କିଡନୀ ପାଇଁ ଶିଶୁ ଚୋରି, ଗିରଫ ମହିଳାଙ୍କୁ ପଚରାଉଚରା ପରେ ଜଣାପଡିଲା ସାଂଘାତିକ ସତ, ସୁପାରି ଦେଇ କିଡନାପ୍‌ କରାଇଥିଲେ

Published By : Prameya-News7 Bureau | April 15, 2025 IST

ଭୁବନେଶ୍ବର ୧୫/୪: ଶନିବାର ରାତି ୨ଟାରେ କିଡ୍‌ନାପ୍‌ । ମଙ୍ଗଳବାର ସକାଳୁ ଉଦ୍ଧାର । ୨ ଦିନ ପରେ ମାଆ କୋଳକୁ ଫେରିବ ଶୁଭମ । ରାଜଧାନୀରୁ ଅପହୃତ ଦେଢ ବର୍ଷର ଶିଶୁ କେଶବର ସନ୍ଧାନ ମିଳିଛି । ବାଲେଶ୍ବର ଖନ୍ତାପଡା ଥାନା ବୋଇତା ଗାଁରୁ ଉଦ୍ଧାର କରିଛି ପୋଲିସ । ଅପହରଣର ପ୍ରାୟ ୫୦ ଘଣ୍ଟା ପରେ ବିଭିନ୍ନ ସ୍ଥାନରେ ସିସିଟିଭି ଯାଞ୍ଚ କରି ପୋଲିସକୁ ଏହି ସଫଳତା ମିଳିଛି । ଉଦ୍ଧାର ପରେ ଶିଶୁ ପୁତ୍ରକୁ ଭୁବନେଶ୍ବର ଆଣୁଛି ପୋଲିସ । ସେପଟେ ଚୋରି ଘଟଣାରେ ନୂଆ ମୋଡ ସାମ୍ନାକୁ ଆସିଛି । କିଡନୀ ପାଇଁ ଶିଶୁକୁ ଅପହରଣ କରାଯାଇଥିବା ସନ୍ଦେହ ବଢୁଛି । ଅପହରଣ କରିଥିବା ବ୍ୟକ୍ତି ଏବଂ ଜଣେ ମହିଳା ଗିରଫ । ଗିରଫ ମହିଳା ବାଲେଶ୍ବର ଖନ୍ତାପଡ଼ା ଥାନା ବୋଇତାର ଜେଲମ୍‌ ରାଣୀ ପଣ୍ଡା । ମହିଳା ଜଣଙ୍କ ସୁପାରୀ ଦେଇ ଶିଶୁ ଅପହରଣ କରିଥିବା ଜଣାପଡିଛି । ନିଜ ଛୁଆର କିଡନୀ ଖରାପ ଥିବାରୁ ଭୁବନେଶ୍ବରରୁ ଶିଶୁକୁ ଅପହରଣ ଯୋଜନା କରିଥିବା ପୋଲିସ ଜାଣିବାକୁ ପାଇଛି । ସେପଟେ ଅପହୃତ ଶିଶୁର ମାଆ ଜୟନ୍ତୀ ମଲ୍ଲିକ କହିଛନ୍ତି ମୋ ପୁଅ ମିଳିବା ଖବର ପାଇବା ପରେ ମୋତେ ଖୁସି ଲାଗୁଛି । ମୋ ଛୁଆକୁ କିଏ ନେଇଥିଲା ମୁଁ ଜାଣିନି । ମୋ ପୁଅକୁ ଫେରି ଆସିବ ବୋଲି କେବେ ଆଶା କରିନଥିଲି । ରାମ ମୋ ଛୁଆକୁ ଫେରାଇ ଦେଇଛନ୍ତି ।

