ବ୍ରହ୍ମପୁର ୨୭/୧: ଗଞ୍ଜାମ ଚିକିଟି ଅପହରଣ ପଛରେ ଲୋନ୍ କାରବାର । ୪ ଯୁବକଙ୍କୁ ଲୋନ୍ ଦେବାକୁ ଡାକିଥିଲେ ହେଲେ ଲୋନ୍ ନଦେଇ କରିଥିଲେ କିଡନାପ୍ । ନାଗ ସାପ ଦେଖାଇ ଭୟଭୀତ କରିବା ସହ ୨କୋଟି ଦାବି କରିଥିଲେ ଅପହରଣକାରୀ । ୪ ଦିନ ତଳୁ ଅପହୃତ ଯୁବକଙ୍କୁ ଉଦ୍ଧାର ପରେ ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ବ୍ରହ୍ମପୁର ଏସ୍ପି ।
ଭୁବନେଶ୍ବର,କଟକ ଓ ଦିଲ୍ଲୀର ୪ଜଣଙ୍କୁ ଅପହରଣ ଓ ଗୋଟିଏ ଘରେ ବନ୍ଧକ ରଖିବା ଘଟଣାରେ ଜଣକୁ ଅଟକ ରଖି ଛାନ୍ଭିନ୍ ଚଳାଇଛି ପୋଲିସ । ଘଟଣାରେ ୫ରୁ ଅଧିକ ସଂପୃକ୍ତ ଥିବା ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । ଘଟଣାରେ ବ୍ରହ୍ମପୁରର ଜଣେ ଅପରାଧୀ ଦଣ୍ଡ ମହାରଣାଙ୍କ ସଂପୃକ୍ତି ଥିବା ନେଇ ସୁରାକ ପାଇଛି ପୋଲିସ । ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସ୍ପି ।
ଅଭିଯୋଗ ଅନୁସାରେ ଅପହରଣକାରୀମାନେ ଏକ ଘରୋଇ ଫାଇନାନ୍ସରୁ ଲୋନ୍ ନେବାକୁ ଆବେଦନ କରିଥିଲେ । ପରେ ଲୋନ୍ ଦେବା ପୂର୍ବରୁ ପ୍ରୋଜେକ୍ଟ ଦେଖିବାକୁ ଆସିଥିଲେ ୪ ଫାଇନାନ୍ସ କର୍ମଚାରୀ । ହେଲେ ସେମାନଙ୍କୁ ଚତୁରତାର ସହ ଅପହରଣ କରିନେଇଥିଲେ ଅପହରଣକାରୀ । ଗଞ୍ଜାମ ଚିକିଟିରେ ଗୃହବନ୍ଦୀ କରି ଏକ ଅନ୍ଧାର ଘରେ ରଖିଥିଲେ । ପାଖରେ ଏକ ପେଡିରେ ନାଗ ସାପ ରଖିଥିଲେ । କହୁଥିଲେ ଶୁଣୁଛ ତ …ନାଗ ସାପ ଜଗିଛି । ଭଲରେ ଭଲରେ ୨ କୋଟି ଦେଇ ଦିଅ । ନହେଲେ ପେଡିରୁ ଖୋଲିଦେବ ସାପ । କାମୁଡି ଦେବ ।
ଅପହରଣକାରୀଙ୍କ ଏ ଧମକରେ ଫାଇନାନ୍ସ କର୍ମଚାରୀମାନେ ଭୟଭୀତ ହୋଇପଡିଥିଲେ । ଆଉ ନିଜ ଜୀବନ କେମିତି ବଞ୍ଚାଇବେ ମନେ ମନେ ପ୍ଲାନ କରୁଥିଲେ । ରବିବାର ଜଣେ ଫାଇନାନ୍ସ କର୍ମଚାରୀ ଅପହରଣକାରୀଙ୍କ ଠାରୁ ଖସି ଆସି ଚିକିଟି ତହସିଲଦାରଙ୍କୁ ଜଣାଇଥିଲେ । ସେ ପୋଲିସକୁ ତୁରନ୍ତ ଖବର ଦେଇଥିଲେ । ଚିକିଟି ପୋଲିସ ସୋମବାର ବନ୍ଧକ ଥିବା ଆଉ ୩ ଫାଇନାନ୍ସ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । ସେହିପରି ସାପକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ବାସ୍ତବରେ ଲୋନ୍ ଦେବା ନା ଗଞ୍ଜେଇ କାରବାରକୁ ନେଇ ଏଭଳି କାଣ୍ଡ ହୋଇଛି ଅଧିକ ଛାନ୍ଭିନ୍ ଚଳାଇଛି ପୋଲିସ । ।