ନୂଆଦିଲ୍ଲୀ:୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତକୁ ଭାରତ ଆଣାଯିବ । ମୋଷ୍ଟ ଓ୍ବାଣ୍ଟେଡ ତହବୁର ରାଣାକୁ ପ୍ରତ୍ୟାର୍ପଣ କରିବ ଆମେରିକା । ଆମେରିକାର ସୁପ୍ରିମକୋର୍ଟ ଭାରତ ପ୍ରତ୍ୟର୍ପଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଆମେରିକା ଅଦାଲତରେ ଭାରତ ପାଇଁ ଏହା ବଡ଼ ବିଜୟ । ଆତଙ୍କବାଦୀ ତହବୁର ରାଣାକୁ ଫେରାଇବାକୁ ଭାରତ ସରକାର ବାରମ୍ବାର ଅପିଲ୍ କରୁଥିଲେ । ୨୦୨୪ରେ ଆମେରିକା କୋର୍ଟ, ଭାରତ-ଆମେରିକା ପ୍ରତ୍ୟାର୍ପଣ ଚୁକ୍ତି ଅନୁଯାୟୀ, ତହବୁରକୁ ଇଣ୍ଡିଆ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
୨୦୦୮ ମୁମ୍ବାଇ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଲସ୍ ଆଞ୍ଜେଲ୍ସ ଜେଲରେ ଅଛି । ତହବୁର ପାକିସ୍ତାନର ନାଗରିକ ହୋଇଥିବା ବେଳେ ସେ କାନାଡାରେ ବ୍ୟବସାୟ କରୁଥିଲା । ୨୦୦୮ ମସିହା ୨୬/୧୧ ମୁମ୍ବାଇ ହମଲାର ମୋଷ୍ଟ ଓ୍ବାଣ୍ଟେଡଙ୍କ ମଧ୍ୟରେ ଜଣେ ଥିଲା । ଆତଙ୍କୀ ରାଣା ସେନ୍ଫ୍ରାନ୍ସିସ୍କୋର ଉତ୍ତର ସର୍କିଟର ଅମେରିକୀୟ ଅପିଲ୍ ନ୍ୟାୟଳୟରେ ଅନେକ ସଂଘୀୟ ଅଦାଲତ ଆଇନ ଲଢ଼ି ହାରିଯାଇଛି । ୨୦୨୪ ଅଗଷ୍ଟ ମାସରେ ଅମେରିକା ଅଦାଲତ ଏହା ଉପରେ ଶୁଣାଣି କରିଥିଲେ । ଏହାପରେ ନଭେମ୍ବର ୧୩ରେ ଆମେରିକା ସୁପ୍ରିମକୋର୍ଟରେ ସେ ରିଭ୍ୟୁ ପାଇଁ ଆବେଦନ କରିଥିଲା । ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଥିଲେ ।
ମୁମ୍ବାଇ ୨୬/୧୧ ଆତଙ୍କୀ ହମଲା ଘଟଣାରେ ପୋଲିସ ନିଜ ଚାର୍ଜସିଟ୍ରେ ତହବୁର ରାଣାର ନାଁକୁ ସାମିଲ୍ କରିଥିଲେ । ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଏବଂ ଆତଙ୍କୀ ସଂଗଠନ ଲସ୍କର-ଏ-ତୈବାର ଆକ୍ଟିଭ୍ ମେମ୍ବର ଭାବେ ସେ କାମ କରୁଥିବାର ଅଭିଯୋଗ ରହିଛି । ପୋଲିସ ଚାର୍ଜସିଟରେ ଉଲ୍ଲେଖ ରହିଛି, ସେ ମୁମ୍ବାଇ ହମଲାର ମାଷ୍ଟର ମାଇଣ୍ଡ୍ ଡେଭିଡ୍ କୋଲମ୍ୟାନ୍ ହେଡଲିଙ୍କୁ ଷଡ଼ଯନ୍ତ୍ରରେ ସହଯୋଗ କରିଥିଲା । ମୁମ୍ବାଇର କେଉଁ କେଉଁ ସ୍ଥାନରେ ହମଲା ହେବ, ସେ ସ୍ଥାନରେ ରେକି କରିଥିଲା ତହବୁର । ଏକ କୋଟି ଟଙ୍କା ସଂଗ୍ରହ କରି ପାକିସ୍ତାନୀ ଆତଙ୍କବାଦୀଙ୍କ ନିକଟକୁ ପଠାଇଥିଲା ।