ବର୍ଷ ପୂର୍ତ୍ତିରେ ପ୍ରକଳ୍ପ ଭେଟି, ରାଜଧାନୀରେ ମୋଦୀଙ୍କ ମେଗା ସୋ', ବିଜେପି ସରକାରର ରିପୋର୍ଟ କାର୍ଡ ଦେବେ

Published By : Prameya-News7 Bureau | June 20, 2025 IST

ଭୁବନେଶ୍ୱର ୨୦/୦୬: ବିଜେପି ସରକାରର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ରାଜଧାନୀ ଚଳଚଞ୍ଚଳ । ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା ମଇଦାନରେ ଆୟୋଜିତ ମେଗା ସୋ’ରେ ଓଡ଼ିଶାକୁ ମୋଦି  ଭେଟିଦେବେ ୧୯ ହଜାର କୋଟିର ପ୍ରକଳ୍ପ । ଉପସ୍ଥିତ ଜନତାଙ୍କୁ କରିବେ ସମ୍ବୋଧନ । ଏ ଗସ୍ତ ବେଳେ  ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ । 

ବିମାନ ବନ୍ଦରରୁ ଜନତା ମଇଦାନ ଯାଏଁ କରିବେ ବିଶାଳ ରୋଡ୍‌ ସୋ । ପ୍ରଧାନମନ୍ତ୍ରୀଙ୍କ ଏ ଗସ୍ତ  ପାଇଁ ରାଜଧାନୀ କଡ଼ା ସୁରକ୍ଷା ବଳୟରେ ରହିଛି । ପ୍ରଧାନମନ୍ତ୍ରୀ ଜନତା ମଇଦାନର ଭବ୍ୟ ସମାରୋହରେ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ୬୦ ପ୍ରକଳ୍ପର ଶିଳାନ୍ୟାସ ଏବଂ ୪୫ ପ୍ରକଳ୍ପର ହେବ ଲୋକାର୍ପଣ । ଏହି ପ୍ରକଳ୍ପଗୁଡ଼ିକର ମୂଲ୍ୟ ହେଉଛି ୧୮ ହଜାର ୭୦୦ କୋଟି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଓ ଭାରତ ଗଠନ ପାଇଁ ପ୍ରସ୍ତୁତ ‘ଭିଜନ ଡକ୍ୟୁମେଣ୍ଟ’ ପୁସ୍ତକ ଉନ୍ମୋଚନ କରିବେ । 

ଏହାସହ ଆୟୁଷ୍ମାନ ବୟୋବନ୍ଦନା କାର୍ଡ ସହ ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ଘର  ବାଣ୍ଟିବେ । ୧୦୦ ଇ-ବସ୍‌ର ଶୁଭାରମ୍ଭ, ବୌଦ୍ଧକୁ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ‘ବରପୁତ୍ର  ସମ୍ମାନ’ ଯୋଜନାର ଶୁଭାରମ୍ଭ, ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର ପୁସ୍ତିକା ମଧ୍ୟ ମୋଦିଙ୍କ ଦ୍ୱାରା ଉନ୍ମୋଚିତ ହେବ । କାର୍ଯ୍ୟସୂଚୀ ଅନୁସାରେ, କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ବର୍ଷେ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ସାମିଲ ହୋବକୁ ମୋଦି ଅପରାହ୍ନ  ୩.୪୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯିବ ।  

ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଥିବାରୁ  ବିମାନବନ୍ଦରରୁ କଳିଙ୍ଗ ଷ୍ଟାଡିୟମ ଯାଏ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ । ସେଠାରୁ ଆରମ୍ଭ ହେବ ରୋଡ୍‌ ସୋ । ୩.୪୫ରୁ ୪.୧୫ ଯାଏଁ ରୋଡ ସୋରେ ପ୍ରଧାନମନ୍ତ୍ରୀ  ଜନତା ମଇଦାନ ସଭାସ୍ଥଳୀକୁ ଯିବେ । ସେଠାରେ ସାଢ଼େ ୫ ଯାଏଁ କାର୍ଯ୍ୟକ୍ରମରେ  ସାମିଲ ହେବେ । ବିମାନବନ୍ଦରରୁ ଜନତା ମଇଦାନ ଭିତରେ ୨୮ଟି ଜାଗାରେ  ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୫ଟା ୫୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରୁ ବିଶାଖାପାଟନମ୍‌ ଅଭିମୁଖେ  ଯିବେ ମୋଦି । 

ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ । ଏହାଛଡ଼ା କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ  ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜ୍ୟର ସମସ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକ ମଧ୍ୟ  ଯୋଗ ଦେବେ । 

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଟକ-ଭୁବନେଶ୍ୱରରେ ସ୍କୁଲ ଛୁଟି  ଘୋଷଣା ହୋଇଥିଲା ବେଳେ ରାଜଧାନୀରେ ଦ୍ୱିତୀୟାର୍ଦ୍ଧ ସରକାରୀ ଅଫିସ ବନ୍ଦ  ରହିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍‌ ସୋ' ପାଇଁ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା  ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି ହୋଇଛି । ସୁରକ୍ଷା ବ୍ୟବସ୍ଥାରେ ୧୩୩ ପ୍ଲାଟୁନ  ଫୋର୍ସ ସହ ୫୦୦ରୁ ଅଧିକ ଅଫିସର ମୁତୟନ ହୋଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.