ଭୁବନେଶ୍ବର ୨୮।୫: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲାର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଆଜୀବନ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ତେବେ ଏହି ରାୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ସେ କହିଛନ୍ତି, ମାମଲାରେ କେହି ପ୍ରତ୍ୟକ୍ଷ ସାକ୍ଷୀ ନଥିଲେ, ଯାହା ବଡ଼ ଚ୍ୟାଲେଞ୍ଜ ଥିଲା । ଯେଉଁଠି ପ୍ରତ୍ୟକ୍ଷ ସାକ୍ଷୀ ନଥାନ୍ତି, ଫୋରେନସିକ୍ ପ୍ରମାଣ ଗୁରୁତ୍ବପୂର୍ଣ୍ଣ ଥାଏ । ପୁଞ୍ଜିଲାଲ ମାମଲାରେ ଫୋରେନସିକ୍ ପ୍ରମାଣ ତଥ୍ୟ ଦେଇଥିଲା । ସେ ବ୍ୟବହାର କରିଥିବା ଏନ୍ଭଲପ, ଅଠା ପ୍ରମାଣ ଦେଇଥିଲା ।ସେହିପରି ବିସ୍ଫୋରକ ବାହାର କରି ଫିଙ୍ଗିଥିବା ଖୋଳ ବି ସୁରାକ୍ ଦେଇଥିଲା । ସେ ଯେଉଁ ଡଷ୍ଟବିନ୍ରେ ଫିଙ୍ଗିଥିଲା, ତାହା ଲ୍ୟାବ୍ରେ ମ୍ୟାଚ୍ କଲା ।
ସେହିପରି ପୁଞ୍ଜିଲାଲ ଲେଖିଥିବା ଚିଠି ମଧ୍ୟ ଆମକୁ ବାଟ ଦେଖାଇଲା । ତାର ଭାଷା ଓ ଲେଖିବା ଶୈଳୀ ବହୁ ଉଚ୍ଚକୋଟୀର ଥିଲା । ଜଣେ ଇଂରାଜୀରେ ଦକ୍ଷତା ଥିବା ବ୍ୟକ୍ତି ହିଁ କରିପାରିବ ଜାଣିଥିଲୁ । ତେଣୁ ପୁଞ୍ଜିଲାଲକୁ କେହି ସନ୍ଦେହ କରୁ ନଥିଲେ ବି ଧରିଥିଲୁ । ଆଉ ବୋମା ତିଆରି ପାଇଁ ଡେମୋ ଦେଖାଇବା ପର୍ଯ୍ୟନ୍ତ ତାକୁ ମନାଇଥିଲୁ । ସେ ଯାହା ବି ହେଉ କୋର୍ଟଙ୍କ ରାୟ ଆମ ପୂରା ଟିମ୍କୁ ଖୁସି କରିଛି ବୋଲି ଅରୁଣ ବୋଥ୍ରା କହିଛନ୍ତି ।
You Can Read:
ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ମାରି ପୋଖରୀରେ ଲୁଚାଇଥିଲେ : ମିଳିଛି ମୁଣ୍ଡ ବିହୀନ ମୃତଦେହ, ଖୋଜା ଚାଲିଛି ମୁଣ୍ଡ