ଭୁବନେଶ୍ଵର: ବହୁନାଟକୀୟ ଘଟଣାକ୍ରମେ ଶେଷରେ ଗିରଫ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣାରେ ତାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଏଥିସହ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ୫ ଜଣ ବିଜେପି ନେତାଙ୍କୁ ପୋଲିସ ଗିରଫ କରିଥିଲା। ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଜଗନ୍ନାଥ ପ୍ରଧାନ ଡିସିପି କାର୍ଯ୍ୟାଳୟ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ଏଠାରେ ତାଙ୍କୁ ପୋଲିସ ଗିରଫ କରିଛି। ସ୍ଵାସ୍ଥ୍ୟ ଯାଞ୍ଚ ପାଇଁ କ୍ୟାପିଟାଲ୍ ହସ୍ପିଟାଲ ନିଆଯାଇଥିଲା। ଏହା ପରେ ଜଗନ୍ନାଥ ପ୍ରଧାନଙ୍କୁ କୋର୍ଟରେ ହାଜର କରାଯାଇଥିଲ।। ଜାମିନ ନାମଞ୍ଜୁର ପରେ ଜଗନ୍ନାଥଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଛି। ଜଗା ପ୍ରଧାନଙ୍କ ବିରୋଧରେ ୧୧ଟି ଦଫା ଲାଗିଛି। ଭାରତୀୟ ନ୍ୟାୟ ସଂହିତା(ବିଏନଏସ) ଦଫା ଗୁଡ଼ିକ ହେଲା ୩୩୩, ୧୩୨, ୧୨୧(୧), ୧୨୧(୨), ୩୫୧(୨) ୬୨, ୩୦୪, ୫୪, ୬୧(୨), ୧୮୯(୨), ୧୯୦/୩(୫)।
ଗିରଫ ପୂର୍ବରୁ ଜଗନ୍ନାଥ ପ୍ରଧାନ ଡିସିପି ଅଫିସରେ ଗଣମାଧ୍ୟମକୁ କହିଥିଲେ ଯେ, ଜୁନ ୩୦ ତାରିଖରେ ବିଏମସି ଅତିରିକ୍ତ କମିଶନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ମୁଁ ସର୍ବସାଧାରଣରେ ନିନ୍ଦା କରି ଆସିଛି। ଏମିତି ଘଟଣା ଗ୍ରହଣୀୟ ନୁହେଁ କି ଆଗକୁ ଘଟିବା ଉଚିତ୍ ନୁହେଁ। ଏହି ଘଟଣାରେ ମୋର କୌଣସି ସଂପୃକ୍ତି ନ ଥିବା ସତ୍ତ୍ବେ ବିଭିନ୍ନ ଦିଗରୁ ମୋତେ, ମୋ ଦଳ ଏବଂ ସରକାରଙ୍କୁ ବଦନାମ କରିବା ପାଇଁ ଯୋଜନାବଦ୍ଧ ଭାବେ ଉଦ୍ୟମ କରାଗଲା। ଓଏଏସ ସଂଘ ମଧ୍ୟ ଏହି ଯୋଜନାର ଶିକାର ହୋଇ ମୋ ଗିରଫଦାରୀ କରି ଆନ୍ଦୋଳନ କରି ଆସିଛି।
Also read: ୬୦ବର୍ଷର ରାଜନୈତିକ ଜୀବନ ମଧ୍ୟରେ ଏପରି ଘଟଣା କେବେ ବି ଦେଖିନି, ଦୃଢ଼ ନିନ୍ଦା କଲେ ସୁର ରାଉତରାୟ
