ବରଗଡ଼ ୧୦।୦୧ : ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ତାର ଅନ୍ତିମ ପର୍ଯ୍ୟାୟ ଦେଇ ଗତି କରୁଥିବା ବେଳେ ଗୁରୁବାର ସପ୍ତମ ଦିନରେ ଗୋପପୁରରେ ଅନୁଷ୍ଠିତ ହୋଇଥିଲା ରାଧାକୃଷ୍ଣଙ୍କ ନାବକେଳୀ । ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳା ବେଶ ହୃଦୟସ୍ପର୍ଶୀ ହୋଇପାରିଛି । ଗୋପପୁର ଏବେ କୃଷ୍ଣମୟ ହୋଇପଡିଥିବା ବେଳେ ଯମୁନା ନଦୀ ପାରି ହୋଇ ମଥୁରା ନଗରୀକୁ ଦହି ବିକ୍ରି କରିବାକୁ ଯାଉଛନ୍ତି ଗୋପାଙ୍ଗନାମାନେ । ଏ ସମୟରେ ଗୋପାଙ୍ଗନାମାନଙ୍କୁ ଭଗବାନ ଶ୍ରୀକୃଷ୍ଣ ନାଉରିଆ ବେଶରେ ଯମୁନା ନଦୀ ପାରି କରାଇଛନ୍ତି । ରାଧାକୃଷ୍ଣଙ୍କୁ ନେଇ ଗୋପପୁରରେ ଅନୁଷ୍ଠିତ ହୋଇଛି ନାବକେଳୀ ।
ସେପଟେ ମଥୁରା ନଗରୀ ମହାରାଜା କଂସଙ୍କ ରାଜତ୍ୱରେ ଥର ହର ହେଉଛିା ଧନୁଯାତ୍ରାର ସପ୍ତମ ଦିନରେ ମହାରାଜା କଂସ ନଗର ଭ୍ରମଣ, ରାଜ ଦରବାରରେ ନ୍ୟାୟ ବିଚାର ଦୃଶ୍ୟ ଅଭିନୀତ ହୋଇଥିଲା । କୃଷ୍ଣଙ୍କୁ ହତ୍ୟା କରିବା ପାଇଁ କଂସ ଶଙ୍ଖଚୂଡକୁ ପ୍ରେରଣ କରିଛନ୍ତି ଗୋପପୁର। ମହାରାଜା କଂସ କଳେବଳେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି। ନାରଦଙ୍କ ପରାମର୍ଶ କ୍ରମେ କୃଷ୍ଣକୁ ହତ୍ୟା କରିବା ପାଇଁ ମହାରାଜା କଂସ ଆୟୋଜନ କରିବେ ଧନୁଯାତ୍ରା । ଏହି ଧନୁଯାତ୍ରା ଛଳନା ଓ କପଟର ଯାତ୍ରା ହୋଇଥିବାବେଳେ ମନ୍ତ୍ରୀ ଅକୃରଙ୍କୁ ପ୍ରେରଣ କରିଛନ୍ତି ଗୋପପୁର । ଆଜି ଅଷ୍ଟମ ଦିନରେ କଂସଙ୍କ ନଗର ଭ୍ରମଣ, ଦିଗବିଜୟରେ ବାହାରି ଇନ୍ଦ୍ର ସହିତ ଯୁଦ୍ଧ ଓ ବନ୍ଦୀ, କଂସଙ୍କ ଚିଟାଉ ନେଇ ଅକୃରଙ୍କ ଗମନ ଓ ଗୋପପୁରରେ ଅକୃରଙ୍କ ପ୍ରବେଶ ସହ ଯମୁନା ନଦୀରେ କୃଷ୍ଣ ପାଦ ଦର୍ଶନ ଦୃଶ୍ୟ ଅଭିନୀତ ହେବ ।