ନୂଆଦିଲ୍ଲୀ ୨୯।୩: ଅମରନାଥ ଯାତ୍ରାର ତାରିଖ ଧାର୍ଯ୍ୟ ହୋଇଛି। ଯାତ୍ରା ସହିତ ରେଜିଷ୍ଟ୍ରେସନ ତାରିଖ ମଧ୍ୟ ସାମ୍ନାକୁ ଆସିଛି। ପବିତ୍ର ଅମରନାଥ ଯାତ୍ରା ଚଳିତବର୍ଷ ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ୯ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଶ୍ରୀ ଅମରନାଥ ସ୍ରାଇନବୋର୍ଡ (ଏସଏଏସବି) ଅନୁସାରେ ଏହି ଯାତ୍ରା ୩୯ ଦିନ ଧରି ଚାଲିବ। ଏଣୁ ବାବାଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କୁ ଢେର ସମୟ ମିଳିବ। ଏଥର ମଧ୍ୟ ଭକ୍ତ ୨ଟି ମାର୍ଗରେ ଅମରନାଥ ଯାତ୍ରା କରିବେ ଓ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ପୂର୍ବଭଳି ଭକ୍ତମାନଙ୍କୁ ଅନନ୍ତନାଗ ଜିଲ୍ଲାର ପହଲଗାଓଁ ମାର୍ଗ ଓ ଗନ୍ଦରବଲ ଜିଲ୍ଲାର ବାଲଟାଲ ମାର୍ଗରେ ଅମରନାଥ ଯାତ୍ରାରେ ଯିବେ। ଏଣୁ ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁବିଧା ଲାଗି ଖାସ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ଶ୍ରଦ୍ଧାଳୁଙ୍କୁ ଅବସ୍ଥାନ, ଭୋଜନ, ଚିକିତ୍ସା ଓ ସୁରକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବାକୁ ଉଦ୍ୟମ କରାଯାଉଛି। ଯାତ୍ରୀଙ୍କ ବଢୁଥିବା ସଂଖ୍ୟାକୁ ସମ୍ଭାଳିବା ପାଇଁ ମଧ୍ୟ ଖାସ ବ୍ୟବସ୍ଥା କରାଯାଉଛି।
୨୦୨୫ ଅମରନାଥ ଯାତ୍ରାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ଆକଳନ କରାଯାଉଛି। ପ୍ରଶାସନ ଯାତ୍ରାକୁ ସୁରକ୍ଷିତ ଓ ସୁବିଧାଜନକ କରିବା ପାଇଁ ସବୁମନ୍ତେ ଉଦ୍ୟମ କରୁଛି। ଉନ୍ନତ ସୁବିଧା, ସୁରକ୍ଷା ଓ ଡିଜିଟାଲ ସେବା ସହିତ ଏହି ଯାତ୍ରା ଭକ୍ତଙ୍କ ନିମନ୍ତେ ଖାସ ଓ ଆଧ୍ୟାତ୍ମିକ ରୂପେ ସୁଖଦ ହେବ। ଏଣୁ ତୀର୍ଥ ଯାତ୍ରୀଙ୍କୁ ସମୟରେ ପଞ୍ଜିକରଣ କରାଇବାକୁ ଓ ସ୍ରାଇନବୋର୍ଡର ଅଧିକାରୀକ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।
ବାବା ବର୍ଫାନୀଙ୍କ ଦର୍ଶନ ନିମନ୍ତେ ଆସୁଥିବା ଶ୍ରଦ୍ଧାଳୁଙ୍କ ରେଜିଷ୍ଟ୍ରେସନ ଜରୁରି। ଏଣୁ ଭକ୍ତ ଶ୍ରୀ ଅମରନାଥ ସ୍ରାଇନ ବୋର୍ଡର ଅଧିକାରୀକ ୱେବସାଇଟ୍ ରେ ନିଜର ରେଜିଷ୍ଟ୍ରେସନ କରାଇ ପାରିବେ। ଏହା ଛଡା ଅମରନାଥ ସ୍ରାଇନବୋର୍ଡ ମୋବାଇଲ ଆପ୍ଲିକେସନରେ ବି ଯାତ୍ରା ନିମନ୍ତେ ରେଜିଷ୍ଟ୍ରେସନ କରାଯାଇ ପାରିବ।