ସ୍ତ୍ରୀ ନିର୍ଯାତନା ଓ ଆଇନର ଅନ୍ଧ ବ୍ୟବସ୍ଥା ସହ ଲଢ଼ି ମୋ ଭାଇ ମରିଗଲା: ଆତ୍ମହତ୍ୟା ପରେ ସାନ ଭାଇର କରୁଣ ବୟାନ

Published By : Prameya-News7 Bureau | December 10, 2024 IST

ନୂଆଦିଲ୍ଲୀ: ସ୍ତ୍ରୀର ଓ ଶ୍ୱଶୁର ଘର ଲୋକଙ୍କ ନିର୍ଯାତନା, ଆଇନର ଅନ୍ଧ ବ୍ୟବସ୍ଥା ସହ ଲଢ଼େଇ କରି ମୋ ଭାଇ ଆଜି ମରିଗଲା। ଆଇନ କେବଳ ମହିଳାଙ୍କ ପାଇଁ ତିଆରି ହୋଇଛି। ଆଉ ସେମାନେ ଏହାର ଫାଇଦା ଉଠାଉଛନ୍ତି। ମୋ ଭାଇକୁ ନ୍ୟାୟ ଦରକାର। ମିଡିଆ ଆଗରେ ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି ମୃତ ଅତୁଲ ସୁଭାଷଙ୍କ ସାନ ଭାଇ ବିକାଶ ମୋଦୀ। 
ଉତ୍ତର ପ୍ରଦେଶର ୩୪ ବର୍ଷୀୟ ଅତୁଲ ସୁଭାଷ। ବେଙ୍ଗାଲୁରୁରେ ଥିଲେ ସଫ୍ଟୱେୟାର ଇଞ୍ଜିନିୟର। ୨୦୧୯ରେ ହୋଇଥିଲା ବାହାଘର। ହେଲେ ଜୀବନସାଥି ଯେ ଜୀବନ ନେଇଯିବ ଏକଥା ତାଙ୍କୁ ଜଣା ନଥିଲା। ତଥା କଥିତ ପୁରୁଷ ସମାଜରେ ପୁରୁଷଟେ ଏଭଳି ନିର୍ଯାତିତ ହୋଇ ମରିଯିବ ଏକଥା ସିଏ ବି ଜାଣି ନଥିଲେ। ସ୍ତ୍ରୀ ନିର୍ଯାତନା ସହି ନପାରି ବେଙ୍ଗାଲୁରୁରେ ସେ ରହୁଥିବା ଘରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି ସୁଭାଷ। ମୃତ୍ୟୁ ପୂର୍ବରୁ ୨୪ ପେଜ୍‌ର ସୁଇସାଇଡ୍ ନୋଟ୍ ସହ ଦେଢ଼ ଘଣ୍ଟାର ଭିଡିଓ ରେକର୍ଡ ସେ ଛାଡ଼ି ଯାଇଛନ୍ତି। ସୁଇସାଡ୍‌ ନୋଟ୍‌ରେ ସେ ତାଙ୍କ ପତ୍ନୀଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ପତ୍ନୀ ମିଛ କେସ୍‌ରେ ଫସାଇ ତାଙ୍କ ଠାରୁ ହଡ଼ପ କରୁଛନ୍ତି ବିଡ଼ା ବିଡ଼ା ଟଙ୍କା। ଏବେ ଡିମାଣ୍ଡ ୩ କୋଟିର। 

ଅତୁଲଙ୍କ ସାନ ଭାଇ ବିକାଶ ମୋଦୀଙ୍କ ସୂଚନା ଅନୁସାରେ ତାଙ୍କ ଭାଇଙ୍କ ବିରୋଧରେ ତାଙ୍କ ଶ୍ୱଶୁର ଘର ଲୋକ ୯ଟି ମିଛ କେସ୍ କରିଥିଲେ। ଆଉ  ସିଷ୍ଟମ ସହ ଲଢ଼ି ଲଢ଼ି ସେ ଜୀବନ ଦେଇଦେଲା। 

