
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.