ସ୍ବାମୀ ପରିତ୍ୟକ୍ତା ଜୟନ୍ତୀ ମଲ୍ଲିକ ଖାରବେଳ ନଗର ଥାନାରେ କରିଥିବା ଅଭିଯୋଗ ମୁତାବକ ସେ ନୀଳାଦ୍ରିବିହାର କନ୍ୟାଶ୍ରମ ସ୍ଥିତ ଘରେ ରହୁଥିଲେ । ତାଙ୍କର ଗୋଟିଏ ୭ ବର୍ଷର ଝିଅ ଓ ଦେଢ ବର୍ଷର ପୁଅ ରହିଛି । ସେ ଦୀର୍ଘ ୫ ବର୍ଷ ଧରି ରାମମନ୍ଦିର ସମ୍ମୁଖ ଫୁଟପାଥରେ ଭିକ୍ଷାବୃତ୍ତି କରି ଆସୁଛନ୍ତି । ଶନିବାର ଅପରାହ୍ନରେ ବର୍ଷା ହେବାରୁ ସେ ଆଉ ଘରକୁ ଫେରିପାରନଥିଲେ । ୨ଛୁଆଙ୍କୁ ଧରି ରାମମନ୍ଦିର ସମ୍ମୁଖ ଫୁଟପାଥରେ ଶୋଇପଡିଥିଲେ । ରାତି ୧୨ଟାରୁ ଜଣେ ବ୍ୟକ୍ତି ଆସି ସେଠାରେ ପହଞ୍ଚିଥିଲେ । ମୋ ପୁଅ ସହ ଖେଳାଖେଳି କରିଥିଲେ । ୨ଟି ୧୦ ଟଙ୍କିଆ ଜୁସ ଆଣି ଦେବା ସହ ତା ସହ ମୋବାଇଲରେ ଖେଳିଥିଲେ । ଏହି ସମୟ ମଧ୍ୟରେ ତାଙ୍କ ଆଖି ଲାଗି ଯାଇଥିଲା । ରାତି ପ୍ରାୟ ୩ଟା ବେଳକୁ ସେ ଦେଖିଲା ବେଳକୁ ପୁଅ ପାଖରେ ନଥିଲା । ପୁଅ ସଂପର୍କରେ ଆଖପାଖ ଲୋକଙ୍କୁ ପଚାରିଥିଲେ ମଧ୍ୟ କେହି କିଛି କହିପାରିନଥିଲେ । କେହି ଅଙ୍ଗତସ୍କରୀ ତାଙ୍କ ପୁଅକୁ ଚୋରି କରିନେଇଯାଇଥିବା ସେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା ଖାରବେଳ ନଗର ଥାନା ପୋଲିସ । ଜନଗହଳିପୂର୍ଣ୍ଣ ରାମମନ୍ଦିର ସମ୍ମୁଖରୁ ଶିଶୁ ଚୋରି ଘଟଣାକୁ କମିଶନରେଟ୍‌ ପୋଲିସ ଗମ୍ଭୀରତାର ସହ ନେଇଥିଲା । ଆଖପାଖରେ ଖୋଜାଖୋଜି କରିଥିଲା । ରାମମନ୍ଦିର ସମ୍ମୁଖରେ ଲାଗିଥିବା ସିସିଟିଭି ଓ ବିଭିନ୍ନ ଟ୍ରାଫିକ ଛକ ମାନଙ୍କରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା । ପ୍ରାୟ ୮ଟି ସିସିଟିଭି ଫୁଟେଜ ଯାଞ୍ଚ ପରେ ଅପହରଣକାରୀଙ୍କ ସନ୍ଧାନ ମିଳିଥିଲା । ଶନିବାର ବିଳମ୍ବିତ ରାତି ପ୍ରାୟ ୨ ଟା ସମୟରେ ଜଣେ ଦୁର୍ବୃତ୍ତ ଶିଶୁପୁତ୍ରକୁ ଷ୍ଟେସନ ଆଡକୁ ନେଇ ଯାଉଥିବାର ଭିଜୁଆଲ ସିସିଟିଭିରେ କଏଦ ହୋଇଥିଲା । 

ଫୁଟେଜ ସାମ୍ନାକୁ ଆସିବା ପରେ ତନାଘନା ଆରମ୍ଭ କରିଥିଲା ପୋଲିସ । ଦୁର୍ବୃତ୍ତ ଶିଶୁକୁ ଟ୍ରେନରେ ନେଇ ଯାଉଥିବାର ପକ୍କା ଖବର ପୋଲିସ ପାଖରେ ପହଞ୍ଚିଥିଲା । ବାସ୍‌ ତାପରେ ଅପରେସନ ଆରମ୍ଭ ହୋଇଯାଇଥିଲା ।  ଶିଶୁ ପୁତ୍ରକୁ ଉଦ୍ଧାର ପାଇଁ କମିଶନରେଟ୍‌ ପୋଲିସ ର ୩ଟି ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ।  ଶେଷରେ ଖନ୍ତାପଡା ବୋଇତା ଗାଁରେ ଚଢାଉ କରି ଶିଶୁ ପୁତ୍ରକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି । ତେବେ କେଉଁ ଉଦ୍ଦେଶ୍ୟରେ ଅଭିଯୁକ୍ତ ଶିଶୁକୁ ଚୋରି କରି ନେଇଥିଲା ତାହା ସ୍ପଷ୍ଟ ହୋଇନି । ପିଲା ଚୋରି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.