ପୁରୀ: ନବୀନ ପଟ୍ଟନାୟକ ପୁରୀକୁ ବିଶ୍ୱ ସହ ଯୋଡିବାକୁ ସ୍ୱପ୍ନ ଦେଖିଥିଲେ। ୨୦୨୧ ମସିହାରେ ପୁରୀରେ ବିମାନ ବନ୍ଦର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫଳରେ ୨୫୧ ଏକର ଜାଗା ଅଧିଗ୍ରହଣ କରାଯାଇଥିଲା। ପୁରୀର ଉନ୍ନତି ପାଇଁ ନବୀନ ବାବୁ ଆନ୍ତର୍ଜାତୀୟ ବିମାନ ବନ୍ଦରର କରିବାକୁ ଚେଷ୍ଟା କରିଥିଲେ। କାରଣ ବିମାନ ବନ୍ଦର ହେଲେ ଅନେକ ଲୋକ ପୁରୀକୁ ଆସିବେ। ମଙ୍ଗଳାର ଏହା କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ।
ସେ କହିଛନ୍ତି ନବୀନ ପଟ୍ଟନାୟକ ବଡ଼ ଦାଣ୍ଡ ଛଡା ଶ୍ରୀଦାଣ୍ଡ ନିର୍ମାଣ କରିଥିଲେ। ପୁରୀକୁ ଏକ ନମ୍ବର କରିବାକୁ ଚେଷ୍ଟା କରିଥିଲେ। ଶ୍ରୀକ୍ଷେତ୍ରର ବିକାଶକୁ ନବୀନ ପଟ୍ଟନାୟକ ଆଗକୁ ନେଇଛନ୍ତି। ପୁରୀରେ ବିମାନ ବନ୍ଦର ପାଇଁ ଆମେ ସାଂସଦରେ ବାରମ୍ବାର ଦାବି କରି ଆସିଥିଲୁ। ତେଣୁ ବିମାନ ବନ୍ଦର ହେବାର ସବୁ ଶ୍ରେୟ ନବୀନ ପଟ୍ଟନାୟକଙ୍କର। ଧାର୍ମିକ ଜିନିଷରେ ରାଜନୈତିକ ବିବାଦ ପଶିବା ଉଚିତ ନୁହେଁ। ଚାରି ଧାମରରୁ ଗୋଟିଏ ଧାମ ପୁରୀ। ତେଣୁ ପଞ୍ଚମ ଧାମର ପ୍ରଶ୍ନ ଉଠୁନାହିଁ। ଫଳରେ ଏହା ଉପରେ ଆଲୋଚନା ହେବା ଉଚିତ ନୁହେଁ।
ସୂଚନାଯୋଗ୍ୟ, ଗତକାଲି ପୁରୀ ଅନ୍ତର୍ଜାତୀୟ ଗ୍ରୀନଫିଲ୍ଡ ବିମାନବନ୍ଦରକୁ ମଞ୍ଜୁରୀ ମିଳିଛି। ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। ସୋମବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜରପୁ ଏହି ଦୁଇଟି ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣକୁ ନୀତିଗତ ଅନୁମୋଦନ ଦେଇଛନ୍ତି। ଏହା ସହ ରାଜସ୍ଥାନ କୋଟା ଏୟାରପୋର୍ଟକୁ ବି ମଞ୍ଜୁରୀ ଦେଇଛନ୍ତି ମନ୍ତ୍ରୀ।
ଏନେଇ କେନ୍ଦ୍ର ପକ୍ଷରୁ କୁହାଯାଇଛି, ଭାରତର ଅନ୍ୟତମ ପବିତ୍ର ତୀର୍ଥସ୍ଥଳ ତଥା ମହାପ୍ରୁଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ଏକ ବିଶ୍ବପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ରୂପେ ଦେଶ ତଥା ଦୁନିଆର ଲକ୍ଷ ଲକ୍ଷ ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ପୁରୀଠାରେ ଏକ ବିମାନ ବନ୍ଦର ପ୍ରତିଷ୍ଠା କରିବାର ନିଷ୍ପତ୍ତି ଏହି ଅଞ୍ଚଳରେ ଧାର୍ମିକ ପର୍ଯ୍ୟଟନ, ଆଞ୍ଚଳିକ ବିକାଶ ଏବଂ ସାମଗ୍ରିକ ଯୋଗାଯୋଗକୁ ଗୁରୁତ୍ବପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିବ।
ଏହି ବିମାନ ବନ୍ଦର ପୁରୀ ଏବଂ ଭାରତର ପ୍ରମୁଖ ମହାନଗରଗୁଡ଼ିକ ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗକୁ ବୃଦ୍ଧି କାରିବାରେ ସହାୟକ ହେବ। ଏହି ନିଷ୍ପତ୍ତି ପୁରୀ ଏବଂ ଓଡ଼ିଶା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଏବଂ ଏହା ଶେଷ ମାଇଲ ବିମାନ ସଂଯୋଗକୁ ମଜଭୁତ କରିବା। ବିମାନ ଯାତ୍ରାକୁ ସମସ୍ତଙ୍କ ପାଇଁ ସୁଲଭ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଅନୁରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।