ନୂଆଦିଲ୍ଲୀ ୧୯/୧: ଆଇଆଇଟିରେ ଆଡମିଶନ ହୋଇଯିବା ବେଶ ଗର୍ବର କଥା । ଯଦି କୌଣସି ପିଲାର ଆଇଆଇଟିରେ ଆଡମିଶନ ହୋଇଯାଉଛି ସେ କେବଳ ପରିବାରର ନୁହେଁ ପୁରା ଅଞ୍ଚଳରେ ତା ନାଁ ହୋଇଯାଏ। ଆଇଆଇଟିରେ ୪ ବର୍ଷ ପଢିବା ପରେ ଚାକିରିର ଅଭାବ ରୁହେନି । ଆଉ ଯଦି ବିଟେକ ପରେ ଏମଟେକ ଡିଗ୍ରୀ ହାତକୁ ଆସିଯାଏ ଦରମା କୋଟିଏରେ ପହଞ୍ଚି ଯାଏ । ଅନେକ ଆଇଆଇଟି ଡିଗ୍ରୀଧାରୀଙ୍କୁ ବିଦେଶରେ ବଡ ବଡ କଂପାନୀରୁ ଡକରା ଆସେ । ଟିକେ ଭାବନ୍ତୁ ଯେତେବେଳେ ଏମାନେ କୋଟି କୋଟି ଟଙ୍କାର ଚାକିରିକୁ ପଛରେ ପକାଇ ଧର୍ମମାର୍ଗରେ ଚାଲିଆସନ୍ତି କଣ ହେବ । ପ୍ରଥମେ ଆପଣ ଭାବିବେ ନିଶ୍ଚୟ ଏମାନଙ୍କ ମନରେ ଆଉ କଣ ଅଛି । ଏଥିପାଇଁ ତ ଏତେ ଟଙ୍କାର ଚାକିରି ଛାଡି ପଳାଇ ଆସିଛନ୍ତି । ହେଲେ ଯେତେବେଳେ ଏହି ବ୍ୟକ୍ତିତ୍ବ ମାନଙ୍କ ବିଷୟରେ ଭଲରେ ଜାଣିବେ ଆପଣ ବି ଏମାନଙ୍କ ଫ୍ୟାନ ହୋଇଯିବେ । ଆଜି ଏମିତି ୯ଟି ଧ୍ରୁବତାରା ବିଷୟରେ ଜାଣିବେ ଯେଉଁମାନେ ଆଇଆଇଟିରେ ଗ୍ରାଜୁଏଟ କରିଛନ୍ତି କିନ୍ତୁ ଆଧ୍ୟାତ୍ମିକତା ପାଇଁ ଛାଡିଦେଇଛନ୍ତି ବିଜ୍ଞାନ । ।
ଅଭୟ ସିଂ । ବୟସ ମାତ୍ର ୩୦ ବର୍ଷ । ଆଧ୍ୟାତ୍ମିକତା ପାଇଁ ବିଜ୍ଞାନ ଛାଡିଥିବା ଏହି ବାବାଙ୍କ ଶିକ୍ଷାଗତ ଯୋଗ୍ୟତା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ ।ସେ ଆଇଆଇଟି ମୁମ୍ବାଇରୁ ଏରୋସ୍ପେଶ ଇଞ୍ଜିନିୟରିଂ କରିଛନ୍ତି । ଏହା ସହ ସେ ଡିଜାଇନିଂରେ ମାଷ୍ଟର ଡିଗ୍ରୀ ବି କରିଛନ୍ତି । କାନାଡାରେ ଲକ୍ଷ ଲକ୍ଷ ଟଙ୍କାର ଚାକିରି ବି କରୁଥିଲେ । ହେଲେ ଅଚାନକ ୩ ବର୍ଷ ହେଲା ସାଧୁ ହୋଇଯାଇଛନ୍ତି । ଏଥର ମହାକୁମ୍ଭରେ ସେ ଆକର୍ଷଣର କେନ୍ଦ୍ର ବିନ୍ଦୁ । ଏବେ ସେ ଭଗବାନ ଶିବଙ୍କ ଭକ୍ତ ଅଛନ୍ତି ଆଉ ତାଙ୍କର ଆହୁରି ନିକଟତର ହେବାକୁ କଠିନ ସାଧନାରେ ବ୍ୟସ୍ତ ରହୁଛନ୍ତି ।