ଉତ୍ତର ପ୍ରଦେଶର ଅତୁଲଙ୍କ ମୃତଦେହ ବେଙ୍ଗାଲୁରୁର ମଞ୍ଜୁନାଥ ଲେଆଉଟ୍‌ ଫ୍ଲାଟ୍‌ରୁ ଉଦ୍ଧାର କରାଯାଇଛି। ପଡ଼ୋଶୀ କବାଟ ଭାଙ୍ଗି ଘର ଭିତରେ ପସିବା ପରେ ତାଙ୍କ ମୃତ ଶରୀର ଫାସୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଘରୁ ଜବତ ହୋଇଥିଲା  ୨୪ ପେଜ୍‌ରେ ସୁଇସାଡ୍ ନୋଟ୍‌, ଯେଉଁଥିରେ ଲେଖାଥିଲା ଜଷ୍ଟିସ୍‌ ଇଜ୍ ଡ୍ୟୁ ମାନେ ନ୍ୟାୟ ଏବେ ବାକି ଅଛି। 

ସୁଇସାଇଡ୍ ନୋଟ୍‌ରେ ଅତୁଳ ଉତ୍ତରପ୍ରଦେଶ ଜୌନପୁରର ଏକ ଜଜ୍‌ଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। ଜଜ୍‌ ମାମଲାର ରଫାଦଫା କରିବାକୁ ୫ ଲକ୍ଷ ଟଙ୍କା ମାଗିଥିଲେ ବୋଲି ଅତୁଲ କହିଛନ୍ତି। ତାଙ୍କ ପତ୍ନୀ , ଶାଶୂ ଓ ଜୌନପୁରରେ ସେହି ବିଚାରପତି ତାଙ୍କୁ ଆତ୍ମହତ୍ୟା କରିବାକୁ କହିଥିଲେ ବୋଲି ଅତୁଲ ତାଙ୍କ ସୁଇସାଇଡ୍ ନୋଟ୍‌ରେ ଲେଖିଛନ୍ତି। 

ରାଇଷ୍ଟ୍ରପତିଙ୍କୁ  ବି ଚିଠି- ନିଜର ୨୪ ପୃଷ୍ଠା ସମ୍ଭଳିତ ସୁଇସାଇଡ୍ ନୋଟ୍‌ରେ ଅତୁଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ମଧ୍ୟ କିଛି ଲେଖି ଯାଇଛନ୍ତି। ଯେଉଁଥିରେ ସେ ଦେଶର କ୍ରିମିନାଲ ଜଷ୍ଟିସ୍ ସିଷ୍ଟମରେ ଥିବା ତ୍ରୁଟି ଓ ପୁରୁଷଙ୍କ ବିରୋଧରେ ମିଛ ମାମଲା କରିବାର ଯେଉଁ ଟ୍ରେଣ୍ଡ ଚାଲିଛି ସେ ବିଷୟରେ ଲେଖିଛନ୍ତି। 

ଅନ୍ୟ ଏକ ନୋଟ୍‌ରେ ତାଙ୍କ ପତ୍ନୀ ତାଙ୍କ ବିରୋଧରେ ଲଗାଇଥିବା ସମସ୍ତ ଅଭିଯୋଗକୁ ସେ ମିଥ୍ୟା ବୋଲି କହିଛନ୍ତି। ଯେଉଁଥିରେ ଯୌତୁକ ନିର୍ଯାତନା, ମହିଳାଙ୍କ ବିରୋଧରେ ଅତ୍ୟାଚାର, ଅପ୍ରାକୃତିକ ସେକ୍ସ ଭଳି ମାମଲା ରହିଛି। ଏଭଳି ମିଛ କେସ୍ ପାଇଁ ମୋ ପରିବାରକୁ ଅଯଥା ହଇରାଣ କରା ନଯାଉ ବୋଲି ଅତୁଲ ତାଙ୍କ ଶେଷ କଥାରେ ଭାରତୀୟ ଆଇନ୍ ଓ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।   

