ନଦୀରେ ପହଁରି ପହଁରି ବାଂଲାଦେଶରୁ ଆସିଲେ ପରିବାର, ଉଠାଇନେଲା ପୋଲିସ

Published By : Prameya-News7 Bureau | July 08, 2025 IST

ପାରାଦୀପ ୮।୭: ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜୋରଦାର ଚାଲିଥିବା ବେଳେ ବାଂଲାଦେଶୀଙ୍କ ଅନୁପ୍ରବେଶ ଏବେ ବି ଜାରି ରହିଛି । ଗତ ୮ ଦିନ ହେଲା ପାରାଦୀପର ଜର୍ଦାରୀପଡାରେ ଆସି ରହୁଥିବା ଏକ ବାଂଲାଦେଶୀ ପରିବାରକୁ ପୋଲିସ ଉଠାଇନେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । 

ସୂଚନାଯୋଗ୍ୟ ଯେ, ପରିବାର ବାଂଲାଦେଶରୁ ସପରିବାର ନଦୀରେ ପହଁରି ପହଁରି ପ୍ରଥମେ କଲିକତାରେ ପହଞ୍ଚିଥିଲେ । ସେଠାରେ ଥିବା ତାଙ୍କର କିଛି ସମ୍ପର୍କୀୟଙ୍କ ସହଯୋଗରେ ପାଖାପାଖି ମାସେ ରହିବା ପରେ ପାରାଦୀପର ଜର୍ଦାରୀପଡାରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କ ସହଯୋଗରେ ବସ୍ ଯୋଗେ ୮ ଦିନ ତଳେ ପାରାଦୀପରେ ପହଞ୍ଚି ଏକ ଭଡାଘର ନେଇ ରହୁଥିଲେ । ଏହିଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ଏଠାରେ ରହୁଥିବା କିଛି ବାଂଲାଦେଶୀ ପରିବାର ସେମାନଙ୍କୁ ଆଣି ଏଠାରେ ରହିବାର ବ୍ୟବସ୍ଥା କରାଇ ଦେଉଛନ୍ତି । କିଛିଦିନ ସେମାନେ ବିଭିନ୍ନ ବସ୍ତିରେ ଭଡ଼ାରେ ରହିବା ପରେ ବିଭିନ୍ନ ସରକାରୀ ସ୍ଥାନରେ ଘର କରି ସ୍ଥାୟୀ ବାସିନ୍ଦା ହୋଇଯିବା ସହିତ ସରକାରୀ ସୁବିଧା ହାସଲ କରୁଛନ୍ତି । 

ତେବେ କୌଣସି ସୂତ୍ରରୁ ଲକ୍ ଥାନା ପୋଲିସ ଖବର ପାଇ ଆଇଆଇସି ରଶ୍ମୀରଞ୍ଜନ ଦାସଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଜର୍ଦାରୀ ପଡାରେ ପହଞ୍ଚି ସେମାନଙ୍କୁ ଉଠାଇ ଆଣିଛି । ଏଥିସହିତ ତାଙ୍କୁ ପାରାଦୀପ ଆଣିଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ନେଇ ପଚରାଉଚରା କରିବା ସହିତ ସମସ୍ତଙ୍କ ପରିଚୟପତ୍ର ଯାଞ୍ଚ କରୁଥିବା ଜଣାପଡ଼ିଛି । ତେବେ ଉକ୍ତ ପରିବାର ବାଂଲାଦେଶରୁ ଆସିଥିବା ଘଟଣାକୁ ସ୍ବୀକାର କରିଛନ୍ତି ତାଙ୍କୁ ଆଶ୍ରୟ ଦେଇଥିବା ତାଙ୍କ ସମ୍ପର୍କୀୟ ।

You Can Read:

ମନମୋହନ ସାମଲ ହେଲେ ବିଜେପି ରାଜ୍ୟ ସଭାପତି, ବିଧିବଦ୍ଧ ଭାବେ ଘୋଷଣା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.