ଆଉ ଜଣେ IITIAN ବାବା ଅଭିରାଲ ଜୈନ। ଆଇଆଇଟି ବିଏଚ୍ୟୁରୁ କଂପ୍ୟୁଟର ସାଇନ୍ସରେ ଗ୍ରାଜୁଏଟ୍ ହାସଲ କରିଛନ୍ତି । ଆମେରିକାରେ ୱାଲମାର୍ଟ କଂପାନୀରେ କୋଟି କୋଟି ଟଙ୍କାର ଚାକିରି କରୁଥିଲେ । ହେଲେ ୨୦୧୯ରେ ଅଚାନକ ସେ ଚାକିରି ଛାଡିଦେଇଥିଲେ । ଯାହା ଅନେକକୁ ଚକିତ କରିଥିଲା । ଏହା ପରେ ସେ ଜୈନ ଧର୍ମ ଗ୍ରହଣ କରି ହୋଇଯାଇଥିଲେ ଜୈନ ମୁନି । ସେ ବିଶୁଦ୍ଧ ସାଗର ମହାରାଜଙ୍କ ଶିଷ୍ୟ ଅଟନ୍ତି । ଏବେ ସେ ପରମ ଜ୍ଞାନର ପ୍ରାପ୍ତି ପାଇଁ କଠିନ ସାଧନା କରୁଛନ୍ତି ।
ମୁମ୍ବାଇ ଆଇଆଇଟିରୁ କେମିକାଲ ଇଞ୍ଜିନିୟରିଂରେ ଗ୍ରାଜୁଏଟ କରିଥିବା ସଂକେତ ପାରେଖ । ପାଠ ପଢା ପରେ ଆମେରିକାର ଏକ ପ୍ରତିଷ୍ଠିତ କଂପାନୀରେ କେମିକାଲ ଇଞିନିୟର ଭାବରେ କମାଉଥିଲେ ଲକ୍ଷ ଲକ୍ଷ ଟଙ୍କା । ହେଲେ କଣ ହେଲା କେଜାଣି ପୂର୍ବରୁ କେବେ ଧର୍ମକୁ ବିଶ୍ବାସ କରୁନଥିବା ସଂକେତ ହଠାତ ଧାର୍ମିକ ଲାଇନରେ ଯିବାରୁ ମନ କରିଥିଲେ । ପରିବାର ଲୋକ ବହୁତ ବୁଝାଇଥିଲେ ହେଲେ ତାଙ୍କର ଆକଟ,ରାଗ,କାନ୍ଦ ସଂକେତଙ୍କ ଉପରେ କିଛି ପ୍ରଭାବ ପକାଇ ପାରିନଥିଲା । ୨ ବର୍ଷ ଧରି ଆଚାର୍ଯ୍ୟ ୟୁଗ ଭୂଶଣ ପୁରୀଙ୍କ ନେତୃତ୍ବରେ ସାଧନା କରିଥିଲେ । ଆଉ ଏବେ ପୁରା ଭକ୍ତି ମାର୍ଗରେ ଲୀନ ହୋଇ ହୋଇଯାଇଛନ୍ତି ଜୈନ ମୁନି ।
ଆଚାର୍ଯ୍ୟ ପ୍ରଶାନ୍ତଙ୍କୁ ଅନେକ ଲୋକ ଜାଣିଥିବେ । ସୋସିଆଲ ମିଡିଆରେ ପ୍ରଭାବଶାଳୀ ଓ ଜଣାଶୁଣା ଗୁରୁ ହେଉଛନ୍ତି ପ୍ରଶାନ୍ତ । ସେ ଦିଲ୍ଲୀ ଆଇଆଇଟିରୁ ଗ୍ରାଜୁଏଟ କରିଛନ୍ତି । କେବଳ ଏତିକି ନୁହେଁ ତାଙ୍କ ପାଖରେ ଦୁନିଆର