ସେ ଏହା ମଧ୍ୟ କହିଥିଲେ ଏହି ଆନ୍ଦୋଳନ ଫଳରେ ବନ୍ୟାରେ ପ୍ରଭାବିତ ଲୋକେ ଓ ବନ୍ୟା କ୍ଷୟକ୍ଷତିର ଆକଳନ ପ୍ରଭାବିତ ହୋଇପାରେ। ବାହୁଡ଼ା ଯାତ୍ରା, ମହାପ୍ରଭୁଙ୍କ ସୁନା ବେଶ ମଧ୍ୟ ପ୍ରଭାବିତ ହୋଇପାରେ। ମୋ ଗିରଫଦାରୀ ଯଦି ଏହି ସମସ୍ୟାର ସମାଧାନ ତେବେ ମୁଁ ଉକ୍ତ ଘଟଣାରେ ତଦନ୍ତ ପ୍ରକ୍ରିୟାରେ ସବୁ ସହଯୋଗ କରିବାକୁ ଯାଉଛି।
ଏହା ପୂର୍ବରୁ ଆଜି ରାଜ୍ୟରେ ଓଏଏସ ସଂଘର ସମୂହ ଧର୍ମଘଟ ଜାରି ରହିଥିଲା । ଓଏଏସ ସଂଘର ସଭାପତି କହିଥିଲେ ଯେ, ଅତିରିକ୍ତ କମିଶନଙ୍କୁ ମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ନ କରିବା ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ । କିନ୍ତୁ ବନ୍ୟା ଅଞ୍ଚଳରେ ଆମ ଅଫିସର କାର୍ଯ୍ୟ କରୁଛନ୍ତି । ରଥଯାତ୍ରାରେ ପ୍ରାୟ ୧୦୦ ଅପିସର ମଧ୍ୟ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂରା ଭରସା ଅଛି, ନିଶ୍ଚିତ ଆକ୍ସନ ହେବ । ଆକ୍ସନ ହେବାର ଘଣ୍ଟାଏ ଭିତରେ ସମସ୍ତେ କାର୍ଯ୍ୟରେ ଯୋଗ ଦେବେ । ଯିଏ ଏସବୁ କାମ କରାଇଛି, ତାକୁ ଗିରଫ କରିବା ପାଇଁ ଆମର ଦାବି ରହିଛି । ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇ ଥିବାରୁ ସରକାରଙ୍କୁ ଧନ୍ୟବାଦ ।
ସୂଚନାଯୋଗ୍ୟ, ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ବିଏମସି କାର୍ଯ୍ୟାଳୟ ଭିତରେ ୫ରୁ ୬ ଦୁର୍ବୃତ୍ତ ମାଡ଼ମାରିବା ସହ ଘୋଷାଡ଼ି ଘୋଷାଡ଼ି ନେଉଥିବାର ବିଚଳିତ କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହି ଘଟଣାରେ କମିଶନରେଟ୍ ପୋଲିସ ୫ ଜଣଙ୍କୁ ଗିରଫ କରି ସାରିଥିଲା। ଜୁଲାଇ ୧ରେ ସଂଜୀବ ମିଶ୍ର ଓ ସଚିକାନ୍ତ ସ୍ବାଇଁ ନାମରେ ୨ ଜଣ ବ୍ୟକ୍ତି ଗିରଫ ହୋଇଥିଲେ। ପୁଲିସ ସୋମବାର ଦିନ ତିନିଜଣ ଅଭିଯୁକ୍ତ ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଥିଲା ପୋଲିସ। ସମସ୍ତ ଅଭିଯୁକ୍ତ ବିଜେପିର ହୋଇଥିବା ବେଳେ ଦଳ ସମସ୍ତଙ୍କୁ ପ୍ରାଥମିକ ସଦସ୍ୟରୁ ନିଲମ୍ବନ କରିଛି। ତେବେ ବିରୋଧୀ ଦଳ ବିଜେଡି ଓ ଓଏଏସ ସଂଘ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବି କରିଥିଲେ। ଶେଷରେ ଜଗନ୍ନାଥ ପ୍ରଧାନ ଆଜି ଗିରଫ ହୋଇଛନ୍ତି।