ପର୍ଥରେ ବିଜୟ, ଆଡିଲେଡ୍‌ରେ ପରାସ୍ତ..ପିଙ୍କ ବଲ୍ ଟେଷ୍ଟରେ ହାରିଲା ଟିମ୍ ଇଣ୍ଡିଆ

Published By : Prameya-News7 Bureau | December 08, 2024 IST

ଆଡିଲେଡ୍‌ ୦୮।୧୨ : କଙ୍ଗାରୁ ଟିମ୍‌ର କମ୍‌ବ୍ୟାକ୍‌ । ପର୍ଥରେ ହାରିଲା, ଆଡିଲେଡ୍‌ରେ ନେଲା ପ୍ରତିଶୋଧ । ଭ୍ରମଣକାରୀ ଭାରତୀୟ ଟିମ୍‌କୁ ୨ୟ ଟେଷ୍ଟ ମ୍ୟାଚ୍‌ରେ ୧୦ ଓ୍ୱିକେଟ୍‌ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ ଦଳ । ଯାହାଫଳରେ ବର୍ଡର-ଗାଭାସ୍କର ସିରିଜ୍‌ରେ ଉଭୟ ଟିମ୍‌ ୧-୧ରେ ରହିଛନ୍ତି । 

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ବର୍ଡର-ଗାଭାସ୍କର ସିରିଜ୍‌ । ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ଦମ୍‌ଦାର ବିଜୟ ହାସଲ କରିଥିଲା । ଆଉ ଏହାପରେ ଆରମ୍ଭ ହୋଇଥିଲା ୨ୟ ଟେଷ୍ଟ ମ୍ୟାଚ୍‌ । ଯାହାକି ଟିମ୍‌ ଇଣ୍ଡିଆ ପାଇଁ ଥିଲା ଅଧିକ ଚ୍ୟାଲେଞ୍ଜ । କାହିଁକି ନା ଟିମ୍‌ ଇଣ୍ଡିଆ ତା ଇତିହାସରେ ପିଙ୍କ ଟେଷ୍ଟ ମ୍ୟାଚ୍‌ରେ କେବେବି ଜିତିନଥିଲା, ଆଉ ଅଷ୍ଟ୍ରେଲିଆ କ୍ରିକେଟ୍‌ ଇତିହାସରେ ଭାରତ ବିପକ୍ଷରେ ପିଙ୍କ ବଲ ଟେଷ୍ଟରେ କେବେବି ହାରିନାହିଁ । ସିରିଜରେ ଟିମ ଇଣ୍ଡିଆ ପ୍ରଥମ ମ୍ୟାଚ୍‌ରେ ବିଜୟ, ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚରେ ପରାଜୟ ନେଇ ପଡିଆକୁ ଓହ୍ଲାଇଥିଲେ । ହେଲେ ୨ୟ ମ୍ୟାଚ୍‌ ଆରମ୍ଭ ହେବା ମାତ୍ରେ ଅଷ୍ଟ୍ରେଲିଆ ଟିମ୍‌ ନିଜର ସମସ୍ତ ରଣକୌଶଳ ବ୍ୟବହାର କରି ଟିମ୍‌ ଇଣ୍ଡିଆ ଉପରେ ଭାରି ପଡିଥିଲା ।  

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ହେଲେ ପ୍ରଥମ ଇନିଂସରେ ମାତ୍ର ୧୮୦ ରନ୍‌ରେ ଅଲଆଉଟ୍‌ ହୋଇଥିଲା । ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ କରିଥିଲା ବିଶାଳ ୩୩୭ ରନ୍‌ । ଯେଉଁଥିରେ ଟ୍ରାଭିସ ହେଡ୍‌ଙ୍କ ବିସ୍ଫୋରକ ୧୪୦ରନ୍‌ର ପାରି । ଅଷ୍ଟ୍ରେଲିଆ ଠାରୁ ୧୫୭ ରନ୍‌ ପଛରେ ଥିବା ଟିମ୍‌ ଇଣ୍ଡିଆ ୨ୟ ଇନିଂସରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ । ହେଲେ ଏଠି ବି ସମାନ ଅବସ୍ଥା । ପ୍ରଥମ ଇନିଂସ ପରି ୨ୟ ଇନିଂସରେ ବି ଟିମ୍‌ ଇଣ୍ଡିଆର ଘଟିଲା ବ୍ୟାଟିଂ ବିପର୍ଯ୍ୟୟ । ୨ୟ ଇନିଂସରେ ମାତ୍ର ୧୭୫ ରନ୍‌ରେ ଅଲ୍ଆଉଟ୍‌ ହୋଇଥିଲା ଟିମ୍‌ ଇଣ୍ଡିଆ । ୨ୟ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ବିଜୟ ଲାଗି ୧୯ ରନ୍‌ର ଟାର୍ଗେଟ ଦେଇଥିଲା ଭାରତୀୟ ଟିମ୍‌ । ଅଷ୍ଟ୍ରେଲିଆ ଟିମ୍‌ କୌଣସି ଓ୍ୱିକେଟ୍‌ ନହରାଇ ଏହି ଛୋଟ ଟାର୍ଗେଟକୁ ହାସଲ କରିଛି । ଯାହାଫଳରେ ଆଡିଲେଡ୍‌ରେ ନିଜର ଦବ୍‌ଦବା ଜାହିର ରଖିଛି । ଭାରତୀୟ ଟିମ୍‌କୁ ଶୌଚନୀୟ ଭାବେ ପରାସ୍ତ କରି ସିରିଜ୍‌ରେ ୧-୧ରେ ବରାବର ରଖିଛି କଙ୍ଗାରୁ ଟିମ୍‌ । ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ ଲାଗି ଟ୍ରାଭିସ୍‌ ହେଡ୍‌ଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ର ପୁରସ୍କାର ଦିଆଯାଇଛି । 

ଭାରତ

ପ୍ରଥମ ଇନିଂସ- ୧୮୦

ଦ୍ୱିତୀୟ ଇନିଂସ- ୧୭୫

ଅଷ୍ଟ୍ରେଲିଆ

ପ୍ରଥମ ଇନିଂସ- ୩୩୭

ଦ୍ୱିତୀୟ ଇନିଂସ- ୧୯

  • BCCI
  • Border-Gavaskar Trophy
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.