ଭୁବନେଶ୍ବର (ମଧ୍ୟ)ର ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତିଙ୍କ ଦେହାନ୍ତ

Published By : Prameya-News7 Bureau | December 22, 2024 IST

ଭୁବନେଶ୍ବର ୨୨।୧୨: ପୂର୍ବତନ ବିଜେଡ଼ି ବିଧାୟକ ବିଜୟ ମହାନ୍ତି (ବାଦଲ)ଙ୍କ ପରଲୋକ । ୬୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ବିଜୟ ମହାନ୍ତି । ସେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ । ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ବିଜୟ । ୨୦୦୯ ଓ ୨୦୧୪ରେ ବିଜୟ ମହାନ୍ତି ବିଜେଡିରୁ ପ୍ରାର୍ଥୀ ହୋଇ ଜିତିଥିଲେ ।

୧୯୬୪ ମସିହା ଅକ୍ଟୋବର ୩ ତାରିଖରେ ବିଜୟ ମହାନ୍ତିଙ୍କ ଜନ୍ମ । ପିଲାବେଳରୁ ରାଜନୀତି ପ୍ରତି ବିଜୟଙ୍କ ଦୁର୍ବଳତା ରହିଥିଲା । ଏହିକ୍ରମରେ ପ୍ରଥମେ ବିଜୁ ଜନତା ଦଳ ଜଣେ କର୍ମୀ ଭାବେ ସାମିଲ ହୋଇଥିଲେ । ପରେ ତାଙ୍କର ଦକ୍ଷତା ଏବଂ କାର୍ଯ୍ୟଶୈଳୀ ଦେଖି ବିଭିନ୍ନ ପଦ ପଦବୀ ଦିଆଯାଇଥିଲା । ୧୯୮୨ ମସିହାରେ ଛାତ୍ର ଜନତା ଦଳର ପ୍ରଥମେ ସଚିବ ଭାବେ କାମ କରିଥିଲେ । ଏହାପରେ ୧୯୮୮ରୁ ୯୨ ପର୍ଯ୍ୟନ୍ତ (ଭୁବନେଶ୍ୱର) ଯୁବ ଜନତା ଦଳର ସଭାପତି, ୧୯୯୨ରୁ ୯୮ ଯାଏଁ ବିଜେଡିର ସଚିବ ରହିଥିଲେ । ପରବର୍ତ୍ତୀ ସମୟରେ ଦିନ ଗଡିବା ସହ ଦଳରେ ବିଭିନ୍ନ ପଦପଦବୀ ସମ୍ଭାଳିଥିଲେ। 

୨୦୦୯ ବିଧାନସଭା ନିର୍ବାଚନରେ ବିଜେଡି ବିଜୟ ମହାନ୍ତିଙ୍କୁ ଭୁବନେଶ୍ୱର ମଧ୍ୟ ଆସନରୁ ଟିକେଟ ଦେଇଥିଲା । ଆଉ ସେ ଦଳର ମାନ ରଖି ବିଜୟୀ ହୋଇଥିଲେ । ଏହାପରେ ୨୦୧୪ରେ ପୁଣି ଥରେ ଦଳ ତାଙ୍କ ଉପରେ ଭରସା କରିଥିଲା । ଆଉ ସେହି ସମାନ ଆସନରୁ ବିଧାୟକ ଟିକେଟ ବି ଦେଇଥିଲା । ଏଥର ବି ଦଳକୁ ନିରାଶ କରିନଥିଲେ ବିଜୟ ମହାନ୍ତି । ରେକର୍ଡ ସଂଖ୍ୟକରେ ନିଜ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ୨ୟ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଧାୟକ ଥିବା ସମୟରେ ବିଧାନସଭାର ବିଭିନ୍ନ କମିଟିର ସଦସ୍ୟ ମଧ୍ୟ ରହିଥିଲେ ବିଜୟ ମହାନ୍ତି । ଜଣେ ଦକ୍ଷ ନେତା ଏବଂ ରାଜନୈତିଜ୍ଞ ଭାବେ ବେଶ୍‌ ଜଣାଶୁଣା ଥିଲେ ବିଜୟ । ଖାସ୍‌ କରି ଭୁବନେଶ୍ୱର ଅଞ୍ଚଳରେ କର୍ମୀମାନଙ୍କୁ କିପରି ଏକ୍‌ଜୁଟ୍‌ କରି ରଖିବା, ତାଙ୍କୁ ବେଶ୍‌ ଭଲ ଭାବେ ଥିଲା ଜଣା । ହେଲେ ୨୦୧୯ରେ ଦଳ ତାଙ୍କ ଟିକେଟରୁ ବାଦ୍‌ ପଡିଥିଲେ । ତାଙ୍କ ବଦଳରେ ମଧ୍ୟ ଆସନ ଲାଗି ଭୁବନେଶ୍ୱର ମହାନଗର ନିଗମ (BMC)ର ପୂର୍ବତନ ମେୟର ତଥା ବରିଷ୍ଠ ନେତା ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କୁ ଟିକେଟ ଦେଇଥିଲେ ସୁପ୍ରିମୋ । 

ତେବେ ଗତ କିଛି ହେବ ବିଜୟ ମହାନ୍ତିଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା । ଯାହାଫଳରେ ତାଙ୍କ ଚିକିତ୍ସା ମଧ୍ୟ ଚାଲିଥିଲେ । ଶେଷରେ ମାତ୍ର ୬୩ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଭୁବନେଶ୍ୱର ମଧ୍ୟ ଆସନର ଏହି ପୂର୍ବତନ ବିଧାୟକ । ବିଜୟ ମହାନ୍ତିଙ୍କ ଦେହାନ୍ତରେ ରାଜନୈତିକ ମାହୋଲରେ ଖେଳିଯାଇଛି ଶୋକର ଛାୟା । ବାସଭବନରେ ତାଙ୍କ ମୃତଦେହ ରହିଥିବା ବେଳେ ବିଭିନ୍ନ ଦଳର ନେତା ଏବଂ କର୍ମୀମାନେ ଆସି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରୁଛନ୍ତି । 

You Can Read:

ବିନା କଟନୀ ଛଟନୀରେ ଧାନ ଉଠାଇବାକୁ ଦାବି କଲେ ତାରା ବାହିନୀପତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.