କୁଏତ୍‌ର ସବୁଠାରୁ ଧନୀ ପରିବାର; ଅଛନ୍ତି ୧ହଜାର ସଦସ୍ୟ, ରହିଛି ବିଳାସପୂର୍ଣ୍ଣ ପ୍ରାସାଦ ସହ କାର୍‌

Published By : Prameya-News7 Bureau | December 23, 2024 IST

ନୂଆଦିଲ୍ଲୀ ୨୩।୧୨: କୁଏତ୍‌ର ସବୁଠାରୁ ଧନୀ ପରିବାର । ଦୁନିଆର ଅନେକ ବଡ ବଡ ଧନୀ ବ୍ୟକ୍ତି ମଧ୍ୟ ତାଙ୍କ ଆଗରେ ଫିକା ପଡିବେ । କୁଏତ ହେଉଛି ଏକ ଗଲ୍ଫ ଦେଶ । କିନ୍ତୁ ୧୭୫୨ ପରଠାରୁ ଏଠାରେ ଶାସନ କରୁଛନ୍ତି ଅଲ-ସବାହ ପରିବାର । ସେ ଦେଶକୁ ପ୍ରାକୃତିକ ଗ୍ୟାସ ଏବଂ ତୈଳ ଭଣ୍ଡାର ଭାବେ ବିଶ୍ୱ ସ୍ଥାନ ଦେଇଛନ୍ତି । 

ଗୋଟିଏ ପଟେ ବିଶ୍ବର ସବୁ ଦେଶ ଲୋକତନ୍ତ୍ର ଗ୍ରହଣ କରୁଥିବାବେଳେ କୁଏତରେ ଏବେ ବି ରାଜତନ୍ତ୍ର ଚାଲୁଛି । ଏଠାରେ ରାଜାଙ୍କୁ ଆମୀର କୁହାଯାଏ । ରିପୋର୍ଟ ଅନୁଯାୟୀ, ଏହି ପରିବାରର ମୋଟ ସମ୍ପତ୍ତିର ଦାମ୍‌ ପ୍ରାୟ ୩୬୦ ବିଲିୟନ ଡଲାର୍ । ଅର୍ଥାତ୍ ଭାରତୀୟ ମୂଲ୍ୟରେ ଏହି ସମ୍ପତ୍ତି ହେଉଛି ୩୦ ଲକ୍ଷ କୋଟିରୁ ଅଧିକ । 

କୁଏତର ଅଲ- ସବାହ ପରିବାର ହେଉଛି ଦୁନିଆର ସବୁଠାରୁ ଧନୀ ପରିବାର ମଧ୍ୟରୁ ଗୋଟିଏ । ବର୍ତ୍ତମାନ କୁଏତର ଆମୀର ହେଉଛନ୍ତି ମିଶଅଲ ଅଲ-ଅହମ୍ମଦ ଅଲ-ଜାବର ଅଲ-ସବାହ। ଏହି ପରିବାର ପ୍ରାୟ ତିନି ଶତାବ୍ଦୀ ଧରି କୁଏତ ଉପରେ ଶାସନ କରି ଆସୁଛନ୍ତି । ଆମେରିକାର ଷ୍ଟକ୍ ମାର୍କେଟରେ ଏହି ପରିବାର ବହୁ ଅର୍ଥ ବିନିଯୋଗ କରିଛନ୍ତି । 

ଖବର ଅନୁଯାୟୀ ଏହି ରାଜ ପରିବାରରେ ୧ହଜାରରୁ ଅଧିକ ସଦସ୍ୟ ଅଛନ୍ତି। ପରିବାରର ଅଧିକାଂଶ ସଦସ୍ୟ ତେଲ ବ୍ୟବସାୟ ସହିତ ଜଡିତ । ଏବେ ପ୍ରଶ୍ନ ଆସୁଛି ପରିବାରର ଆୟର ଉତ୍ସ କଣ ? ଏମାନଙ୍କର ରୋଜଗାରର ମୁଖ୍ୟ ଉତ୍ସ ହେଉଛି ବୃହତ ତୈଳ ଭଣ୍ଡାର । କୁଏତ ଏହି ତୈଳକୁ ଚୀନ୍, ଭାରତ ସମେତ ଅନେକ ଦେଶକୁ ବିକ୍ରି କରିଥାଏ । 

ଏହାବ୍ୟତୀତ ଏହି ରାଜ ପରିବାର ରିଅଲ ଇଷ୍ଟେଟ୍, ଟେଲିକମ୍ ସେକ୍ଟର ସମେତ ଆମେରିକାର ବଡ କମ୍ପାନୀ ଗୁଡିକରେ ଟଙ୍କା ବିନିଯୋଗ କରିଛନ୍ତି । ଅଲ-ସବାହ ପରିବାର ମଧ୍ୟ ବନ୍ଦର, ବିମାନବନ୍ଦର, ବିଦ୍ୟୁତ୍ ବିତରଣରେ ବିନିଯୋଗ କରିଛନ୍ତି। କୁଏତର ରାଜ ପରିବାର ଏକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି । ଏହି ପରିବାରର ଏକ ସ୍ୱତନ୍ତ୍ର ପ୍ରାସାଦ ଅଛି । ଯାହାର ନାଁ ହେଉଛି ବୟାନ୍ ପ୍ୟାଲେସ୍ । 

ଏକ ରିପୋର୍ଟ ଅନୁଯାୟୀ, ଏହି ପ୍ରାସାଦ ଏତେ ବିଳାସପୂର୍ଣ୍ଣ ଯେ ଏହାକୁ ନିର୍ମାଣରେ ୧୦୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାବ୍ୟତୀତ ରାଜ ପରିବାରରେ ରୋଲ୍ସ ରୋଏସ୍, ଫରାରୀ F40, ପୋର୍ସେ କେରେରା ପରି ବିଳାସପୂର୍ଣ୍ଣ କାର ମଧ୍ୟ ରହିଛି । ଏହି ରାଜ ପରିବାର ମଧ୍ୟ ଘୋଡାର ବହୁତ ସୌକିନ୍‌ । ଏମାନଙ୍କ ପାଖରେ ରହିଛନ୍ତି ଅନେକ ଘୋଡା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.