ନୂଆଦିଲ୍ଲୀ ୧୯।୦୧: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ । ସାଧୁ, ସନ୍ନ୍ୟାସୀଙ୍କ ସହିତ ହଜାର ହଜାର ଶ୍ରଦ୍ଧାଳୁ ବି ଯୋଗ ଦେଇଛନ୍ତି । କିନ୍ତୁ ଜଣେ ବ୍ୟକ୍ତି ୧୦ ହଜାର କିଲୋମିଟର ଚାଲି ଚାଲି ଆସି କୁମ୍ଭରେ ପହଞ୍ଚିଛନ୍ତି । ଏଥିପାଇଁ ତାଙ୍କୁ ୧୧ ମାସ ୨୭ ଦିନ ସମୟ ଲାଗିଛି । ତେବେ ମହାକୁମ୍ଭରେ ୫ ଦିନ ବୁଲିବା ପରେ ସେ ପୁନେ ଅଭିମୁଖେ ବାହାରିବେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅକ୍ଷତ । ସେ ବିହାର ବୈଶାଳୀ ଜିଲ୍ଲୀର ପଟେରୀ ବେଲସର ଗାଁର ବାସିନ୍ଦା ।
ଭାରତର ବିବିଧତାକୁ ଅନୁଭବ କରିବା ପାଇଁ ସେ ଚାଲି ଚାଲି ଆସିବାକୁ ସ୍ଥିର କରିଥିଲେ । ଖାସ୍ ଭାରତ ଭ୍ରମଣ ଲାଗି ସରକାରୀ ଚାକିରି ଛାଡ଼ିଥିଲେ । ତାଙ୍କର ଏହି ନିଷ୍ପତ୍ତିକୁ ପ୍ରଥମେ ପିତାମାତା ବିରୋଧ କରୁଥିଲେ ବି ପରେ ଅନୁମତି ଦେଇଥିଲେ । ଯାତ୍ରା ଆରମ୍ଭ ସମୟରେ ପ୍ରଥମେ ବାବା ବୈଦନାଥଙ୍କ ଦର୍ଶନ କରିଥିଲେ । ଏହାପରେ ନାଗେଶ୍ୱର, ସୋମନାଥ, ଓଁକାରେଶ୍ୱର, ମହାକାଳେଶ୍ୱର, ତ୍ରୟମ୍ବକେଶ୍ୱର ସହିତ ପୁରୀ ଓ ଦ୍ୱାରକା ଯାଇଥିଲେ ।
ଅକ୍ଷତଙ୍କ କହିବା ଅନୁସାରେ, ସକାଳ ୮ଟାରୁ ସେ ଯାତ୍ରା ଆରମ୍ଭ କରନ୍ତି । ଶୀତଦିନରେ ଅପରାହ୍ନ ୪ଟା ଯାଏ ଓ ଖରାଦିନରେ ସନ୍ଧ୍ୟା ୬ଟା ଯାଏ ଚାଲିଥାନ୍ତି । ମନ୍ଦିର ଓ ଧର୍ମଶାଳାରେ ରାତ୍ରି ବିତାଇବା ପରେ ନିଜର ପରବର୍ତ୍ତୀ ଗନ୍ତବ୍ୟସ୍ଥଳକୁ ବାହାରନ୍ତି । ପ୍ରତିଦିନ ୩୫ କିମି ଚାଲିବାକୁ ତାଙ୍କର ଲକ୍ଷ୍ୟ ରହେ । କେଉଁଦିନ ସେ ଏହାଠାରୁ ଅଧିକ ତ କେଉଁଦିନ କମ୍ ଚାଲିଥାନ୍ତି । ମହାକୁମ୍ଭରେ ମକର ସଂକ୍ରାନ୍ତିରେ ଶାହୀ ସ୍ନାନ କରିବାକୁ ତାଙ୍କର ଇଚ୍ଛା ଥିଲା । ସେଥିଲାଗି ପ୍ରତିଦିନ ୧୮ କିମିରୁ ଅଧିକ ଚାଲିଥିଲେ ।
ସଂକ୍ରାନ୍ତି ଦିନ ରାତିରେ ମହାକୁମ୍ଭରେ ପହଞ୍ଚିବା ପରେ ଗଙ୍ଗା ସ୍ନାନ କରିଥିଲେ । ମହାକୁମ୍ଭ ଭ୍ରମଣ ପରେ ସେ ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ ଯାତ୍ରା ଲାଗି ବାହାରିବେ । ଅଦ୍ୟାବଧି ସେ ୨ଟି ଧାମ ଓ ୬ଟି ଜ୍ୟୋତିର୍ଲିଙ୍ଗ ଦର୍ଶନ କରିସାରିଛନ୍ତି । ଆଉ ୨ଟି ଧାମ ଓ ୬ଟି ଜ୍ୟୋତିର୍ଲିଙ୍ଗ ଦର୍ଶନ ବାକି ରହିଛି । ଏହିସହିତ ଅମରନାଥ, ପଶୁପତିନାଥ ଓ ମାତା ବୈଷ୍ଣୋଦେବୀଙ୍କ ଯାତ୍ରା କରିବାକୁ ତାଙ୍କର ଇଚ୍ଛା ରହିଛି । ସେଥିଲାଗି ତାଙ୍କୁ ପ୍ରାୟ ଦେଢ଼ ବର୍ଷ ସମୟ ଲାଗିବ ବୋଲି ସେ ଆକଳନ କରିଛନ୍ତି ।