ଆସିଲା ନୂଆ ଡିଭାଇସ୍‌; ଦୂର ହେବ ବିଜୁଳି ଅଭାବ, ଟ୍ରାଫିକ୍ ଧୂଆଁରୁ ବାହାରିବ ବିଜୁଳି

Published By : Prameya-News7 Bureau | December 23, 2024 IST

ନୂଆଦିଲ୍ଲୀ ୨୩।୧୨: ସମସ୍ତେ ନିଶ୍ଚିତ ଭାବରେ ଟ୍ରାଫିକ୍ ଜାମର ସମ୍ମୁଖୀନ ହୋଇଥିବେ । କିନ୍ତୁ ଆପଣ କେବେ କଳ୍ପନା କରିପାରିବେ କି ଏହି ଟ୍ରାଫିକରୁ ଉତ୍ପନ୍ନ ହୋଇପାରିବ ବିଜୁଳି ? ଏକଥା ଶୁଣିଲେ ଅଜବ ଲାଗୁଛି ନା । କିନ୍ତୁ ଏହା ସତ । ଇସ୍ତାବୁଲ୍‌ର ସଡକରେ ଦେଖିବାକୁ ଏହି କ୍ରିଏଟିଭିଟି । ଏଠାରେ ଗାଡିଗୁଡିକ ଧୁଆଁରୁ ବିଦ୍ୟୁତ ଉତ୍ପାଦନ କରାଯାଉଛି । ଯାହା ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । 

ସୋଶିଆଲ୍‌ ମିଡିଆରେ ଏହାର ଚିତ୍ର ଏବେ ବେଶ୍‌ ଭାଇରାଲ୍‌ ହେଉଛି । ଏଥିରେ ଦେଖିବାକୁ ମିଳୁଛି କି ରାସ୍ତା ମଝିରେ ଏକ ଡିଭାଇସ୍‌ ଲଗାଯାଇଛି । ଏହି ଭର୍ଟିକାଲ୍‌ ଟର୍ବାଇନ୍‌ ଟ୍ରାଫିକ୍‌ର ଧୁଆଁରୁ ବିଦ୍ୟୁତ ଉତ୍ପାଦନ କରି ସମସ୍ତଙ୍କୁ କରିଛି ଚକିତ । ଏହାର ନାଁ ଏନ୍‌ଲିଲ୍‌ । ଏହି ଟର୍ବାଇନ ଗୁଡିକ ରାସ୍ତାରେ ଯାଉଥିବା ଗାଡିରୁ ଉତ୍ପନ୍ନ ଧୁଆଁକୁ ବ୍ୟବହାର କରି ବିଦ୍ୟୁତ୍ ଉତ୍ପାଦନ କରିଥାଏ । ଏଥିରୁ ଉତ୍ପନ୍ନ ବିଦ୍ୟୁତ ଷ୍ଟ୍ରିଟ୍ ଲାଇଟ୍ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତିକୁ ପାଓ୍ବାର ଦେଇଥାଏ । 

ଏହି ଟେକ୍ନୋଲୋଜିରେ ପରିବେଶ ଆହୁରି ଅନୁକୂଳ ହୋଇଯାଇଥାଏ । ଏକ ରିପୋର୍ଟ ଅନୁଯାୟୀ, ଏହି ଟର୍ବାଇନଗୁଡିକ ଆକାରରେ ଛୋଟ । କିନ୍ତୁ ଏହା ଘଣ୍ଟାପ୍ରତି ଏକ କିଲୋୱାଟ ବିଦ୍ୟୁତ୍ ଉତ୍ପାଦନ କରିବାର କ୍ଷମତା ରଖିଥାଏ । ଉଦାହରଣସ୍ବରୂପ ଗୋଟିଏ ଏନ୍‌ଲିଲ୍‌ ଟର୍ବାଇନ ଦୁଇଟି ଘରକୁ ଦିନସାରା ବିଦ୍ୟୁତ ଯୋଗାଇପାରେ । ଏନ୍‌ଲିଲ୍‌ ଟର୍ବାଇନଗୁଡିକରେ ବିଲ୍ଟ-ଇନ୍ ସେନ୍ସର ଲାଗିଥାଏ । ଯାହା ତାପମାତ୍ରା, ଆର୍ଦ୍ରତା, ଭୂକମ୍ପର ଗତିବିଧି ଏବଂ କାର୍ବନ ଫୁଟପ୍ରିଣ୍ଟ ରେକର୍ଡ କରିଥାଏ । 

ତେବେ ଏହି ଏନ୍‌ଲିଲ୍‌ର ଆଇଡିଆ କେରେମ ଦେବସି ନାମକ ଜଣେ ବ୍ୟବସାୟୀଙ୍କଠାରୁ ଆସିଥିଲା । ଇସ୍ତାନବୁଲରେ ବସ୍ରେ ଯାତ୍ରା କରିବା ସମୟରେ ଏହି ଚିନ୍ତାଧାରା ତାଙ୍କ ମୁଣ୍ଡକୁ ଆସିଥିଲା। ସିଭିଲ୍ ଇଞ୍ଜିନିୟରିଂ ପଠୁଥିବା ବେଳେ ସେ ନିଜ ବେଡରୁମରେ ଏହାର  ପ୍ରୋଟୋଟାଇପ୍ ପ୍ରସ୍ତୁତ କରିଥିଲେ । କିଛି ବର୍ଷ ପୂର୍ବେ ସେ ନିଜ ଭିଡିଓକୁ ନିଜ ଇନଷ୍ଟାଗ୍ରାମ ପେଜରେ ମଧ୍ୟ ସେୟାର କରିଥିଲେ । 

ତେବେ ଇସ୍ତାନବୁଲର ଏହି ଟେକ୍ନୋଲୋଜି ଭାରତରେ ମଧ୍ୟ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ଆଇଡିଆକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଉ କହିଛନ୍ତି କି 'ବହୁତ ଭଲ ଚିନ୍ତାଧାରା ... ଟ୍ରାଫିକରୁ ବିଦ୍ୟୁତ ଶକ୍ତି ଉତ୍ପନ୍ନ ହୋଇପାରିବ । ଏହାକୁ ଦିଲ୍ଲୀରେ ମଧ୍ୟ ଉପଯୋଗ କରାଯାଇ ହେବ ।  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.