ଭିଏତନାମରେ ସାମୁଦ୍ରିକ ଝଡ଼ ‘ୟାଗି’ ତାଣ୍ଡବ; ବାତ୍ୟା ନେଲାଣି ୫୯ ଜୀବନ, ଅନେକ ନିଖୋଜ

Published By : Prameya-News7 Bureau | September 10, 2024 IST

ନୂଆଦିଲ୍ଲୀ: ଭିଏତନାମରେ ଟାଇଫୁନ୍ ‘ୟାଗି’ ତାଣ୍ଡବ ରଚିଛି । ସାମୁଦ୍ରିକ ଝଡ଼ରେ ସବୁକିଛି ଛାରଖାର ହୋଇଯାଇଛି । ‘ୟାଗି’ କୋପରେ ଭିଏତନାମରେ ପ୍ରାୟ ୫୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି  । ଏମାନଙ୍କ ମଧ୍ୟରୁ ପ୍ରାୟ ୪୪ଜଣଙ୍କ ଭୂସ୍ଖଳନ ଯୋଗୁ ମୃତ୍ୟୁ ହୋଇଛି । ସେହିପରି ପ୍ରାୟ ୭୮ଜଣ ସାମୁଦ୍ରିକ ଝଡ଼ରେ ଆହତ ହୋଇଛନ୍ତି ।  ପ୍ରବଳ ବର୍ଷା, ଭୂସ୍ଖଳନ, ବନ୍ୟା ଯୋଗୁ ଅନେକ ଘର, ରାସ୍ତା, ପୋଲ ଆଦି ଭାଙ୍ଗି ଯାଇଛି । ବହୁସଂଖ୍ୟାରେ ଗାଡ଼ି ଭାସିଯାଇଛି । 

ସୋମବାର ସକାଳେ ୨୦ ଜଣଙ୍କୁ ନେଇ  ଯାଉଥିବା ଏକ ବସ୍‌ ଭାସିଯାଇଛି । ଏକ ପୋଲ ଭାଙ୍ଗି  ଯିବାରୁ ଏହା ଉପରେ ଥିବା ୧୦ କାର୍‌ ଏବଂ ଟ୍ରକ୍‌ ସହ  ଦୁଇଟି ବାଇକ୍‌ ଏକ ନଦୀକୁ ଖସିଯାଇଥିଲା । ସେମାନଙ୍କ  ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରଯାଇଥିବାବେଳେ ୧୩ ଜଣ ନିଖୋଜ ଅଛନ୍ତି । ବାତ୍ୟାରେ ଭୀଷଣ ପବନ ଯୋଗୁ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି । ଫଳରେ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବିନା ବିଜୁଳିରେ ରହିଛନ୍ତି । ଚାଷ ଜମି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ୭୮ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଚୀନ୍‌ ଏବଂ ଫିଲିପାଇନ୍ସରେ ‘ୟାଗି’ ତାଣ୍ଡବ ରଚିବା ପରେ ଶନିବାର ସାମୁଦ୍ରିକ ଝଡ଼ ଭିଏତନାମର   ଉତ୍ତରପୂର୍ବ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିଥିଲା । ଗତ ୨୪ ଘଣ୍ଟାରେ ଭିଏତନାମର ବିଭିନ୍ନ ସ୍ଥାନରେ ୨୦୮ ମିମିରୁ ୪୩୩ ମିମି ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି । ଘଣ୍ଟା ପ୍ରତି ୨୦୩ କିମି ବେଗରେ ପବନ ବହିଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.