କେମିତି ନର୍କ ହୋଇଗଲା ଅତୁଲଙ୍କ ଜୀବନ-

ସୁଇସାଇଡ୍ କରିବା ପୂର୍ବରୁ ଅତୁଲ ଯେଉଁ ଭିଡିଓ ରେକର୍ଡ କରିଥିଲେ ସେଥିରେ ସେ ତାଙ୍କ ଜୀବନର ଦୁର୍ଦ୍ଦଶା ବିଷୟରେ ବଖାଣି ଥିଲେ। ଅତୁଳଙ୍କ ବୟାନ ଅନୁସାରେ ୨୦୧୯ରେ ମେଟ୍ରିମୋନି ସାଇଡ୍‌ରୁ ଦେଖି ବିବାହ କରିଥିଲେ। ୨୦୨୦ରେ ତାଙ୍କର ଏକ ପୁଅ ହୋଇଥିଲା। ହେଲେ ପତ୍ନୀ ଓ ଶ୍ୱଶୁର ଘର ଲୋକେ ସବୁବେଳେ ଟଙ୍କା ମାଗୁଥିଲେ ଓ ସେ ଟଙ୍କା ଦେଉଥିଲେ। ହେଲେ ଯେଉଁଦିନ ଟଙ୍କା ଦେବାକୁ ମନା କରିଦେଲେ ସେହିଦିନ ପତ୍ନୀ ବେଙ୍ଗାଲୁରୁ ଛାଡ଼ି ବାପଘରକୁ ଚାଲିଗଲେ।

ଡିଭୋର୍ସ ପରେ ମୁଁ ମାସକୁ ୪୦ ହଜାର ଟଙ୍କା ଦେଉଥିଲି। ପିଲାର ଦେଖାରେଖା ପାଇଁ ପ୍ରତି ମାସରେ ୨ରୁ ୪ ଲକ୍ଷ ଡିମାଣ୍ଡ କରୁଥିଲେ। ତାହା ବି ଦେଲି, ହେଲେ ମୋ ପତ୍ନୀ ପୁଅକୁ ମୋ ସହ ଭେଟ କରିବାକୁ ବି ଦେଉ ନଥିଲେ। 

ମିଛ ଅଭିଯୋଗର ପାହାଡ଼- ପତ୍ନୀ ବେଙ୍ଗାଲୁରୁ ଛାଡ଼ି ଚାଲିଯିବା ପରେ ଅତୁଳଙ୍କ ବିରୋଧରେ ମିଛ ଯୌତୁକ ନିର୍ଯାତନା, ଅପ୍ରାକୃତିକ ସେକ୍ସ ଓ ହତ୍ୟା ଭଳି କେସ୍ କରିଥିଲେ। ୧୦ ଲକ୍ଷ ଟଙ୍କା ଯୌତୁକ ମଗାଯାଇଛି ବୋଲି ମିଛ ମାମଲା କରାଯାଇଥିଲା।

୩ କୋଟି ମାଗିଲେ ପତ୍ନୀ ଆଉ କହିଲେ କାହିଁକି ଆତ୍ମହତ୍ୟା କରୁନ?

