ଗଣପତିଙ୍କ ଅନନ୍ୟ ମନ୍ଦିର; ଚନ୍ଦନ କାଠରେ ନିର୍ମିତ ମୂର୍ତ୍ତି, ସିନ୍ଦୁର ଲେପରେ ହୁଅନ୍ତି ସଜେଇ

Published By : Prameya-News7 Bureau | September 09, 2024 IST

ନୂଆଦିଲ୍ଲୀ ୦୯।୦୯: ଗଣପତିଙ୍କ ଆଗମନରେ ସାରା ଦେଶ ଉତ୍ସବମୁଖର । ଘରେ ଘରେ ବିରାଜମାନ ହୋଇଛନ୍ତି ଅଗ୍ରପୂଜ୍ୟ । ଦେଶ ସାରା ଭିନ୍ନ ଭିନ୍ନ ବେଶରେ ସ୍ଥାପନ ହୋଇଛନ୍ତି ଗଜାନନ । କେଉଁଠି ଅଧିକ ଉଚ୍ଚତାର ମୂର୍ତ୍ତି ତ ଆଉ କେଉଁଠି ଇକୋ ଫ୍ରେଣ୍ଡଲି ଗଣେଷ ତିଆରି ହୋଇଛନ୍ତି । ଯାହା ବେଶ୍‌ ଚର୍ଚ୍ଚାର ପାଲଟିଛି କେନ୍ଦ୍ରବିନ୍ଦୁ । କିନ୍ତୁ ଦେଶରେ ଏପରି ଏକ ଗଣପତିଙ୍କ ମନ୍ଦିର ରହିଛି ଯାହା ଭକ୍ତଙ୍କୁ କରିଥାଏ ଚକିତ । 

ଜାଣି ଆଶ୍ଚର୍ଯ୍ୟ ହେବେ ମନ୍ଦିରରେ ଥିବା ଗଣପତିଙ୍କ ମୂର୍ତ୍ତି ଚନ୍ଦନ କାଠରେ ନିର୍ମିତ । କେବଳ ଏତିକି ନୁହେଁ ମୂର୍ତ୍ତିରେ ସିନ୍ଦୁର ଲେପ ମଧ୍ୟ ଲଗାଯାଏ । ତେବେ ସାରା ଦେଶରେ ଗଣେଷଙ୍କୁ ସିନ୍ଦୁର ଲଗାଯିବା ନୀତି ବହୁତ କମ ଦେଖିବାକୁ ମିଳିଥାଏ । ଏହାବ୍ୟତୀତ ମନ୍ଦିରଟିର ଅନ୍ୟ ଏକ ବିଶେଷତ୍ବ ହେଉଛି ଏହା ୨୬୧ ବର୍ଷ ପୁରୁଣା । ମନ୍ଦିରଟିର ସ୍ଥାପନା ମୋଗଲ ଯୁଗରେ ହୋଇଥିଲା । ଏହାକୁ ମରାଠା ସର୍ଦ୍ଧାର ମହାଦଜୀ ସିନ୍ଧିଆଙ୍କ ଦ୍ବାରା କରାଯାଇଥିଲା । 

ମନ୍ଦିରଟି ଉତ୍ତରପ୍ରଦେଶ  ଆଗ୍ରାର ଗୋକୁଳପୁରାରେ ରହିଛି । ମନ୍ଦିରଟି ଆଗ୍ରାର ସିଦ୍ଧି ବିନାୟକ ମନ୍ଦିର ଭାବେ ପରିଚିତ । ବିଶ୍ବାସ କରାଯାଏ କି ମନ୍ଦିରଟିର ସ୍ଥାପନା ୧୬୪୬ରେ ହୋଇଥିଲା । ଏହାପରେ ୧୭୬୦ ମସିହାରେ ଏହି ମନ୍ଦିରର ପୁନଃନିର୍ମାଣ କରିଥିଲେ ସରଦାର ମହାଦଜି ସିନ୍ଧେ । ସେହି ସମୟରେ ମନ୍ଦିରରେ ଏକ ଓସ୍ତଗଛ ମଧ୍ୟ ଲଗାଇଥିଲେ । 

ଯାହା ବର୍ତ୍ତମାନ ବି ମନ୍ଦିର ପ୍ରାଙ୍ଗଣରେ ରହିଛି । ଏହି ସମୟରେ ସେ ଗୋଆଲିୟରର ଶାସକ ରହିଥିଲେ । ସେ ଯେତେବେଳେ ବି ଆଗ୍ରା ଆସୁଥିଲେ ସେତେବେ ମନ୍ଦିରରେ ଗଣପତିଙ୍କର ପୂଜା ଅର୍ଚ୍ଚନା କରୁଥିଲେ । ଏହି ମନ୍ଦିରର ଇତିହାସ ମୋଗଲ ଏବଂ ଇଂରେଜଙ୍କ ସହ ଜଡିତ । ଅନେକ ଥର ଏହି ମନ୍ଦିରକୁ ଭାଙ୍ଗିବାକୁ ମୋଗଲ ମାନେ ଚେଷ୍ଠା କରିଥିଲେ । କିନ୍ତୁ ସମୟ ସହିତ ଏହି ମନ୍ଦିର ଏବେବି ରହିଛି । 

ସମୟ ସହିତ ଏହି ମନ୍ଦିର ସିଦ୍ଧ ବିନାୟକ ନାଁରେ ହୋଇଥିଲା ପ୍ରସିଦ୍ଧ । ସ୍ଥାନୀୟ ଲୋକଙ୍କ ଅନୁଯାୟୀ ମନ୍ଦିରରେ ମହାଦଜି ସିନ୍ଧିଆ ଗଣେଶ ଚତୁର୍ଥୀରେ ଧୁମ୍‌ଧାମ୍‌ର ଗଣପତିଙ୍କ ଶୋଭାଯାତ୍ରା ଆରମ୍ଭ କରିଥିଲେ । ବର୍ତ୍ତମାନ ମନ୍ଦିରରେ ଥିବା ଗଣେଷଙ୍କ ପ୍ରତିମୂର୍ତ୍ତି ୧୦୦ ବର୍ଷରୁ ପୁରୁଣା । ଯାହା ଚନ୍ଦନ କାଠର ସିଂହାସନ ଉପରେ ବିରାଜମାନ । 

ଭଗବାନ ଗଣେଶଙ୍କୁ ଚନ୍ଦନ କାଠରେ ନିର୍ମିତ ପାଲିଙ୍କିରେ ସହର ପରି ଭ୍ରମଣରେ ନିଆଯାଏ । ୫୬ ପ୍ରକାରର ଭୋଗ ଲଗାଯାଇଥାଏ ଗଣପତିଙ୍କୁ ।  ଏହାବ୍ୟତୀତ ୧୦ ଦିନ ଯାଏଁ ଭିନ୍ନ-ଭିନ୍ନ ପ୍ରକାରର ରୀତିନୀତି ହୋଇଥାଏ । ଏହି ମନ୍ଦିର ଭକ୍ତଙ୍କ ପାଇଁ ବହୁତ ଖାସ୍‌ ହୋଇଥାଏ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.