ଆସାମରେ ଏବେ ମୁସଲିମ୍ ବିଧାୟକଙ୍କୁ ମିଳିବନି ନମାଜ ବିରତି, ଦଶନ୍ଧି ପୁରୁଣା ପରମ୍ପରା ଶେଷ

Published By : Prameya-News7 Bureau | February 22, 2025 IST

ନୂଆଦିଲ୍ଲୀ: ଆସାମର ହିମନ୍ତ ସରକାର ବିଧାନସଭାରେ 'ନମାଜ ପାଇଁ ବିରତି'ର ଦଶନ୍ଧି ପୁରୁଣା ପରମ୍ପରାକୁ ବନ୍ଦ କରିଛନ୍ତି । ଯଦିଓ ଏହି ନିଷ୍ପତ୍ତି ଗତ ବର୍ଷ ଅଗଷ୍ଟ ମାସରେ ନିଆଯାଇଥିଲା, ତଥାପି ବଜେଟ୍ ଅଧିବେଶନ ସମୟରେ ଏହାକୁ କାର୍ଯ୍ୟକାରୀ କରାଯାଇଛି । ଆସାମ ସରକାରଙ୍କ ଏହି ନିଷ୍ପତ୍ତି ପରେ, ବ୍ୟାପକ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି ।

ଏଆଇୟୁଡିଏଫ୍ ବିଧାୟକ ରଫିକୁଲ୍ ଇସଲାମ୍ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଏହା ସଂଖ୍ୟାବଳ ଆଧାରରେ ଲାଗୁ କରାଯାଇଥିବା ନିଷ୍ପତ୍ତି । ସେ କହିଛନ୍ତି ଯେ ବିଧାନସଭାରେ ପ୍ରାୟ ୩୦ ଜଣ ମୁସଲିମ ବିଧାୟକ ଅଛନ୍ତି । ଆମେ ଏହି ପଦକ୍ଷେପ ବିରୁଦ୍ଧରେ ଆପତ୍ତି ଉଠାଇଥିଲୁ କିନ୍ତୁ ସେମାନଙ୍କ (ବିଜେପି) ପାଖରେ ସଂଖ୍ୟା ଅଛି ଏବଂ ସେହି ଆଧାରରେ ସେମାନେ ଏହାକୁ ଲାଗୁ କରୁଛନ୍ତି ।

ବାଚସ୍ପତି ବିଶ୍ୱଜିତ୍ ଦୈମାରୀ ସମ୍ବିଧାନକୁ ଦୃଷ୍ଟିରେ ରଖି ପ୍ରସ୍ତାବ ଦେଇଥିଲେ ଯେ, ଆସାମ ବିଧାନସଭା ଅନ୍ୟ ଦିନ ପରି ଶୁକ୍ରବାର ମଧ୍ୟ ଏହାର କାର୍ଯ୍ୟ ପରିଚାଳନା କରିବା ଉଚିତ । ଏହି ନିୟମ କମିଟି ସମ୍ମୁଖରେ ରଖାଯାଇଥିଲା । ଯାହାକୁ କମିଟି ସର୍ବସମ୍ମତିକ୍ରମେ ଗୃହୀତ କରିଥିଲା ।

ନିୟମ କ’ଣ ଥିଲା?

ଆସାମ ବିଧାନସଭାରେ ଲାଗୁ କରାଯାଇଥିବା ଏହି ପରମ୍ପରା ଅନୁଯାୟୀ, ମୁସଲିମ ବିଧାୟକମାନଙ୍କୁ ଶୁକ୍ରବାର ନମାଜ ପାଠ କରିବା ପାଇଁ ଦୁଇ ଘଣ୍ଟାର ବିରତି ଦିଆଯାଉଥିଲା । ଏହାର ଅର୍ଥ ହେଉଛି ଏହି ସମୟ ମଧ୍ୟରେ ଗୃହର କୌଣସି କାର୍ଯ୍ୟ ହେଉନଥିଲା । ବିରୋଧୀ ଦଳ ଗୃହର ଏହି ନିଷ୍ପତ୍ତିର ତୀବ୍ର ବିରୋଧ କରିଥିଲେ ଏବଂ ଏହାକୁ ସଂଖ୍ୟାଗରିଷ୍ଠଙ୍କ ସ୍ୱେଚ୍ଛାଚାରିତା ବୋଲି କହିଥିଲେ ।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବୟାନ

ବିଧାନସଭାର ଏହି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସ୍ୱାଗତ କରି କହିଛନ୍ତି ଯେ ଏହି ପରମ୍ପରା ୧୯୩୭ ମସିହାରେ ମୁସଲିମ୍ ଲିଗ୍‌ର ସୟଦ ସାଦୁଲ୍ଲାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଏହି ବ୍ୟବସ୍ଥାକୁ ବନ୍ଦ କରିବାର ନିଷ୍ପତ୍ତି ପ୍ରଡକ୍ଟିଭିଟି ବଢାଇବା ପାଇଁ ପ୍ରାଥମିକତା ଦେଉଛି । ଏହାର ଜବାବରେ ବାଚସ୍ପତି ବିଶ୍ୱଜିତ୍ ଦୈମାରୀ କହିଛନ୍ତି ଯେ ସମ୍ବିଧାନର ଧର୍ମନିରପେକ୍ଷ ନୀତି ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.