ଅତୁଲ ତାଙ୍କ ସୁଇସାଇଡ୍ ନୋଟ୍‌ରେ ଆହୁରେ ଲେଖିଛନ୍ତି ଯେ ତାଙ୍କ ପତ୍ନୀ ମାମଲାର ରଫଦାଫ ପାଇଁ ପ୍ରଥମେ ୩ କୋଟି ଟଙ୍କା ମାଗିଥିଲେ, କିନ୍ତୁ ପରେ ୩ କୋଟି ଟଙ୍କା ମାଗିଲେ। ଏତେଗୁଡ଼ିଏ ଟଙ୍କା ନ ଦେଇପାରି ସେ ମାମଲା ସମ୍ପର୍କରେ ଯୌନପୁର ଫେମିଲି କୋର୍ଟରେ ଫେରାଦ ହୋଇଥିଲେ। ହେଲେ ବିଚାରପତି ପତ୍ନୀଙ୍କୁ ସମର୍ଥନ କରିଥିଲେ। ଅତୁଲ ଲେଖିଛନ୍ତି ଯେ ମୁଁ ବିଚାରପତିଙ୍କୁ କହିଲି ଯେ ଏନସିଆରବି ରିପୋର୍ଟ ଅନୁସାରେ ଦେଶର ଅନେକ ପୁରଷ ଏଭଳି ମିଛ କେସ୍‌ରେ ସାମ୍ନା କରି ନପାରି ଆତ୍ମହତ୍ୟା କରୁଛନ୍ତି। ମଝିରେ ପତ୍ନୀ କହିଲେ ତୁମେ କାହିଁକି ଆତ୍ମହତ୍ୟା କରୁନ? ଏହା ଶୁଣି ବିଚାରପତି ହସିଲେ ଆଉ କହିଲେ ଏହିଭଳି ମାମଲା ମିଛ ହିଁ ହୋଇଥାଏ। ଆପଣ ପରିବାର ବିଷୟରେ ଚିନ୍ତା କରି କେସ୍‌କୁ ସେଟଲ କରନ୍ତୁ। କେସ୍ ସେଟଲ କରିବାକୁ ମୁଁ ୫ ଲକ୍ଷ ଟଙ୍କା ନେବି। 

କୋର୍ଟରୁ ନିରାଶ ହେବା ପରେ ଅତୁଳ ତାଙ୍କ ଶାଶୂଙ୍କୁ ଫୋନ ଲଗାଇ ଏ ବିଷୟରେ କହିବା ପରେ ସେପଟେ ଶାଶୂ କହିଲେ ତୁମେ ଏପର୍ଯ୍ୟନ୍ତ ଆତ୍ମହତ୍ୟା କରିନ? ମୁଁ ତ ଭାବିଥିଲି ଆଜି ତୁମ ଆତ୍ମହତ୍ୟାର ଖବର ଆସିବ। ଜବାବରେ ଅତୁଲ କହିଥିଲେ ମୁଁ ମରିଗଲେ ତୁମମାନଙ୍କର ପାର୍ଟି କେମିତି ହେବ? ଜବାବ ଦେଇ କ୍ରୁର ଶାଶୂ କହିଥିଲେ ତୋ ବାପା ପଇସା ଦେବ। ପତି ମରିବା ପରେ ସବୁ ପତ୍ନୀର ହୋଇଥାଏ। ତୁମ ମାଆବାପା ବି ଜଲ୍‌ଦି ମରିଯିବେ। ସେଥିରେ ବି ବୋହୂର ଭାଗ ଥାଏ। ସାରା ଜୀବନ ତୋ ଖାନଦାନ କୋର୍ଟର ଚକ୍କର କାଟିବ। ଶାଶୂଙ୍କ ଠାରୁ ଏଭଳି ନର୍ଦ୍ଦୟୀ କଥା ଶୁଣିବା ପରେ ସୁବଆଡ଼ୁ ନିରାଶ ହୋଇଯାଇଥିଲେ ଅତୁଳ। ଭାବିଥିଲେ କୋର୍ଟକୁ ଯିବେ କେସ୍ କରିବେ? ହେଲେ ଏପଟେ ଚାକିରି ସେପଟେ ବାରମ୍ବାର କୋର୍ଟ କଚେରି। ନ୍ୟାୟର ଆଶା କ୍ଷୀଣ। 

ଆତ୍ମହତ୍ୟା କରିବାର ଚିନ୍ତା କାହିଁକି ଆସିଲା?

