କୋରାପୁଟକୁ ଲମ୍ବିଛି ଖଣି ଦୁର୍ନୀତିର ଚେର, ରାଜା ଚକ୍ରର ୧୩ ଟିପ୍ପର ସହ ଗୋଟିଏ ଜେସିବି ଜବତ

Published By : Prameya-News7 Bureau | March 31, 2025 IST

କୋରାପୁଟ ୩୧: ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସୀ ଦୁର୍ନୀତିରେ ସମ୍ପୃକ୍ତ ରାଜା ଚକ୍ର ଓ ତାଙ୍କ ସହଯୋଗୀ କମ୍ପାନୀ ନାଁରେ ଥିବା ଗାଡ଼ି ଜବତ କରିଛି ପୋଲିସ । ୧୩ଟି ଟିପ୍ପର ଓ ଗୋଟିଏ ଜେସିବିକୁ ସେମିଳିଗୁଡା ପୋଲିସ ଜବତ କରିଛି । ଗୋଟିଏ ଟିପ୍ପର ଥାନାରେ ଥିବା ବେଳେ ଅନ୍ୟ ଗାଡ଼ିଗୁଡ଼ିକୁ ବାଙ୍ଗୁରୁଗୁଡ଼ା କାଜୁ ଜଙ୍ଗଲରେ ରଖାଯାଇଛି ।

ସୂଚନାଯୋଗ୍ୟ ଯେ, ବିଶେଷ ସୂତ୍ରରୁ ଖବର ପାଇ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)ର ନିର୍ଦ୍ଦେଶରେ ବେହେରାଗୁଡ଼ା ନିକଟ କ୍ରସର ୟୁନିଟ୍‌ରେ ସେମିଳିଗୁଡା ପୋଲିସର ଏକ ଟିମ୍ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ସେହି କ୍ରସର ୟୁନିିଟ୍‌ରୁୁ ୧୩ଟି ଟିପ୍ପର ଓ ଗୋଟିଏ ଜେସିବିକୁ ପୋଲିସ ଜବତ କରିଛି । କେବଳ ଗୋଟିଏ ଟିପ୍ପରକୁ ଥାନାକୁ ଅଣାଯାଇଥିବା ବେଳେ ଅନ୍ୟ ଗାଡ଼ିକୁ ବାଙ୍ଗୁରୁଗୁଡ଼ା କାଜୁ ଜଙ୍ଗଲରେ ପୋଲିସ ପକ୍ଷରୁ କଡ଼ାସୁରକ୍ଷା ବଳୟରେ ରଖାଯାଇଛି । ଇଓଡବ୍ଲୁ ଅଧିକାରୀ ମାନେ ସେଠାରେ ପହଞ୍ଚିବା ପରେ ସେଗୁଡ଼ିକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଏ ନେଇ ସୁନାବେଡ଼ା ଏସ୍‌ଡିପିଓ ସୁମିତ୍ରା ଜେନା ସୂଚନା ପ୍ରଦାନ କରିଛନ୍ତି । ରାଜା ଚକ୍ର କିଛି ଦିନ ହେବ ସେମିଳିଗୁଡ଼ା ଅଞ୍ଚଳର ଅମର ନାୟରଙ୍କ ବାଙ୍ଗରୁଗୁଡ଼ା ନିକଟ କ୍ରସରକୁ ଲିଜ୍‌ରେ ନେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ବହୁଚର୍ଚ୍ଚିତ ଖଣି ଦୁର୍ନୀତିରେ ସମ୍ପୃକ୍ତ ରାଜା ଚକ୍ର ନାଁରେ ଇଓଡବ୍ଲୁରେ ମାମଲା ଚାଲିଛି । କେଉଁଠି କ’ଣ କ’ଣ ଅଛି ତାର ଟିକିନିଖି ତଦନ୍ତ କରୁଛି ଇଓଡବ୍ଲୁ । ମଙ୍ଗଳବାର ସୁଦ୍ଧା ଇଓଡବ୍ଲୁ ଟିମ୍ ମାମଲାର ଅଧିକ ତଦନ୍ତ ପାଇଁ କୋରାପୁଟରେ ପହଞ୍ଚିବା ବୋଲି ସୂଚନା ରହିଛି ।

You Can Read:

ସୀମାନ୍ତରେ ପୁଣି ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ମହିଳା ମାଓବାଦୀ ନିହତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.