ନୂଆଦିଲ୍ଲୀ ୧୧।୦୭; ଗୁଜରାଟରେ ଭୁଶୁଡ଼ିଥିଲା ୪୫ ବର୍ଷର ପୁରୁଣା ପୋଲ । ପୋଲ ତଳୁ ନଦୀକୁ ଖସିପଡିଥିଲା ଯାନବାହନ ଓ ଗଭୀର ପାଣିରେ ପଡ଼ି ଚାଲିଗଲା ଜୀବନ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଭୁଶୁଡ଼ି ପଡ଼ିବା ପରେ ଦୀରୁ ଏପର୍ଯ୍ୟନ୍ତ ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଅନେକ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ସରକାର ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗୁଜରାଟ ସଡ଼କ ଏବଂ କୋଠା ବିଭାଗର ଚାରି ଜଣ ଇଞ୍ଜିନିୟରଙ୍କୁ ନିଲମ୍ବିତ କରିଛନ୍ତି। ନିଖୋଜ ତିନି ଜଣଙ୍କର ସନ୍ଧାନ ଜାରି ରହିଛି।
ବୁଧବାର ସକାଳେ ପାଦ୍ରା ସହର ନିକଟବର୍ତ୍ତୀ ଗମ୍ଭୀରା ଗ୍ରାମ ନିକଟରେ ଚାରି ଦଶନ୍ଧି ପୁରୁଣା ସେତୁର ଏକ ଅଂଶ ଭୁଶୁଡ଼ି ପଡ଼ିବା ପରେ ମହିସାଗର ନଦୀରେ ଅନେକ ଗାଡ଼ି ଖସି ପଡ଼ିଥିଲା। ବଡୋଦରା ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି, ତିନି ଜଣ ଏବେ ବି ନିଖୋଜ ଅଛନ୍ତି ଏବଂ ଜାତୀୟ ବିପର୍ଯ୍ୟୟ ବାହିନୀ (NDRF), ରାଜ୍ୟ ବିପର୍ଯ୍ୟୟ ବାହିନୀ (SDRF) ଏବଂ ଅନ୍ୟାନ୍ୟ ସଂସ୍ଥା ମୃତଦେହ ଖୋଜିବା ପାଇଁ ସନ୍ଧାନ ଅଭିଯାନ ଚଳାଇଛନ୍ତି। ଏପର୍ଯ୍ୟନ୍ତ ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆହତ ପାଞ୍ଚ ଜଣଙ୍କ ଅବସ୍ଥା ସ୍ଥିର ଅଛି ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ।
ପୂର୍ବରୁ ଗୁଜରାଟରେ ଏପରି ଦୁର୍ଘଟଣା ଘଟିଛି
୨୦୨୧ ପରଠାରୁ ଗୁଜରାଟରେ ବ୍ରିଜ୍ ଭୁଶୁଡ଼ିବାର ଅତି କମରେ ଛଅଟି ବଡ଼ ଘଟଣା ଘଟିଛି। ସବୁଠାରୁ ଭୟଙ୍କର ଘଟଣା ଅକ୍ଟୋବର ୨୦୨୨ରେ ଘଟିଥିଲା ଯେତେବେଳେ ମୋରବି ସହରରେ ମାଛୁ ନଦୀ ଉପରେ ନିର୍ମିତ ବ୍ରିଟିଶ ଯୁଗର ଝୁଲା ପୋଲ ଭୁଶୁଡ଼ି ପଡ଼ିବା ଯୋଗୁଁ ୧୩୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପରେ ସରକାର ଆକ୍ସନ୍ ମୋଡରେ ଅଛନ୍ତି। ଏହି କାରଣରୁ ସରକାର ୪ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି।