ଭୁବନେଶ୍ୱର ୩୧/୦୫: ବଦଳିବ ମାଷ୍ଟର କ୍ୟାଣ୍ଟିନ ଛକର ନାମ । ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନ୍ ଛକର ନା ବଦଳିବା ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ । ଓଡ଼ିଶାରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବ । ଇଂରେଜଙ୍କ ଅମଳରୁ ରହିଥିବା କିଛି ପ୍ରମୁଖ ସ୍ଥାନର ନାଁ ପରିବର୍ତ୍ତନର ଆବଶ୍ୟକତା ଅଛି।
ଏହାକୁ ନେଇ ବିଚାର ବିମର୍ଶ ଚାଲିଛି। ଯଦି ନାମ ପରିବର୍ତ୍ତନ ହେବ ତେବେ ଓଡ଼ିଶାର ବରପୁତ୍ରଙ୍କ ନାଁରେ ହେବ ନାଁ ଆଉ କାହା ନାଁରେ ହେବ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନିଷ୍ପତି ନେବେ। ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ସୂଚନା ଥାଉକି, ପୁନଃ ନାମକରଣ କରିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆଗକୁ ନେଇଛନ୍ତି । ଏ ସମ୍ପର୍କିତ ଅନୁରୋଧକୁ ଗ୍ରହଣ କରି ପଦକ୍ଷେପ ନେବାକୁ ରାଜସ୍ୱ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଛି ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ମାଷ୍ଟରକ୍ୟାଣ୍ଟିନ୍ ଛକର ନାଁ ବଦଳାଇ କଳିଙ୍ଗ, ଉତ୍କଳ, ପାଇକ, ଜୟୀ ରାଜଗୁରୁ, ସହିଦ ଲକ୍ଷ୍ମଣ ନାଏକ ବା ବିଧାନସଭା ଛକରେ ନାମିତ କରିବାକୁ ସରକାରଙ୍କ ପାଖରେ ଦାବି ପହଞ୍ଚିଛି ।
ସୁପ୍ରିମକୋର୍ଟର ଆଇନଜୀବୀ ତଥା ସାମାଜିକ କର୍ମୀ ରାଧାକାନ୍ତ ତ୍ରିପାଠୀ ଏଭଳି ଦାବି କରି କହିଛନ୍ତି, ମାଷ୍ଟରକ୍ୟାଣ୍ଟିନ୍ ଛକର ନାଁ ବଦଳାଇବାର ଆବଶ୍ୟକତା ଅଛି । ରାଜଧାନୀର ଏହି ପ୍ରମୁଖ ଆଉ ଗୁରୁତ୍ୱପୂର୍ଣ୍ଣ ଛକର ନାଁରେ ଯେଭଳି ରାଜ୍ୟର ଗୌରବମୟ ଇତିହାସ, ସଂସ୍କୃତି, ପାରମ୍ପରିକ ମୂଲ୍ୟବୋଧ ପ୍ରତିବିମ୍ବ ପାଲଟିବ ସେଥିପାଇଁ ପଦକ୍ଷେପ ନିଆଯାଉ । ଏବେ ଯେଉଁ ନାଁ ରହିଛି, ତାହା ରାଜ୍ୟର ସମୃଦ୍ଧଶାଳୀ ସଭ୍ୟତାକୁ ପ୍ରତିନିଧିତ୍ୱ କରୁନି ବୋଲି ସେ ଅଭିଯୋଗ କରିଛନ୍ତି ।
ଗତ ୨୦୨୧ ମସିହାରୁ ଶ୍ରୀ ତ୍ରିପାଠୀ ମାଷ୍ଟରକ୍ୟାଣ୍ଟିନ୍ ଛକର ନାଁ ବଦଳାଇବା ପାଇଁ ପ୍ରୟାସ କରି ଆସୁଛନ୍ତି । ନିକଟରେ ସେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖି ଏହି ଦାବିକୁ ପୁଣି ଥରେ ଦୋହରାଇଥିଲେ । ତେବେ ଏହି ଚିଠିକୁ ନେଇ ଏବେ ସରକାରୀ ସ୍ତରରେ ସାମାନ୍ୟ ତତ୍ପରତା ପ୍ରକାଶ ପାଇଛି ।