ପ୍ରତିଷ୍ଠିତ ସଂସ୍ଥା ଆଇଆଇଏମ୍ ଅହମ୍ମଦାବାଦରୁ ଏମବିଏ ଡିଗ୍ରୀ ମଧ୍ୟ ରହିଛି । ଏହି କଥା ଜାଣି ଆଶ୍ଚର୍ଯ୍ୟ ହେବେ କି ଆଇଆଇଟି ଓ ଆଇଆଇଏମ୍ ପରେ ହୋଇଯାଇଥିଲେ ଆଇଏଏସ୍ ଅଧିକାରୀ । ହେଲେ କିଛି ସମୟ ଭିତରେ ତାଙ୍କର ମୋହ ଭଙ୍ଗ ହୋଇଯାଇଥିଲା । ଆଉ ସନ୍ୟାସ ହେବାକୁ ଯେମିତି ଶପଥ ନେଇଯାଇଥିଲେ । ଆଜି ଆଚାର୍ଯ୍ୟ ପ୍ରଶାନ୍ତ ନିଜର ପ୍ରବଚନ ଓ ଧର୍ମ ପୁସ୍ତକ ମାଧ୍ୟମରେ ଦୁନିଆକୁ ଜାଗ୍ରତ କରାଉଛନ୍ତି ।
ମହାନ ଏମ୍ଜେ ଏବେ ସ୍ବାମୀ ବିଦ୍ୟାନାଥ ନନ୍ଦା ନାମରେ ପ୍ରସିଦ୍ଧ । ଏହା ପୂର୍ବରୁ ସେ ଆଇଆଇଟି କାନପୁରରୁ ଗ୍ରାଜୁଏଟ ଓ କାଲିଫର୍ଣ୍ଣିଆ ୟୁନିଭରସିଟିରୁ ମ୍ୟାଥମେଟିକ୍ସରେ ପିଏଚଡି ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ହେଲେ ବସ୍ତୁବାଦୀ ଦୁନିଆ ତାଙ୍କ ମନକୁ ଶାନ୍ତ କରିପାରିନଥିଲା । ସେ ଆଧ୍ୟାତ୍ମିକ ଜଗତ ଆଡକୁ ଢଳିଥିଲେ । ୨୦୦୮ରେ ସେ ସାଂସାରିକ ମୋହ ମାୟା ଛାଡି ରାମକୃଷ୍ଣ ମଠ ସହ ଯୋଡି ହୋଇୟାଇଥିଲେ । ଏବେ ଅଧ୍ୟୟନ ଦ୍ବାରା ସେ ଲୋକଙ୍କୁ ଜୀବନ ବିଷୟରେ ଜ୍ଞାନ ବାଣ୍ଟୁଛନ୍ତି ।
ଲକ୍ଷ ଲକ୍ଷ ଟଙ୍କାର ଚାକିରି ଛାଡି ସନ୍ୟାସ ହୋଇଯାଇଥିବା ଆଉ ଜଣେ ହେଉଛନ୍ତି ଗୌରାଙ୍ଗ ଦାସ । ଆଇଆଇଟି ମୁମ୍ବାଇରୁ କେମିକାଲରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଗୌରାଙ୍ଗ ଚାକିରି କରିବାର କିଛି ଦିନ ପରେ ଛାଡିଦେଇଥିଲେ । ଆଉ ଇସ୍କନ ସହ ଯୋଡି ହୋଇ ଯାଇଥିଲେ । ଆଉ ଏବେ ସେ ଦେଶର ଜଣେ ମୋଟିଭେସନାଲ ସ୍ପିକର ଭାବରେ ବେଶ ଜଣାଶୁଣା ।
