ସୁନ୍ଦରଗଡ଼ ୧୮।୧: ସୁନ୍ଦରଗଡ଼ ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମସ୍ତ ମୃତକଙ୍କ ମୃତଦେହ ଉଦ୍ଧାର ହୋଇସାରିଛି । ତେବେ ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ପ୍ରତି ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ୧୦ ଲକ୍ଷ ଟଙ୍କା ଇନ୍ସ୍ୟୁରାନ୍ସ ରାଶି ଓ ପରିବାରର ଜଣଙ୍କୁ ଚାକିରି ଦେବାକୁ ଘୋଷଣା କରାଯାଇଛି । ମୃତକଙ୍କ ପିଲାଙ୍କୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠପଢା ଖର୍ଚ୍ଚ ବହନ କରିବ କମ୍ପାନୀ । ଏହାସହ ୩ ମୃତକଙ୍କ ପରିବାରକୁ ସ୍ଥାୟୀ ଘର ଯୋଗାଇ ଦେବାକୁ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ।
ସୂଚନାଯୋଗ୍ୟ ଯେ, ଡାଲମିଆ ସିମେଣ୍ଟ କମ୍ପାନୀ ଅଘଟଣର ୩୭ ଘଣ୍ଟା ପରେ ୩ ଶ୍ରମିକଙ୍କ ମୃତଦେହ ହୋଇଥିଲା । ସିମେଣ୍ଟ କାରଖାନା ଦୁର୍ଘଟଣା ଘଟି ୩ ଜଣ ନିଖୋଜ ହୋଇଥିଲେ । ବୟଲର୍ ଅପରେଟର ସୁଶାନ୍ତ ରାଉତ, ବୈଷୟିକ କର୍ମଚାରୀ ଦଶରଥ ପାତ୍ର ଓ ରଞ୍ଜିତ ଭୋଳଙ୍କ ପତ୍ତା ମିଳୁନଥିଲା । ଅନ୍ୟମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା କୁହାଯାଉଥିଲା ।
ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ୩୦ମିନିଟ୍ରେ ଡାଲମିଆ ସିମେଣ୍ଟ କମ୍ପାନୀରେ ଦୁର୍ଘଟଣା ଘଟିଥିଲା । ବଙ୍କର ତଳେ ଶ୍ରମିକମାନେ କାମ କରୁଥିବା ବେଳେ ତାହା ଭାଙ୍ଗି ସେମାନଙ୍କ ଉପରେ ପଡ଼ିଯାଇଥିଲା । ବଙ୍କର୍ କୋଇଲା ଗୁଣ୍ଡରେ ଭର୍ତ୍ତି ହୋଇଥିବାରୁ ସେଥିରେ ଶ୍ରମିକମାନେ ପୋତି ହୋଇଯାଇଥିଲେ । ବହୁ ସମୟ ପର୍ଯ୍ୟନ୍ତ ସେମାନେ କୋଇଲା ତଳେ ଚାପି ହୋଇ ରହିଥିଲେ । ଏହି ଖବର ପରେ କାରଖାନା ଭିତରକୁ କମ୍ପାନୀର ୩ଟି କ୍ରେନ୍ ଓ ୩ଟି ନିଜସ୍ୱ ଆମ୍ବୁଲାନ୍ସ ଯାଇଥିଲା । ୭ଟି ସରକାରୀ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର ୧୦ରୁ ଅଧିକ ଗାଡି ମଧ୍ୟ ନିୟୋଜିତ ହୋଇଥିଲେ ।
ସେପଟେ ଦୁର୍ଘଟଣା ପରେ କାରଖାନା ଗେଟ୍ ବାହାରେ ଭିଡ଼ ଜମିଥିଲା । ଶ୍ରମିକଙ୍କ ପରିବାରବର୍ଗ ପହଞ୍ଚିବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଫାଟକ ବନ୍ଦ ଥିବାରୁ ଦୁର୍ଘଟଣାସ୍ଥଳକୁ ଛାଡ଼ିବା ପାଇଁ ଲୋକେ ଦାବି କରିଥିଲେ । ତେଣୁ ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । କମ୍ପାନୀର ଅବହେଳା ପାଇଁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା ।
You Can Read: