ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ, ଜିତିଛନ୍ତି ୮ ଜାତୀୟ ପୁରସ୍କାର

Published By : Prameya-News7 Bureau | December 23, 2024 IST

ନୂଆଦିଲ୍ଲୀ: ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ସୋମବାର ପରଲୋକ ଘଟିଛି। ଆଜି ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ୯୦ ବର୍ଷ ବୟସରେ ବେନେଗଲ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଏହି ପ୍ରସିଦ୍ଧ ଫିଲ୍ମ ନିର୍ମାତା ବାର୍ଦ୍ଧକ୍ୟଜନିତ ସମସ୍ୟା କାରଣରୁ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଡିସେମ୍ବର ୧୪ରେ ୯୦ତମ ଜନ୍ମଦିନ ପାଳନ କରିଥିଲେ ବେନେଗଲ। ସିନେମା ଜଗତରେ ଅଦ୍ଭୁତପୂର୍ବ ଯୋଗଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। 

ଭାରତୀୟ ସିନେମାରେ ନସିରୁଦ୍ଦୀନ ଶାହ, ଅମରେଶ ପୁରୀ, ସ୍ମିତା ପାଟିଲ, ଓମ ପୁରୀ ଓ ଶବାନା ଆଜମୀଙ୍କ ପରି ବିଶିଷ୍ଟ ତାରକାଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇଥିବା ଶ୍ୟାମଙ୍କୁ ଦାଦା ସାହେବ ଫାଲେକ ସମ୍ମାନ ମିଳିସାରିଛି। ନିଜ କ୍ୟାରିୟରରେ ବେନେଗଲ ୮ ଥର ଜାତୀୟ ପୁରସ୍କାର ଜିତିଛନ୍ତି। ଓ୍ଵେଲକମ୍‌ ଟୁ ସଜ୍ଜନପୁରଠୁ ନେଇ ଦ ମେକିଂ ଅଫ ମହାତ୍ମା ଗାନ୍ଧୀ  ପର୍ଯ୍ୟନ୍ତ ତାଙ୍କ ସଫଳତାର କାହାଣୀ ବହୁତ ଲମ୍ବା ରହିଛି। 

Also read: ଭାରତର ମିଡିଆ ଏବଂ ମନୋରଞ୍ଜନ ଉଦ୍ୟୋଗରେ ମହିଳାଙ୍କ ପ୍ରତିନିଧିତ୍ୱ ହ୍ରାସ ପାଇଛି: ରିପୋର୍ଟ

ଶ୍ୟାମ ବେନେଗଲଙ୍କ ଝିଅ ପିୟା ପିତାଙ୍କ ମୃତ୍ୟୁର ସୂଚନା ଦେଇ କହିଛନ୍ତି ଯେ, ଶ୍ରୀ ଶ୍ୟାମ ବେନେଗଲଙ୍କ ଓ୍ଵାକହାର୍ଡ ହସ୍ପିଟାଲ୍ ମୁମ୍ବାଇ ସେଣ୍ଟ୍ରାଲରେ ସୋମବାର ସନ୍ଧ୍ୟା ୬ଟା ୩୮ ମିନିଟ୍‌ରେ ନିଧନ ଘଟିଛି। ସେ ଦୀର୍ଘ ସମୟ ଧରି କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଆଉ ଦିନକୁ ଦିନ ଏହା ଜଟିଳ ହେବାରେ ଲାଗିଲା। ଆଉ ଏଥିରେ ହିଁ ତାଙ୍କ ଜୀବନ ଦୀପ ଲିଭି ଯାଇଛି। 

ଶେଖର  କପୁର  ଶ୍ୟାମ ବେନେଗଲଙ୍କ ନିଧନରେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଶ୍ୟାମ ବେନେଗଲଙ୍କୁ ସର୍ବଦା ସେହି ମଣିଷ ଭାବେ ମନେ ରଖାଯିବ ଯିଏ ଅଙ୍କୁର, ମନ୍ଥନ ଏବଂ ଏମିତି ଅନେକ ଫିଲ୍ମ ସହିତ ଭାରତୀୟ ସିନେମା ଜଗତର ଦିଗକୁ ହିଁ ବଦଳାଇ ଦେଇଥିଲେ। ସେ ସ୍ମିତା ପାଟିଲଓ ଶବା ଆଜମୀଙ୍କ ପରି ମହାନ କଳାକାରଙ୍କୁ ତାରକା ବନାଇଥିଲେ। ଅଲବିଦା ମୋର ବନ୍ଧୁ ଓ ମାର୍ଗଦର୍ଶକ।  

Also read: ବଢ଼ିଲା ଅଲ୍ଲୁ ଅର୍ଜୁନଙ୍କ ଅଡ଼ୁଆ: ମାମଲା ଏବେ ଚୋର ପୁଲିସର ନୁହେଁ, ବରଂ ହିରୋ-ପୁଲିସର, ସିସିଟିଭି ଫୁଟେଜ୍ ଜାରି

ଶ୍ୟାମ ବେନେଗଲଙ୍କ ୧୯୩୪ ମସିହାରେ ହାଇଦ୍ରାବାଦର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଶ୍ୟାମ ପ୍ରସିଦ୍ଧ ଅଭିନେତା ତଥା ଫିଲ୍ମ ନିର୍ମାତା ଗୁରୁଦତ୍ତଙ୍କ ସଂପର୍କୀୟ ଭାଇ। ତାଙ୍କ ଉପଲବ୍ଧିର ତାଲିକା ବହୁତ ଲମ୍ବା ରହିଛି। ବହୁତ କମ ଲୋକ ଜାଣିଥିବେ ଯେ, ସର୍ବାଧିକ ଜାତୀୟ ପୁରସ୍କାର ଜିତିବାର ରେକର୍ଡ ଶ୍ୟାମ ବେନେଗଲଙ୍କ ନାଁରେ ରହିଛି। ସିନେମା ଜଗତରେ ଅଙ୍କୁର ହେଉଛି ତାଙ୍କର ପ୍ରଥମ ଫିଲ୍ମ। ଏହି ଫିଲ୍ମ  ପୂର୍ବରୁ ବେନେଗଲ ଅନେକ ଆଡ୍ ଏଜେନ୍ସି ପାଇଁ କାମ କରିଥିଲେ। ତାଙ୍କ ଦ୍ଵାରା ନିର୍ମିତ ଫିଲ୍ମରେ ଭୂମିକା, ଜୁନୁନ, କଲଯୁଗ, ମଣ୍ଡି, ଓ୍ଵେଲ ଡନ ଅବ୍ବା, ତ୍ରିକାଳ ଓ ଆରୋହଣ ପରି କମାଲ୍ ଫିଲ୍ମ ସାମିଲ୍। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.