ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ୨୦୨୫ ଉପସ୍ଥାପନ କରିବା ପୂର୍ବରୁ ସୁନା ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି କରିବା ନେଇ ଚର୍ଚ୍ଚା ହେଉଥିଲା। ଫଳରେ ସୁନା ମୂଲ୍ୟ ଆହୁରି ବଢ଼ିବ ବୋଲି କୁହାଯାଉଥିଲା। ହେଲେ ଅର୍ଥମନ୍ତ୍ରୀ ବଜେଟ୍ରେ ସୁନାକୁ ନେଇ ସେମିତି କୌଣସି ଘୋଷଣା କରି ନାହାନ୍ତି। ପୂର୍ବପରି ଏହାର ସୀମା ଶୁଳ୍କ ମାତ୍ର ୬ ପ୍ରତିଶତ ରହିବ ବୋଲି ମନ୍ତ୍ରୀ କହିଛନ୍ତି।
ଶନିବାର(ଫେବ୍ରୁଆରୀ) ବଜେଟ୍ ଉପସ୍ଥାପନ କରି ସୁନା ଓ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ କମ୍ ରଖିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଦେଶରେ ସୁନା ଏବଂ ମୂଲ୍ୟବାନ ଧାତୁ ଅଳଙ୍କାରରେ ଘରୋଇ ମୂଲ୍ୟ ବୃଦ୍ଧି କରିବା ପାଇଁ, ମୁଁ ସୁନା ଏବଂ ରୂପା ଉପରେ ସୀମା ଶୁଳ୍କକୁ ୬ ପ୍ରତିଶତ ଏବଂ ପ୍ଲାଟିନମ୍ ଉପରେ ସୀମା ଶୁଳ୍କକୁ ୬.୪ ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଉଛି।
ଆମଦାନୀ ଶୁଳ୍କ ହ୍ରାସ ଦ୍ୱାରା ଘରୋଇ ବଜାରରେ ମୂଲ୍ୟବାନ ଧାତୁ ଏବଂ ସୂକ୍ଷ୍ମ ଅଳଙ୍କାରର ଚାହିଦା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ୨୦୨୪ ବଜେଟ୍ରେ ସୁନା ଉପରେ ସୀମା ଶୁଳ୍କକୁ ୧୫ ପ୍ରତିଶତରୁ କମାଇ ୬ ପ୍ରତିଶତ କରିଥିଲେ କେନ୍ଦ୍ର ସରକାର। ହେଲେ ସୁନା ମୂଲ୍ୟ ବେଲଗାମ ହୋଇ ବଢ଼ି ଚାଲିଛି।
ପଢନ୍ତୁ- ଆୟକର ନେଇ ସରକାରଙ୍କ ବଡ ଘୋଷଣା, ୧୨ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ
ଆଜି ସୀତାରମଣ ସଂସଦରେ ବଜେଟ୍ ଘୋଷଣା କରୁଥିବା ବେଳେ ସୁନା ମୂଲ୍ୟ ବୃଦ୍ଧି ସବୁ ରେକର୍ଡ ଭାଙ୍ଗିଛି। ଶନିବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ଫ୍ୟୁଚର୍ସ ଟ୍ରେଡିଂ ସମୟରେ, ଏହାର ମୂଲ୍ୟ ୮୨,୬୦୦ ଟଙ୍କାରେ ପହଞ୍ଚିଛି। କେବଳ ଏମ୍ସିଏକ୍ସରେ ନୁହେଁ, ଘରୋଇ ବଜାରରେ ମଧ୍ୟ ସୁନା ମୂଲ୍ୟ ରେକର୍ଡ ସ୍ତରରେ ରହିଛି।
ଇଣ୍ଡିଆନ୍ ବୁଲିୟନ୍ ଜୁଏଲର୍ସ ଆସୋସିଏସନ୍ (IBJA)ର ୱେବସାଇଟ୍ ଅନୁଯାୟୀ, ଜାନୁଆରୀ ୩୧ରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୮୨,୦୯୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୮୦,୧୨୦ ଟଙ୍କା ହୋଇଛି। ୨୦ କ୍ୟାରେଟ୍ ସୁନା ୭୩,୦୬୦,ଏବଂ ୧୮ କ୍ୟାରେଟ୍ ସୁନା ୬୬,୪୯୦ ଟଙ୍କା ହୋଇଛି। ତେବେ IBJA ମୂଲ୍ୟ ଅନୁସାରେ ସାରା ଦେଶରେ ସୁନା ବିକ୍ରି କରାଯାଇଥାଏ। ଏଥିରେ ଜିଏସ୍ଟି ଓ ମେକିଂ ଚାର୍ଜ ଅଲଗା ରହିଛି। ଏହା ଲାଗୁ ହେଲେ ସୁନା ମୂଲ୍ୟ ଆହୁରି ବଢ଼ି ଯିବ।
ଶୁକ୍ରବାର ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ୨୦୨୪-୨୫ ଅନୁଯାୟୀ,୨୦୨୫ରେ ସୁନା ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି। ତେବେ ରୁପା ମୂଲ୍ୟ ବଢ଼ିବ ବୋଲି କୁହାଯାଇଛି। ହେଲେ ସୁନା କମିବ କ’ଣ ବଢ଼ି ଚାଲିଛି। ଫଳରେ ଏହା ସାଧାରଣ ଲୋକଙ୍କ କିଣିବା ଶକ୍ତି ପାର୍ ହୋଇଯାଇଛି।