ଦରଭଙ୍ଗାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ୨ଟି ମାମଲା ରୁଜୁ, ବିନା ଅନୁମତିରେ ହଷ୍ଟେଲ୍ ଯାଇ କରିଥିଲେ ସଭା

Published By : Prameya-News7 Bureau | May 15, 2025 IST

ନୂଆଦିଲ୍ଲୀ: ବିନା ଅନୁମତିରେ ଦରଭଙ୍ଗାର ଆମ୍ୱେଦକର ଛାତ୍ରାବାସ ଯିବା ଓ ସଭା କରିବା ରାହୁଲ ଗାନ୍ଧୀଙ୍କୁ ମହଙ୍ଗା ପଡ଼ିଛି । ଜିଲ୍ଲା ପ୍ରଶାସନ କଂଗ୍ରେସ ସାଂସଦଙ୍କ ବିରୋଧରେ ଦୁଇଟି ସରକାରୀ ମକୋଦ୍ଦମା ରୁଜୁ କରିଛି । ରାହୁଲଙ୍କ ସମେତ ୨୦ ଅନ୍ୟ ନେତା ଓ ୧୦୦ ଅଜ୍ଞାତ ଲୋକଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଆମ୍ୱେଦକର ଛାତ୍ରାବାସରେ ରାହୁଲଙ୍କ ଶିକ୍ଷା ସମ୍ୱାଦ କାର୍ଯ୍ୟକ୍ରମ ପାଇଁ କଂଗ୍ରେସ ଅନୁମତି ଲୋଡ଼ିଥିଲା, କିନ୍ତୁ ପ୍ରଶାସନ ଏଥିପାଇଁ ମଞ୍ଜୁରି ଦେଇନଥିଲା । ପ୍ରଶାସନ ଏହି ସଭାକୁ ଟାଉନ୍ ହଲ୍‌ରେ କରିବା ପାଇଁ ଅନୁମତି ଦେଇଥିଲା, କିନ୍ତୁ ରାହୁଲ ଗାନ୍ଧୀ ଟାଉନ୍ ହଲ୍ ଯିବା ପରିବର୍ତ୍ତେ ହଷ୍ଟେଲ୍ ଯାଇଥିଲେ । ପ୍ରଶାସନ ତାଙ୍କ ଗାଡ଼ି ଅଟାଇବା ପରେ ସେ ୨ କିଲୋମିଟର ଚାଲି ଚାଲି ଯାଇ ହଷ୍ଟେଲ୍ ପହଞ୍ଚିଥିଲେ । ପରେ ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରିଥିଲେ ।

ଦରଭଙ୍ଗା ସଦର ଏସ୍‌ଡିଓ ବିକାଶ କୁମାର ଓ ସଦର ଏସ୍‌ଡିପିଓ ଅମିତ୍ କୁମାର ଗୁରୁବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜିଲ୍ଲା କଲ୍ୟାଣ ପଦାଧିକାରୀ ଆଲୋକ କୁମାରଙ୍କ ଆବେଦନ ଉପରେ ଗୋଟିଏ ମାମଲା ରୁଜୁ କରାଯାଇଛି । ଅନ୍ୟ ଏକ ମାମଲା ଆମ୍ୱେଦକର ଛାତ୍ରାବାସରେ ମାଜିଷ୍ଟ୍ରେଟ୍ ଡ୍ୟୁଟିରେ ଥିବା ଅଧିକାରୀଙ୍କ ଆବେଦନ ଉପରେ ହୋଇଛି । ଦୁଇ ଅଫିସର କହିଛନ୍ତି ଯେ ଜିଲ୍ଲା କଲ୍ୟାଣ ଅଧିକାରୀଙ୍କ ଅଭିଯୋଗ କ୍ରମେ ବିଏନ୍‌ଏସ୍‌ର ଧାରା ୧୬୩ (୧୪୪) ଉଲ୍ଲଂଘନ ଅଭିଯୋଗରେ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ମଦନ ମୋହନ ଝାଙ୍କ ସମେତ ୨୦ଙ୍କ ବିରେଧରେ ଏଫ୍‌ଆଇଆର୍ ରୁଜୁ କରାଯାଇଛି ।

ଦିଲ୍ଲୀ ଫେରିବା ପାଇଁ ପାଟଣା ବିମାନ ବନ୍ଦରରେ ପହଞ୍ଚିବା ପରେ ରାହୁଲ କହିଥିଲେ,ହେଷ୍ଟଲ୍ ଯିବା ପାଇଁ ରୋକା ଯାଉଥିଲା, କାରଣ ସେଠାରେ ସ୍ଥିତି ଅତି ଖରାପ ରହିଥିଲା । ସେପଟେ ଦରଭଙ୍ଗାରେ ରୁଜୁ ହୋଇଥିବା ଦୁଇ ମାମଲା ଉପରେ ରାହୁଲ କହିଥିଲେ ଯେ ତାଙ୍କ ଉପରେ ପୂର୍ବରୁ ୩୦-୩୨ ମାମଲା ରହିଛି । ଏ ସବୁ ମୋ ପାଇଁ ପଦକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.