ବଢ଼ିଲା ଅଲ୍ଲୁ ଅର୍ଜୁନଙ୍କ ଅଡ଼ୁଆ: ମାମଲା ଏବେ ଚୋର ପୁଲିସର ନୁହେଁ, ବରଂ ହିରୋ-ପୁଲିସର, ସିସିଟିଭି ଫୁଟେଜ୍ ଜାରି

Published By : Prameya-News7 Bureau | December 22, 2024 IST

indiatoday

ହାଇଦ୍ରାବାଦ: ପୁଷ୍ପା-୨ ପ୍ରିମିୟରରେ ହୋଇଥିବା ଦଳଚକଟା ଘଟଣା ବର୍ତ୍ତମାନ ଜାତୀୟ ପ୍ରସଙ୍ଗ ହୋଇଯାଇଛି। ଏହି ବିବାଦ ଥମିବାରେ ନାଁ ନେଉନି। ଅଲ୍ଲୁ ଅର୍ଜୁନଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ସମାଲୋଚନା କରିବା ପରେ ଅଲ୍ଲୁ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ। ହେଲେ ଏବେ ମାମଲା ଚୋର ପୁଲିସର ନୁହେଁ ବରଂ ହିରୋ-ପୁଲିସର ହୋଇଯାଇଛି। ମାନେ ତେଲେଙ୍ଗାନା ପୁଲିସ ବର୍ତ୍ତମାନ ଅଲ୍ଲୁଙ୍କ ବୟାନକୁ ମିଛ ପ୍ରମାଣିତ କରିବାକୁ ଭିଡିଓ ଫୁଟେଜ୍ ଜାରି କରିଛି। 

ହାଇଦ୍ରାବାଦ ପୋଲିସ ରବିବାର ଦିନ ସାନ୍ଧ୍ୟା ଥିଏଟରରୁ ସିସିଟିଭି ଫୁଟେଜ ଶେୟାର ଜାରି କରିଛି। ଯେଉଁଥିରେ ତେଲୁଗୁ ଅଭିନେତା ଅଲୁ ଅର୍ଜୁନ ଏବଂ ତାଙ୍କ ଟିମ୍‌କୁ ଦଳା ଚକଟାରୁ ପୋଲିସ୍ ସୁରକ୍ଷିତ ବାହାରକୁ ବାହାର କରି ନେଉଥିବାର ଦେଖା ଯାଉଛି। ଅଲ୍ଲୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମାଲୋଚନା ପରେ ଅଲ୍ଲୁ ସାମ୍ବାଦିକ ସମ୍ମିଳନୀ କରି ନିଜକୁ ନିରିହ ବୋଲି କହିଥିଲେ। କୌଣସି ପୁଲିସ କର୍ମୀ ତାଙ୍କୁ ସିନେମା ହଲ୍‌ରୁ ବାହାରକୁ ଯିବାକୁ କହି ନଥିଲେ ବୋଲି ଅଲ୍ଲୁ କହିଥିଲେ। ହେଲେ ପୁଲିସ ଏହାର ସତ୍ୟତା ପ୍ରମାଣ କରିବାକୁ ସିସିଟିଭି ପୁଟେଜ୍ ଜାରି କରିଛି। 

କେବଳ ସେତିକି ନୁହେଁ, ଆସିଷ୍ଟାଣ୍ଟ କମିଶନର୍ ପୋଲିସ୍ (ଏସିପି) ରମେଶ ଅଲ୍ଲୁ ଅର୍ଜୁନଙ୍କ ଦାବିକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସାନ୍ଧ୍ୟା ଥିଏଟରରେ ଫିଲ୍ମ ଦେଖୁଥିବା ବେଳେ ଅଭିନେତାଙ୍କୁ ଦଳାଚକଟା ବିଷୟରେ ଅବଗତ କରାଯାଇଥିଲା। ବଂର ଅଲ୍ଲୁଙ୍କ ଅର୍ଜୁନଙ୍କ ଟିମ ତାଙ୍କୁ ଅଭିନେତାଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ଦେଇ ନଥିଲା।

ଏସିପି ରମେଶ କହିଛନ୍ତି “ଫିଲ୍ମର କାଷ୍ଟ ଏବଂ କ୍ରୁ ଥିଏଟରରେ ଫିଲ୍ମ ଦେଖୁଥିବା ବେଳେ ଅଲ୍ଲୁ ଅର୍ଜୁନଙ୍କ ମ୍ୟାନେଜର ସନ୍ତୋଷଙ୍କୁ ପ୍ରଥମେ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଥିଲା। ଆମେ ଏହା ମଧ୍ୟ କହିଥିଲୁ ଯେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି, ଜଣେ ଛୋଟପିଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତଥାପି ସନ୍ତୋଷ ଏବଂ ଅନ୍ୟମାନେ ଆମକୁ ଅଭିନେତାଙ୍କୁ ଭେଟିବାକୁ ଦେଇନଥିଲେ।”

