ଲେବାନନରେ ସିରିୟଲ୍‌ ପେଜର ବ୍ଲାଷ୍ଟରେ ୮ ମୃତ, ଇରାନ ରାଷ୍ଟ୍ରଦୂତଙ୍କ ସମେତ ୨୮୦୦ ଆହତ

Published By : Prameya-News7 Bureau | September 17, 2024 IST

ନୂଆଦିଲ୍ଲୀ: ଲେବାନନରେ ସିରିୟଲ୍‌ ପେଜର ବ୍ଲାଷ୍ଟ ହୋଇଛି । ୧୦୦ କିମ୍ୱା ୨୦୦ ନୁହେଁ ପ୍ରାୟ ୧୦୦୦ ପେଜର୍ସ ବ୍ଲାଷ୍ଟ ହୋଇଛି । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଲେବାନନର ପ୍ରାୟ ୨୭୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଏହି ସଂଖ୍ୟା ଆହୁରି ବଢିପାରେ । ଆହତଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ, ଇରାନ ରାଷ୍ଟ୍ରଦୂତ ମୋଜିତବା ଅମୀନ ଏବଂ ହିଜବୁଲ୍ଲାର ସଦସ୍ୟ ଅଛନ୍ତି । ଏହି ଆକ୍ରମଣରେ ଇସ୍ରାଏଲର ହାତ ଥିବା ହିଜବୁଲା ଆଶଂକା କରିଛି । ବିସ୍ଫୋରଣ ପରେ ଲେବାନନ ସରକରାର ସମସ୍ତ ଲୋକଙ୍କୁ ନିଜ ପାଖରେ ଥିବା ପେଜର ଫୋପାଡ଼ିବା ଦେବା ପାଇଁ କହିଛନ୍ତି । 

ପେଜର ବ୍ୟତୀତ ରେଡିଓ ଏବଂ ଟ୍ରାନ୍ସମିଟର ମଧ୍ୟ ବ୍ଲାଷ୍ଟ ହୋଇଥିବା ସୂଚନା ମିଳିଛି । ଏହି ପେଜର୍ସକୁ ହିଜବୁଲ୍ଲାର ଯବାନ ପରସ୍ପର ମଧ୍ୟରେ ସଂଚାର ପାଇଁ ଉପଯୋଗ କରୁଥିଲେ । କିନ୍ତୁ ଏହାକୁ ହ୍ୟାକ୍ କରି ଗୋଟିଏ ସମୟରେ ହିଁ ବ୍ଲାଷ୍ଟ କରାଯାଇଛି । ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରୀ ଫିରାସ ଅବିୟାଦ ସମାଚାର ଏଜେନ୍ସି ଏଏଫପି ସୂଚନା ଦେଇ କହିଛନ୍ତି ଯେ ପେଜର ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ପ୍ରାୟ ୨୭୫୦ ଜଣ ଆହତ ହୋଇଛନ୍ତି । ହିଜବୁଲ୍ଲା ଏହି ଆକ୍ରମଣ ପାଇଁ ଇସ୍ରାଏଲକୁ ଦାୟୀ କରି କହିଛି ଯେ ସମସ୍ତ ପେଜର ପ୍ରାୟ ଗୋଟିଏ ସମୟରେ ବ୍ଲାଷ୍ଟ ହୋଇଛି । ଏହି ପ୍ରକାର ଘଟଣା ପ୍ରଥମ । ହିଜବୁଲ୍ଲା କହିଛି ଯେ ଏହା ସବୁଠୁ ବଡ଼ ସୁରକ୍ଷା ତ୍ରୁଟି, ଯାହାର ସେ ସାମନା କରିଛି ।

ରୟଟର୍ସର ଖବର ଅନୁସାରେ ବେରୁତର ଦକ୍ଷିଣରେ ଥିବା ଦହିୟାହରେ ଏହି ବିସ୍ଫୋରଣ ହୋଇଛି । ତେବେ ଲେବାନନର ସରକାରୀ ନ୍ୟୁଜ୍ ଏଜେନ୍ସି ଏନଏନଏ କହିଛି ଯେ ଲେବାନନର ମଧ୍ୟ ବେକା ଘାଟିର ଅଲ୍-ନହରୀ ଏବଂ ରିୟାକ ଅଞ୍ଚଳରେ ବି ହ୍ୟାକ୍ କରାଯାଇଥିବା ପେଜର ବ୍ଲାଷ୍ଟ ହୋଇଛି । ପେଜର ବ୍ଲାଷ୍ଟରେ ହିଜବୁଲ୍ଲାର ଶୀର୍ଷ କମାଣ୍ଡର ମଧ୍ୟ ଆହତ ହୋଇଥିବା ଦାବି କରାଯାଉଛି । ସାଉଦିର ମଲହଦାଥ ସମାଚାର ଚ୍ୟାନେଲ ଅନୁସାରେ, ଏବି ବିସ୍ଫୋରଣରେ ଶୀର୍ଷ କମାଣ୍ଡର ସହ ତାଙ୍କ ସହଯୋଗୀ ଏବଂ ପରାମର୍ଶଦାତା ଆହତ ହୋଇଛନ୍ତି । ଜଣେ ହିଜବୁଲ୍ଲା ସାଂସଦଙ୍କ ପୁଅର ମୃତ୍ୟୁ ହୋଇଛି । ରୟଟର୍ସର ଏକ ରିପୋର୍ଟ ଅନୁସାରେ, ସାଂସଦଙ୍କ ନାଁ ଅଲି ଅମ୍ମାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.