ନୂଆଦିଲ୍ଲୀ: ଫେବ୍ରୁଆରୀ ୧୪ ତାରିଖରେ ବାହାଘର ହୋଇଥାନ୍ତା। ଆୟୋଜନ ନେଇ ସମସ୍ତେ ବ୍ୟସ୍ତ ଥିଲେ। ବାଜାବାଲା, ବାଣବାଲା ଓ ଲାଇଟବାଲା ସମସ୍ତଙ୍କୁ ବଇନା ବି ଦିଆ ସରିଥିଲେ। ବାହା ହେବେ ବୋଲି ଘର ପରିବାର ଓ ବନ୍ଧୁ ବର୍ଗଙ୍କୁ ବିବାହ କାର୍ଡ ବାଣ୍ଟୁଥିଲେ। ଖୁସୀରେ ବନ୍ଧୁଙ୍କୁ ବିବାହ କାର୍ଡ ବାଣ୍ଟି ଫେରିଲା ବେଳକୁ ହଠାତ୍ କାର୍ ଲାଗିଲା ନିଆଁ।
ନିଆଁ କବଳରୁ ବାହାରକୁ ଆସିବା ପାଇଁ ଅନେକ ଚେଷ୍ଟା କଲେ, ଛାଟିପିଟି ହେଲେ। ଚାହୁଁ ଚାହୁଁ ତୀବ୍ର ନିଆଁରେ କାର୍ ଭିତରେ ଥାଇ ଜୀବନ୍ତ ଦଗ୍ଧ ହୋଇଗଲା ବରପାତ୍ର। ଏଭଳି ଦୁଃଖଦ ଘଟଣା ଘଟିଛି ଦିଲ୍ଲୀ ଗାଜିପୁର ଅଞ୍ଚଳରେ।
ପୁଲିସର ସୂଚନା ଅନୁସାରେ ଗ୍ରେଟର ନୋଏଡ଼ାର ନୱାଡ଼ାର ଯୁବକ ଅନୀଲ ନିଜ ୱାଗନର କାର୍ରେ ଫେରୁଥିବା ବେଳେ ଶନିବାର ରାତିରେ ବାବା ବାଙ୍କୁଏଟ ହଲ ନିକଟରେ କାର୍ଟି ଜଳି ଯାଇଥିଲା। ତେବେ କାର୍ରେ କେମିତି ନିଆଁ ଲାଗିଲା ତା’ର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ବିଶେଷ କରି ଡ୍ରାଇଭର ସାଇଟ୍ରୁ ନିଆଁ ଲାଗିଥିଲା। କାର୍ଟି ସମ୍ପୂର୍ଣ୍ଣ ଜଳି ଯାଇଛି।
ଘଟଣା ଅନୁସାରେ, ଅନୀଲ ସନ୍ଧ୍ୟା ପର୍ଯ୍ଯନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇ ପଡ଼ିଥିଲେ। ହେଲେ ବିଳମ୍ବିତ ରାତିରେ ଗାଜିପୁର ପୁଲିସ ପରିବାର ଲୋକଙ୍କୁ କଲ୍ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲା। ଘଟଣା ପରେ ଅନୀଲଙ୍କ ବଡ଼ ଭାଇ କହିଛନ୍ତି ସାନ ଭାଇ ବାହାଘର ପ୍ରସ୍ତୁତ କରୁଥିଲୁ ଏବେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ହେଉଛି।
ଘଟଣା ପରେ ଗାଜିପୁର ପୁଲିସ ଅନୀଲଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କାର୍ରେ ନିଆଁ କେମିତି ଲାଗିଲା ? ଏଥିରେ କାହାର ହାତ ଅଛି କି ନାହିଁ ଆଦି ବିଭିନ୍ନ ଘଟଣାକୁ ସନ୍ଦେହରେ ରଖି ଗାଜିପୁର ପୁଲିସ ତଦନ୍ତ ଜାରି ରଖିଛି।