ନିର୍ବାଚନର ୬ ମାସ ପରେ ବିଜେଡିର ସାଂଘାତିକ ଅଭିଯୋଗ, ପୂରା ନିର୍ବାଚନ ଗଡ଼ବଡ଼, ତଥ୍ୟ ଦେଉ ନାହାନ୍ତି ଇଲେକ୍ଟୋରାଲ ଅଫିସର

Published By : Prameya-News7 Bureau | December 23, 2024 IST

News7

ଭୁବନେଶ୍ଵର: ୨୦୨୪ ସାଧାରଣ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଲା ବିଜେଡି । ଏନେଇ ନିର୍ବାଚନ କମିଶନଙ୍କୁ ଫେରାଦ୍ ହୋଇଛନ୍ତି ବିଜେଡିର ଏକ ପ୍ରତିନିଧି ଦଳ । କେବଳ EVMରେ ନୁହେଁ ପୂରା ନିର୍ବାଚନ ପ୍ରକ୍ରିୟାରେ  ଗଡ଼ବଡ଼ି ହୋଇଥିବା ଦଳ ଅଭିଯୋଗ କରିଛି। ଏପରିକି ତଥ୍ୟ ମାଗିଲେ ଇଲେକ୍ଟୋରାଲ ଅଫିସର ତଥ୍ୟ ଦେଉ ନ ଥିବା ଦଳ ଅଭିଯୋଗ କରିଛି। ଆଜି ଦିଲ୍ଲୀରେ ଏକ ପ୍ରେସମିଟ କରି ଏଭଳି ଅଭିଯୋଗ କରିଛନ୍ତି ବିଜେଡିର ୭ ରାଜ୍ୟସଭା ସାଂସଦଙ୍କ ସମେତ ପୂର୍ବତନ ସାଂସଦ ଅମର ପଟ୍ଟନାୟକ । ସେପଟେ ବିଜେଡିର ଏଭଳି ଅଭିଯୋଗର ଜବାବ୍ ରଖି ବିଜେପି କହିଛି ନିର୍ବାଚନରେ ହାରିବା ପରେ ଏଭଳି ଅମୂଳକ ଅଭିଯୋଗ ଉଠାଉଛି ବିଜେଡି ।

ନିର୍ବାଚନର ୬ମାସ ପରେ ସାଂଘାତିକ ଅଭିଯୋଗ ଆଣିଛି ବିଜେଡି । ୨୦୨୪ ସାଧାରଣ ନିର୍ବାଚନରେ ଅନିୟମିତତା ହୋଇଥିବା ଦଳ ଅଭିଯୋଗ କରିଛି । ଏନେଇ ଆଜି ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି ବିଜେଡିର ଏକ ପ୍ରତିନିଧି ଦଳ । ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ କମିସନଙ୍କୁ ଭେଟି ସ୍ମାରକପତ୍ର ଦେବା ପରେ ବିଜେଡି ସଂସଦୀୟ ଟିମ୍ ସୋମବାର ଅପରାହ୍ଣରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ସୂଚନା ଦେଇଛି।  ପୂର୍ବତନ ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ ଦେଶରେ ସାଧାରଣ ନିର୍ବାଚନ ସରିବାର ୬ ମାସ ବିତିଗଲାଣି ହେଲେ ନିର୍ବାଚନ ଆଇନ ୧୯୬୧ (୯୩) ଅନୁସାରେ ଦେୟ ପୈଠ କରି ପ୍ରାର୍ଥୀ ଓ ଦଳ ୧୭ (ସି) ପାର୍ଟ (୧) ଓ ୧୭ (ସି) ପାର୍ଟ (୨) ଆଧାରେ ମାଗିଥିବା ତଥ୍ୟ ନିର୍ବାଚନ କମିଶନ ଏ ପର୍ଯ୍ୟନ୍ତ ଦେଉ ନାହାନ୍ତି। ଏଣୁ ଆମେ ଏ ସମ୍ପର୍କରେ ଆଜି ନିର୍ବାଚନ କମିଶନଙ୍କୁ ଭେଟି ଏକ ଲେଟର ପିଟିସନ ଦେଇଛୁ। 

