ଟ୍ରମ୍ପଙ୍କ ବିଜୟର କମାଲ, ନୂଆ ରେକର୍ଡ କଲା ବିଟ୍‌କଏନ

Published By : Prameya-News7 Bureau | December 05, 2024 IST

ନୂଆଦିଲ୍ଲୀ: କ୍ରିପ୍ଟୋ ମାର୍କେଟରେ ଜାରି ହଲ୍‌ଚଲ୍‌ ମଧ୍ୟରେ ନୂଆ ଇତିହାସ ରଚିଛି ବିଟ୍‌କଏନ । ବିଟକଏନର ଦାମ୍ ଏବେ ୧ ଲକ୍ଷ ଡଲାର ପାର୍ କରିଛି। ଭାରତୀୟ ମୁଦ୍ରାରେ ଦେଖିଲେ ଗୋଟିଏ ବିଟକଏନର ମୂଲ୍ୟ ୮୭ ଲକ୍ଷ ଟଙ୍କାରୁ ଅଧିକ ହୋଇଛି। 

ବଡ଼ କଥା ହେଲା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରଠାରୁ ହିଁ ବିଟକଏନ ଏବଂ  କ୍ରିପ୍ଟୋକରେନ୍ସୀରେ ବୃଦ୍ଧି ଦେଖିବାକୁ ମିଳିଛି। ପ୍ରକୃତରେ ଜୁଲାଇରେ ଡୋନାଲ୍ଡ ଟ୍ରମ୍ପ ନୈସଭିଲେରେ ଏକ କନଫରେନ୍ସରେ କ୍ରିପ୍ଟୋ କରେନ୍ସୀକୁ ନେଇ କିଛି ଘୋଷଣା କରିଥିଲେ। ଟ୍ରମ୍ପ କହିଥିଲେ ସେ ସତ୍ତାକୁ ଆସିଲେ ଆମେରିକାକୁ ଦୁନିଆର କ୍ରିପ୍ଟୋ କ୍ୟାପିଟାଲରେ ପରିଣତ କରିଦେବେ। ଆଉ ସେବେଠାରୁ ହିଁ ଏହାର ଦାମରେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇସାରିଛି । ବିଟକଏନ ପ୍ରଥମ ଥର ଏହି ରେକର୍ଡ କରିଛି। କୁହାଯାଉଛି ୨୦୨୫ ଜାନୁଆରୀ ୨୦ ପରେ ଏହା ଆହୁରି ବଢ଼ିବ। 

ସେପଟେ ଏଭଳି ବୃଦ୍ଧି ସହ ବିଟ୍‌କଏନର ମାର୍କେଟ କ୍ୟାପ୍ ଦୁନିଆର ଅନେକ ଦେଶର ଜିଡିପିକୁ ମଧ୍ୟ ପଛରେ ପକାଇଛି। କଏନ ମାର୍କେଟ କ୍ୟାପ ଅନୁଯାୟୀ, ବର୍ତ୍ତମାନ ବିଟକଏନର ମାର୍କେଟ କ୍ୟାପ୍‌ ୨ ଟ୍ରିଲିୟନ ଡଲାର ପାର୍‌ କରିଛି।

ସୂଚନାଥାଉକି, ବିଟକଏନ ଦୁନିଆର ସବୁଠୁ ପୁରୁଣା ଏବଂ ଲୋକପ୍ରିୟ କ୍ରିପ୍ଟୋକରେନ୍ସୀ। ରିପୋର୍ଟ ଅନୁଯାୟୀ, ଏହି ଡିଜିଟାଲ ମୁଦ୍ରା ୨୦୦୮ରେ ତିଆରି କରାଯାଇଥିଲା । ଏହାକୁ ସାତୋଶୀ ନାକାମୋତୋ ନାମକ ଜଣେ ବ୍ୟକ୍ତି ତିଆରି କରିଥିବା କୁହାଯାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.