ଏହା ପୂର୍ବରୁ ରେବନ୍ତ ରେଡ୍ଡୀ ଅଲ୍ଲୁ ଅର୍ଜୁନଙ୍କୁ ସମାଲୋଚନା କରିଥିଲେ। ଦୁର୍ଘଟଣା ସମ୍ପର୍କରେ ପୁଲିସ ଠାରୁ ଜାଣିବା ପରେ ବି ହଲ୍‌ରୁ ଯାଇ ନଥିଲେ। ବାଧ୍ୟ ହୋଇ ଡିଏସ୍‌ପି ତାଙ୍କୁ ଗିରଫ କରିବାର ଭୟ ଦେଖାଇ କାଢ଼ି ନେଇଯାଇଥିଲେ। ଗଲାବେଳେ ବି ସେ ଫ୍ୟାନ୍‌ଙ୍କୁ ହାତ ହଲାଇ ଯାଇଥିଲେ। କିଭଳି ଅବିବେକି ମଣିଷ ବୋଲି ରେବନ୍ତ ରେଡ୍ଡୀ ତାଙ୍କୁ ସମାଲୋଚନା କରିଥିଲେ। ଏହାପରେ ଅଲ୍ଲୁ ସାମ୍ବାଦିକ ସମ୍ମିଳନୀ କରି ନିଜକୁ ନିର୍ଦ୍ଦୋଷ କହିବା ସହିତ ଏହା ସତ ନୁହେଁ, ବାସ୍ତବରେ, ପୋଲିସ ମୋ ପାଇଁ ରାସ୍ତା ସଫା କରୁଥିଲା ଏବଂ ମୁଁ ସେମାନଙ୍କ ନିର୍ଦ୍ଦେଶରେ ସେହି ସ୍ଥାନରେ ପହଞ୍ଚିଥିଲି ବୋଲି ଅର୍ଜୁନ କହିଥିଲେ। 

ଏହି ଘଟଣାରେ ଅଲ୍ଲୁ ଅର୍ଜୁନଙ୍କ ହାଇଦ୍ରାବାଦ ସ୍ଥିତ ଜୁବଲୀ ହିଲ୍‌ ଘରେ ଆଜି(ଡିସେମ୍ବର ୨୨)  ଭଙ୍ଗାରୁଜା ହୋଇଛି। ଓସମାନିଆ ୟୁନିଭର୍ସିଟିର ଜଏଣ୍ଟ ଆକ୍ସନ କମିଟି ଅଲ୍ଲୁଙ୍କ ଗେଟ ଭିତରେ ଧସେଇ ପସିଥିଲେ। ପୀଡ଼ିତଙ୍କ ପରିବାରକୁ ଏକ କୋଟି କ୍ଷତିପୂରଣ ଦାବି କରିବା ସହିତ ତାଙ୍କ ବଗିଚା ଉଜାଡ଼ି ଦେଇଥିଲେ। ଘଟଣାରେ ପୁଲିସ ୮ ଜଣଙ୍କ ଅଟକ ରଖିଛି।

ଏପଟେ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଜାତୀୟ ପୁରସ୍କାର ବିଜେତା ହିରୋଙ୍କ ଛବି ଖରାପ କରିଥିବା ଅଭିଯୋଗ କରି ବିଜେପି ଓ ବିଆର୍‌ଏସ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି। ଅଭିନେତା କଂଗ୍ରେସ ପାଇଁ ପ୍ରଚାର କରି ନଥିଲା ବୋଲି ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ବିଜେପି ନେତା ଅମିତ ମାଲବ୍ୟ କହିଛନ୍ତି। ତାଙ୍କ ବିରୋଧରେ ରାଜ୍ୟ ସରକାର ପ୍ରାୟୋଜିତ ଆତଙ୍କବାଦ ଘଟଣା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ସେହିପରି ବିଆରଏସ ନେତା କେ.ଟି ରାମା ରାଓ ମଧ୍ୟ ଅଲୁ ଅର୍ଜୁନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟକୁ ନିନ୍ଦା କରିଛନ୍ତି ଏବଂ ଏହାକୁ "ଶାସକଙ୍କ ଅସୁରକ୍ଷିତତା" ର ପ୍ରତିଫଳନ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.