Also read: ଆମ୍ୱେଦରଙ୍କୁ ଅପମାନ ଗ୍ରହଣୀୟ ନୁହେଁ, ମଙ୍ଗଳବାର ଦେଶବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ

ବିଜେଡି ଅଭିଯୋଗ  କରିଛି ଯେ, ନିର୍ବାଚନ ବେଳେ EVMରେ ଗଡ଼ବଡ଼ ହୋଇଛି । କେବଳ EVMରେ ନୁହେଁ,  ପୂରା ନିର୍ବାଚନ ପ୍ରକ୍ରିୟାରେ ହିଁ ଗଡବଡ ହୋଇଛି।  ନିର୍ବାଚନ କମିଶନଙ୍କ ଆଗରେ ବିଜେଡି ମୁଖ୍ୟତଃ  ୩ଟି ଅଭିଯୋଗ ରଖିଛି । ପ୍ରଥମ ଅଭିଯୋଗ ହେଲା EVMରେ ଯେତିକି ଭୋଟ ପଡିଛି ଗଣତି ବେଳେ ତାର ତାରତମ୍ୟ ରହୁନି । ଫୁଲବାଣୀ ବୁଥ ନମ୍ବର ୫୭ର ଉଦାହରଣ ଦେଇ ବିଜେଡି କହିଛି,  ଏହି ବୁଥରେ ଯେତିକି ଭୋଟ ପଡିଛି ଗଣତି ବେଳେ ସେଥିରେ  ୬୮୨   ଖଣ୍ଡ ଭୋଟ ଅଧିକ ଦର୍ଶାଉଛି ।  ତେବେ କେବଳ ଫୁଲବାଣୀ ବିଧାନସଭା କି କନ୍ଧମାଳ ଲୋକସଭା ଆସନ ନୁହେଁ ତଳସରା ବୁଥ ନମ୍ବର ୧୬୫ ଓ ୨୧୯ ଯଥାକ୍ରମେ ୬୬୦ ଓ ୭୮୪ ଫରକ୍ ଦେଖାଯାଇଛି। ଏଭଳି ଫରକ ରାଜ୍ୟର ୨୧ଟି ଲୋକସଭା ନିର୍ବାଚନଣ୍ଡଳି ସହ ୧୦୦ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ଦେଖାଯାଇଛି, ଯେଉଁଠି ୨ ହଜାରରୁ ୪ ହଜାର ପର୍ଯ୍ୟନ୍ତ ଭୋଟରେ ଅନ୍ତର ଦେଖାଯାଇଛି।  

ବିଜେଡିର ଦ୍ବିତୀୟ ଅଭିଯୋଗ ପ୍ରତି ଲୋକସଭା ଆସନରରେ EVMରେ ମୋଟ ଯେତିକି ଭୋଟ ପଡିଛି ସେହି ଲୋକସଭା ଅଧୀନରେ ଥିବା ୭ ବିଧାନସଭାର ମୋଟ ଭୋଟ ସହ ତାହା ମେଳ ଖାଉ ନାହିଁ । ବିଜେଡିର ତୃତୀୟ ଅଭିଯୋଗ ଯେଉଁଦିନ ଭୋଟ ଗ୍ରହଣ ହେଲା ସେହି ଦିନ ନିର୍ବାଚନ କମିଶନ ଯେତିକି ଭୋଟ ପ୍ରତିଶତ ହୋଇଛି ବୋଲି  ଘୋଷଣା କଲେ ତାର ଦୁଇ ଦିନ ପରେ ଚୂଡ଼ାନ୍ତ ଭୋଟ ପ୍ରତିଶତ ଘୋଷଣା ଭିତରେ ବହୁତ ଫରକ ଦେଖିବାକୁ ମିଳିଲା। ଏସବୁ ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛି ବିଜେଡି । 

