ନୂଆଦିଲ୍ଲୀ ୨୩/୧୨: ଶାସନ ଗଲା ଏବେ ପରିବାର ବି ଯିବ । ଭାଙ୍ଗିଯିବାକୁ ବସିଛି ତାଙ୍କ ବୈବାହିକ ଜୀବନ । ଆଜ୍ଞା ହଁ ଆମେ କହୁଛୁ ବହିଷ୍କୃତ ସିରିଆ ରାଷ୍ଟ୍ରପତି ବସର ଅଲ-ଅସଦଙ୍କ କଥା । ମାନେ ତାଙ୍କ ବ୍ରିଟିଶ ପତ୍ନୀ ଆସମା ଅଲ-ଅସଦ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ତୁର୍କୀ ଏବଂ ଆରବ ଗଣମାଧ୍ୟମ ଅନୁଯାୟୀ ଆସମା ମସ୍କୋରେ ଖୁସିରେ ନାହାଁନ୍ତି ଏବଂ ସେ ଲଣ୍ଡନ ଯିବାକୁ ଚାହୁଁଛନ୍ତି ।
କହିରଖୁଛୁ ଯେ ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ସିରିଆରେ ହୋଇଥିବା ସତ୍ତା ପରିବର୍ତ୍ତନ ପରେ ବସର ଅଲ-ଅସଦ ତାଙ୍କ ପରିବାର ସହିତ ଋଷକୁ ପଳାଇ ଆସିଥିଲେ । ଭ୍ଲାଦିମିର ପୁଟିନ ତାଙ୍କୁ ତାଙ୍କ ଦେଶରେ ରାଜନୈତିକ ଆଶ୍ରୟ ଦେଇଛନ୍ତି।
ତେବେ ଆସମା ଋଷର କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ମସ୍କୋ ଛାଡିବାକୁ ସ୍ୱତନ୍ତ୍ର ଅନୁମତି ମାଗିଛନ୍ତି ସେ । ତାଙ୍କର ଆବେଦନକୁ ଋଷ କର୍ତ୍ତୃପକ୍ଷ ବିଚାର କରୁଛନ୍ତି। ରିପୋର୍ଟ ଅନୁଯାୟୀ ଆସମାଙ୍କର ବ୍ରିଟେନ ଏବଂ ସିରିଆର ଦ୍ୱାରା ନାଗରିକତା ରହିଛି। ସେ ଲଣ୍ଡନରେ ସିରିଆର ପିତାମାତାଙ୍କଠାରେ ଜନ୍ମଗ୍ରହଣ କରିଥିଲେ । ଆସମା ୨୦୦୦ରେ ସିରିଆ ଯାଇ ସେହି ବର୍ଷ ୨୫ବର୍ଷ ବୟସରେ ଅସଦଙ୍କୁ ବିବାହ କରିଥିଲେ।
ଋଷରେ ବସରଙ୍କୁ କଠୋର ପ୍ରତିବନ୍ଧକ:
ରାଜନୈତିକ ଆଶ୍ରୟ ପାଇଁ ବସର ଅଲ-ଅସଦଙ୍କ ଅନୁରୋଧକୁ ଋଷ ଗ୍ରହଣ କରିଥାଇପାରେ । କିନ୍ତୁ ତାଙ୍କୁ କଠୋର ପ୍ରତିବନ୍ଧକ ଲାଗୁ କରାଯାଇଛି । ସେମାନଙ୍କୁ ମସ୍କୋ ଛାଡିବାକୁ କିମ୍ବା କୌଣସି ରାଜନୈତିକ କାର୍ଯ୍ୟରେ ଲିପ୍ତ ରହିବାକୁ ଅନୁମତି ନାହିଁ । ଋଷର କର୍ତ୍ତୃପକ୍ଷ ମଧ୍ୟ ବସର ଅଲ-ଅସଦଙ୍କ ସମ୍ପତ୍ତି ଏବଂ ଟଙ୍କା ସିଜ୍ ହୋଇଛି । ତାଙ୍କ ସମ୍ପତ୍ତିରେ ୨୭୦ କିଲୋଗ୍ରାମ ସୁନା, ୨ବିଲିୟନ ଡଲାର ଏବଂ ମସ୍କୋରେ ୧୮ଟି ଆପାର୍ଟମେଣ୍ଟ ଅନ୍ତର୍ଭୁକ୍ତ ଅଛି ।
ଋଷ ଅସଦଙ୍କ ଭାଇଙ୍କୁ ଆଶ୍ରୟ ଦେଇନି:
ସାଉଦି ଏବଂ ତୁର୍କୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବସର ଅଲ-ଅସଦଙ୍କ ଭାଇ ମହେର ଅଲ-ଅସଦଙ୍କୁ ଋଷରେ ଆଶ୍ରୟ ମିଳିନି । ତାଙ୍କ ଅନୁରୋଧ ଏବେ ମଧ୍ୟ ସମୀକ୍ଷା ଚାଲିଛି । ମେହେର ଏବଂ ତାଙ୍କ ପରିବାର ଋଷରେ ନଜରବନ୍ଦୀ ଅଛନ୍ତି । ହାୟାତ୍ ତାହିର ଅଲ-ଶାମ (HTS) ଙ୍କ ନେତୃତ୍ୱରେ ବିଦ୍ରୋହୀ ବାହିନୀ ଡିସେମ୍ବର ଆରମ୍ଭରେ ରାଜଧାନୀ ଦମିସେକରେ ରାଷ୍ଟ୍ରପତି ଭବନକୁ କାବୁ କରି ବସର ଅଲ-ଅସଦଙ୍କ 24 ବର୍ଷର ଶାସନକୁ ସମାପ୍ତ କରିଥିଲେ।