ଆଦାନୀ ଗ୍ରୁପ୍‌ର ବଡ଼ ଘୋଷଣା, ଓଡ଼ିଶାରେ ଆଗାମୀ ୫ ବର୍ଷରେ ୨.୩ ଲକ୍ଷ କୋଟି ଟଙ୍କା ନିବେଶ କରିବ

Published By : Prameya-News7 Bureau | January 28, 2025 IST

ଭୁବନେଶ୍ୱର: ଓଡ଼ିଶାରେ ନିବେଶ ପାଇଁ ଆଦାନୀ ଗ୍ରୁପ୍ ବଡ଼ ଯୋଜନା ପ୍ରସ୍ତୁତ କରିଛି । ଆଗାମୀ ପାଞ୍ଚ ବର୍ଷରେ ଆଦାନୀ ଗ୍ରୁପ୍ ରାଜ୍ୟରେ ୨.୩ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ । ଏହି ନିବେଶ ଶକ୍ତି, ସିମେଣ୍ଟ, ଇଣ୍ଡଷ୍ଟ୍ରିଆଲ୍ ପାର୍କ, ଆଲୁମିନିୟମ୍ ଏବଂ ସିଟି ଗ୍ୟାସ୍ ଭଳି ପ୍ରକଳ୍ପରେ ଖର୍ଚ୍ଚ ହେବ ।

'ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫'ରେ ଆଦାନୀ ଗ୍ରୁପ୍ ଏହି ପୁଞ୍ଜି ନିବେଶ ନେଇ ଘୋଷଣା କରିଛି । ଆଦାନୀ ବନ୍ଦର ଏବଂ SEZ ଲିମିଟେଡ୍ (APSEZ) ପରିଚଳନା ନିର୍ଦ୍ଦେଶକ କରଣ ଆଦାନୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସାକ୍ଷାତ ସମୟରେ ପୁଞ୍ଜି ବିନିଯୋଗ ପାଇଁ ଏମଓୟୁ ସ୍ୱାକ୍ଷର କରିଛନ୍ତି ।

ଆଦାନୀ ଗ୍ରୁପ୍ କହିଛି, 'ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫'ରେ କୌଣସି ସମୂହ ଦ୍ୱାରା ଏହା ହେଉଛି ସବୁଠାରୁ ବଡ଼ ପୁଞ୍ଜି ବିନିଯୋଗ ଘୋଷଣା ।

ଲଞ୍ଚ୍ ହେଲା ୬ ପ୍ରକଳ୍ପ

ଆଦାନୀ ଟୋଟାଲ୍ ଗ୍ୟାସ୍ ଲିମିଟେଡ୍ (ଏଟିଜିଏଲ୍) ଓଡିଶାରେ ୬ଟି ପ୍ରକଳ୍ପ ଆରମ୍ଭ କରିଛି । ଏଥିରେ ଭୁବନେଶ୍ୱର ବିମାନ ବନ୍ଦରରେ ଇଭି ଚାର୍ଜିଂ ଷ୍ଟେସନ୍, ସିଟି ଗେଟ୍ ଷ୍ଟେସନ୍ ସହିତ ମଦର ଷ୍ଟେସନ୍ ପ୍ରୋଜେକ୍ଟ ସାମିଲ ରହିଛି । ଏହା ବ୍ୟତୀତ ଭଦ୍ରକରେ ଏଲ୍‌ଏନ୍‌ଜି ଏବଂ ମଲ୍ଟି ଫୁଏଲ୍ ହବ୍, ବାଲେଶ୍ୱରରେ ସିଏନଜି ଷ୍ଟେସନ, ଭଦ୍ରକରେ ଘରୋଇ ପାଇପରେ ରନ୍ଧନ ଗ୍ୟାସର ଶୁଭାରମ୍ଭ ଏବଂ ମୟୂରଭଞ୍ଜର ରାଇରଙ୍ଗପୁରରେ ପ୍ରଥମ ସିଏନଜି ଷ୍ଟେସନ ପ୍ରକଳ୍ପ ସାମିଲ ରହିଛି । ଏହି ପ୍ରକଳ୍ପଗୁଡିକ ଖୁବଶୀଘ୍ର ଜନସାଧାରଣଙ୍କ ପାଇଁ ଆରମ୍ଭ ହେବ ବୋଲି ଆଦାନୀ ଗ୍ରୁପ୍ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.