Also read: ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡିରେ କମ୍ପନ, ତଥ୍ୟକୁ ପ୍ରତ୍ୟାଖ୍ୟାନ କଲା ଦଳ

ଆଜି ଦିଲ୍ଲୀରେ ବିଜେଡିର ୭ ଜଣ ରାଜ୍ୟସଭା ସାଂସଦ ଓ ପୂର୍ବତନ ସାଂସଦ ଅମର ପଟ୍ଟନାୟକ ମିଳିତ ଭାବେ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଥିଲେ । ଯେହେତୁ ନିର୍ବାଚନ କମିଶନ ଏକ ସ୍ବତନ୍ତ୍ର ସଂସ୍ଥା ଓ ଏହା ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ଜଣାଯାଏ ସେଥି ପାଇଁ  ନିର୍ବାଚନ ପ୍ରକ୍ରିୟାରେ ଏସବୁ ତାରତମ୍ୟ ଉପରେ ଦଳ ପକ୍ଷରୁ ଜବାବ ମଗାଯାଇଛି ବୋଲି କହିଛି ବିଜେଡି । ଏସବୁ ତଥ୍ୟ ନିର୍ବାଚନ କମିଶନଙ୍କ ଓ୍ବେବସାଇଟ୍, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଓ ଦଳର   ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ତଥ୍ୟ ଆଧାରରେ ସଂଗୃହିତ ହୋଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି । ଏଥି ସହ ଆଉ କିଛି ତଥ୍ୟ ଦଳ ପକ୍ଷରୁ ମଗାଯାଇଥିଲେ ହେଁ, ଇଲେକ୍ଟୋରାଲ ଅଫିସର ଦେଉ ନାହାନ୍ତି।  ତେଣୁ ତଥ୍ୟ ଦେବାକୁ ନିର୍ବାଚନ କମିଶନ ଇଲେକ୍ଟୋରାଲ ଅଫିସରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛି ବିଜେଡି ।

ସେପଟେ ବିଜେଡିର ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ବିଜେପି କହିଛି ବିଜେଡି ହାରିଯିବା ପରେ ଏଭଳି ଅମୂଳକ ଅଭିଯୋଗ ଉଠାଉଛି । ପ୍ରେସମିଟ୍ରେ ବିଜେପି ପକ୍ଷରୁ ବଳଭଦ୍ର ମାଝି କହିଛନ୍ତି ବିଜେଡିକୁ ହାରିବା ହଜମ ହେଉନି। ନୀତି ନିୟମ ଅନୁସାରେ ନିର୍ବାଚନ ହୋଇଛି। ବିଜେଡି ଉପସ୍ଥିତିରେ ନିର୍ବାଚନ ହୋଇଛି। ନିର୍ବାଚନର ୬ ମାସ ପରେ ବିଜେଡିର ଏଭଳି ପ୍ରଳାପ କାହିଁକି ? ସେମାନେ ନିଜେ ଆତ୍ମ ସମୀକ୍ଷା କରିବା ଦରକାର କେଉଁଥିପାଇଁ ହାରିଲେ ? ଦିଲ୍ଲୀ ଯାଇକି ନିର୍ବାଚନ କମିଶନ୍ଙ୍କ ପାଖରେ ହାଜର ହୋଇ ଏଭଳି ବୃଥା ଚେଷ୍ଟା ନକରନ୍ତୁ। ଉଲ୍ଲେଖନୀୟ ଯେ, ୨୦୨୪ ନିର୍ବାଚନ ପରେ ଇଭିଏମ୍ ଗଡବଡି ନେଇ କଂଗ୍ରେସ ସହ ଅନେକ ଦଳ ପ୍ରଶ୍ନ ଉଠାଇଛନ୍ତି। ଏବେ ବିଜେଡି ଏଥିରେ ସାମିଲ ହୋଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.