ଅତୁଲ୍ ତାଙ୍କ ସୁଇସାଇଡ୍ ନୋଟ୍‌ରେ ତାଙ୍କ ନିରାଶାର କାରଣ ଲେଖିଛନ୍ତି। ଲେଖିଛନ୍ତି କେମିତି ଆଇନ ବ୍ୟବସ୍ଥା ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କଲା। ଏତେସବୁ ଘଟଣା ପରେ ସେ ଭାବିଲେ ମୋର ମରିଯିବା ହିଁ ଠିକ୍। କାରଣ ଯେଉଁ ଟଙ୍କା ମୁଁ କମଉଛି, ସେଥିରେ ମୁଁ ମୋ ଶତ୍ରୁକୁ ବଳ ଦେଉଛି। ମୋ କମାଉଥିବା ପଇସା ମୋତେ ହିଁ ବର୍ବାଦ କରୁଛି। ମୋ ଟ୍ୟାକ୍ସର ପଇସାରେ ଅଦାଲତ, ୟିଏ ପୁଲିସ ଓ ପୂରା ସିଷ୍ଟମ ମୋତେ ମୋତେ ମୋ ପରିବାର ମୋ ଭଳି କେଜାଣେ କେତେ ପୁରୁଷଙ୍କୁ ଏମିତି ହଇରାଣ କରିବ। ଯଦି ମୁଁ ରହିବି ନାହିଁ ତେବେ ନା ପଇସା ରହିବ ନା ମୋ ପରିବାରକୁ ହଇରାଣ କରିବାକୁ କେହି ରହିବେ। ବାସ୍ ୟାପରେ ସବୁ ଶେଷ..।

ଅତୁଲଙ୍କ ଭାଇଙ୍କର କହିବା କଥା ହେଲା ଯେ ତାଙ୍କ ଭାଇ ବେଙ୍ଗାଲୁରୁରେ ଚାକିରି କରି ମାମଲାର ଶୁଣାଣି ପାଇଁ ବାରମ୍ବାର ଉତ୍ତର ପ୍ରଦେଶ କୋର୍ଟକୁ ଆସୁଥିଲେ। ହେଲେ କେତେବେଳେ ତାଙ୍କୁ ତାରିଖ ମିଳୁଥିଲା ତ ଆଉ କେତେବେଳେ ପତ୍ନୀ ଅନୁପସ୍ଥିତ ତ କେତେବେଳ ଆନ୍ଦୋଳନ ଯୋଗୁ ରାସ୍ତା ବନ୍ଦ। ଏମିତିରେ ନା ତାଙ୍କୁ ନ୍ୟାୟ ମିଳିଲା ନା ବ୍ୟବସ୍ଥା ତାଙ୍କୁ ବଞ୍ଚିବାକୁ ଦେଲା। ତେବେ ତାଙ୍କ ଭାଇଙ୍କର ଗୋଟେ ଶେଷ ଇଚ୍ଛା ଅଛି। ଯଦି ମୃତ୍ୟୁ ପରେ ବି ତାଙ୍କୁ ନ୍ୟାୟ ନମିଳେ ତାଙ୍କ ଅସ୍ତି କୋର୍ଟରେ ବୋହୁଥିବା ନାଳରେ ଭସାଇ ଦେବାକୁ ସେଇ କହିଥିଲେ ବୋଲି ବିକାଶ ମୋଦୀ କହିଛନ୍ତି।  

ଘଟଣାରେ ମୃତକଙ୍କ ପରିବାରର ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଛି। ଝିଅ ଘର ଲୋକେ ମିଛ କେସ୍ ଲଦି ଅତୁଲଙ୍କୁ 3 କୋଟି ଟାଙ୍କା ମାଗୁଥିଲେ ବୋଲି ପୁଲିସ କହିଛି। ମାମଲାରେ ତଦନ୍ତ ଜାରି ରହିଛି। 
 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.