ସ୍ବାମୀ ମୁକୁନ୍ଦାନନ୍ଦ । ଆଇଆଇଟି ଦିଲ୍ଲୀରୁ ସ୍ନାତକ ଓ ବିଜନେସ ଡିଗ୍ରୀଧାରୀ । ଆଧ୍ୟାତ୍ମିକ ପ୍ରେମରେ ପଡି ଛାଡିଦେଇଥିଲେ କର୍ପୋରେଟ ଚାକିରି । ଆଉ ନିର୍ମାଣ କରିଥିଲେ ଆଶ୍ରମ । ଆଉ ଏବେ ନିଜର ସଂଗଠନ ମାଧ୍ୟମରେ ଅନ୍ୟମାନଙ୍କୁ ଆଧ୍ୟାତ୍ମିକ ଯାତ୍ରା ଉପରେ ମାର୍ଗଦର୍ଶନ କରାଉଛନ୍ତି । ଯୋଗ, ମେଡିଟେସନ,ଓ ବଞ୍ଚିବାର ଦୃଷ୍ଟିକୋଣ ଶିଖାଉଛନ୍ତି ।
କୋଟି କୋଟି ଟଙ୍କାର ଚାକିରି ଛାଡି ସନ୍ୟାସ ଜୀବନ ଆପଣାଇଥିବା ଆଉ ଜଣେ ଇଞ୍ଜିନିୟର ହେଉଛନ୍ତି ରସନାଥ ଦାସ । ସେ ଆଇଆଇଟି ଦିଲ୍ଲୀରୁ କଂପ୍ୟୁଟର ସାଇନ୍ସରେ ଗ୍ରାଜୁଏଟ । ଆମେରିକାର ୟୁନିଭରସିଟିରୁ ଏମବିଏ ବି ପଢିଛନ୍ତି । ଏହା ପରେ କିଛି ଦିନ ସେ ଉଚ୍ଚ ଦରମାରେ ଚାକିରି ବି କରୁଥିଲେ । ହେଲେ ଅଚାନକ ତାଙ୍କ ମନ ବଦଳି ଯାଇଥିଲା । ଚାକିରି ଛାଡି ଇସ୍କନ ସହ ଯୋଡି ହୋଇଯାଇଥିଲେ । ଆଉ ଆଧ୍ୟାତ୍ମିକ ମାର୍ଗରେ ଆସିଯାଇଥିଲେ । ଆଉ ନିଜର ଏକ ସଂସ୍ଥା କରିଥିଲେ । ଯେଉଁଠି ଲୋକଙ୍କୁ ଆଧ୍ୟାତ୍ମିକ ମାର୍ଗରେ ଯିବାକୁ ଶିକ୍ଷା ଦିଆଯାଉଛି ।
ସନ୍ଦିପ କୁମାର ଭଟ୍ଟ । ଆଇଆଇଟି ଦିଲ୍ଲୀରୁ ଇଞ୍ଜିନିୟରିଂ କରିଛନ୍ତି । ୨୦୦୨ରେ ସେ ପାଇଥିଲେ ଗୋଲ୍ଡ ମେଡାଲ । ଏମଟେକ ପରେ ଲକ୍ଷାଧିକ ଟଙ୍କାର ଚାକିରି ବି କରିଥିଲେ । ହେଲେ ହଠାତ ମାତ୍ର ୨୮ ବର୍ଷ ବୟସରେ ସନ୍ୟାସର ରାସ୍ତା ବାଛିନେଇଥିଲେ । କେବଳ ଏତିକି ନୁହେଁ ସନ୍ୟାସ ହେବା ପରେ ନିଜ ନାଁ ବଦଳାଇ ଦେଇଥିଲେ ଆଉ ରଖିଥିଲେ ସ୍ବାମୀ ସୁନ୍ଦର ଗୋପାଳ ଦାସ ।
ସବୁଠୁ ନିଆରା ଚଳିତ ବର୍ଷର ମହାକୁମ୍ଭ ମେଳା । କାହିଁକି ନା ସୋସିଆଲ ମିଡିଆ ଓ ଇଣ୍ଟରନେଟରେ ଲଗାତାର ଟ୍ରେଣ୍ଡ କରୁଛି । ଏଥର ଦୀର୍ଘ ୧୪୪ ବର୍ଷ ପରେ ପୂର୍ଣ୍ଣ ମହାକୁମ୍ଭ ପାଳିତ ହେଉଥିବାରୁ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି ।