ପ୍ରୟାଗରାଜ ୧୯।୧: କୁମ୍ଭମେଳାର ସପ୍ତମ ଦିନ ରବିବାର ଅପରାହ୍ନ ପାଖାପାଖି ୪ଟା ବେଳେ ସେକ୍ଟର ୧୯ସ୍ଥିତ ଗିତାପ୍ରେସ୍ ଶିବିରରେ ନିଆଁ ଲାଗି ବ୍ୟାପିଯାଇଛି। ଫଳରେ ନଡାକୁଟାରେ ତିଆରି କଳ୍ପବାସୀଙ୍କ ଶତାଧିକ କଟେଜ ଜଳି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ କଳ୍ପବାସୀଙ୍କ ସବୁ ସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡ ଯୋଗୁ ପାଖାପାଖି ୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଯାଇଥିବାର ଆକଳନ କରାଯାଉଛି।
ରବିବାର ମେଳାରେ ସ୍ନାନାର୍ଥୀଙ୍କ ଭିଡ ଯୋଗୁ ଦମକଳ ବିଭାଗ ଗାଡ଼ିଗୁଡିକ ଜାମରେ ଫଶିଯାଇଥିଲେ। ଏଣୁ ଅଗ୍ନିକାଣ୍ଡ ସ୍ଥଳକୁ ଦମକଳ ପହଞ୍ଚିବା ବେଳେକୁ ନିଆଁ ବିକରାଳ ରୂପ ନେଇସାରିଥିଲା। ମେଳା କ୍ଷେତ୍ରର ସେକ୍ଟର ୧୯ ରେଳ ପୋଲ ତଳେ ଗଙ୍ଗା କୂଳରେ ଗିତା ପ୍ରେସର ଶିବିର ହୋଇଥିଲା। ଏଠାରେ ଥିବା ପାଖାପାଖି ୧୦୦ କଟେଜରେ କଳ୍ପବାସୀ ଅବସ୍ଥାନ କରୁଥିଲେ। ଗିତା ପ୍ରେସ ଶିବିରରେ ରୋଷେଇ ବେଳେ ଏକ ଗ୍ୟାସ୍ ସିଲିଣ୍ଡରରୁ ଲିକ୍ ହୋଇ ପ୍ରଥମେ ନିଆଁ ଧରିଥିଲା ଦେଖୁଦେଖୁ ସମ୍ପୂର୍ଣ୍ଣ ଶିବିର ଜଳିବାକୁ ଲାଗିବା ସହ ଆଖପାଖ କଟେଜକୁ ବ୍ୟାପିଥିଲା।
ଏଥିରେ ନିର୍ମଳ ଆଶ୍ରମ ପ୍ରୟାଗରାଜ, ବିବେକାନନ୍ଦ ସେବା ସମିତି ଶିବିର ନିଆଁ ଘେରରେ ଫଶିଯାଇଥିଲା। ଏଣୁ ଏଠାରେ ଥିବା ଶ୍ରଦ୍ଧାଳୁମାନେ ପ୍ରଥମେ କଟେଜରୁ ଗ୍ୟାସ୍ ସିଲିଣ୍ଡର ଖାଲି କରି ଦେଇଥିଲେ। ସେମାନେ ସିଲିଣ୍ଡକ ଉଠାଇ ତୁଳସୀ ମାର୍ଗକୁ ଫିଙ୍ଗିବାକୁ ଲାଗିଥିଲେ। ଘଟଣାସ୍ଥଳରେ ଭିଡ ଜମିବାରୁ ନାଗାସାଧୁମାନେ ହଟାଇବାକୁ ଚେଷ୍ଟା କରିଥିଲେ। ଦେଖୁ ଦେଖୁ ଗୋଟିଏ ପରେ ଗୋଟିଏ ୪୦ ଟି ଦମକଳ ଘଟଣାସ୍ଥଳକୁ ପହଞ୍ଚିଥିଲେ।
ଦମକଳ ବିଭାଗ କର୍ମଚାରୀଙ୍କ ସହ ବିଏସଏଫ, ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ନଡାକୁଟାରେ ତିଆରି କଟେଜରେ ରୋଷେଇ ନିଷିଦ୍ଧ ଥିଲା। ଏହି ସାମାନ୍ୟ ଅବହେଳାରୁ ଦେଖୁ ଦେଖୁ କୋଟିଏ ଟଙ୍କାର ସମ୍ପତ୍ତି ସ୍ୱାହା ହୋଇଗଲା। ଏଥିରେ ୧୦୦ରୁ ଅଧିକ କଟେଜ ଜଳିଯାଇଛି। ଅର୍ଥାତ ସିଧାଶଳଖ ୩୫ ଲକ୍ଷ ଟଙ୍କାର କଟେଜ ଜଳିପୋଡି ପାଉଁଶ ହୋଇଯାଇଛି। ଏଥିରେ ଟୟଲେଟ ଓ ସାଧାରଣ ଲୋକଙ୍କ ସମ୍ପତ୍ତିକୁ ମିଶାଇ ଦିଆଗଲେ କ୍ଷୟକ୍ଷତିର ପରିମାଣ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ।
ନିଆଁ ଲିଭିବା ପରେ ଅଗ୍ନିସମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳର ତଦନ୍ତ ଆରମ୍ଭ କରିଥିଲେ। ଏଥିରେ ଏକ କଟେଜରୁ ମିଳିଥିବା ବାକ୍ସ ଖୋଲି ଦେଖିବା ବେଳକୁ ଲକ୍ଷାଧିକ ଟଙ୍କା ମିଳିଛି। ତେବେ ସବୁ ଟଙ୍କା ଅଧା ପୋଡି ଯାଇଛି। ଅଧାପୋଡା ଟଙ୍କାକୁ ପୋଲିସ ଜବତ କରିଛି। କୁମ୍ଭରେ ଅଗ୍ନିକାଣ୍ଡ ଖବର ପାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।