୫୦୦୦ କୋଟିର ବିବାହ ବଜେଟ, ସାମିଲ ହେବେ ବିଲ୍ ଗେଟ୍ସ ଓ ଲିଆନାଡୋ ଡିକାପ୍ରିଓ

Published By : Prameya-News7 Bureau | December 23, 2024 IST

ଭୁବନେଶ୍ୱର ୨୩/୧୨: ଇ-କମର୍ସ ୱେବସାଇଟ୍‌ ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌(୬୦)ନିଜ ଗାର୍ଲଫ୍ରେଣ୍ଡ ଲରେନ୍‌ ସାଞ୍ଚେଜ୍‌(୫୫)ଙ୍କୁ ବିବାହ କରିବାକୁ ଯାଉଛନ୍ତି । ଆସନ୍ତା ଶନିବାର ଅର୍ଥାତ୍‌ ଡିସେମ୍ବର ୨୮ରେ କଲରାଡୋର ଆସ୍ପେନ୍‌ ସହରରେ ଏହି ସମାରୋହ ଅନୁଷ୍ଠିତ ହେବ । ଯଦିଓ ବିବାହ ତାରିଖକୁ ନେଇ ଦମ୍ପତି କିଛି ପ୍ରକାଶ କରିନାହାନ୍ତି ତେବେ ଏ ସଂପର୍କରେ ଅନେକ ଚର୍ଚ୍ଚା ଚାଲିଛି । ବିବାହ ଉତ୍ସବରେ ମୋଟ ୬୦୦ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୫୦୯୬ କୋଟି ଟଙ୍କା) ଖର୍ଚ୍ଚ ହେବ ବୋଲି କୁହାଯାଉଛି । 

ଡେଲିମେଲ୍‌ର ରିପୋର୍ଟ ଅନୁସାରେ, ଏଥିଲାଗି କେଭିନ୍‌ କଷ୍ଟନରଙ୍କର ୧୬୦ ଏକରର ରାଞ୍ଚ(ଭିଆଇପି ସୁବିଧା ଥିବା ଫାର୍ମ)କୁ ଭେନ୍ୟୁ ଭାବେ ବଛାଯାଇଛି । ପ୍ରି-ୱେଡିଂ ଉତ୍ସବ ଆସ୍ପେନ୍‌ସ୍ଥିତ ସୁଶୀ ରେସ୍ତୋରାଁ ମାତ୍ସୁହିସାରେ ହେବ । ମାତ୍ସୁହିସାକୁ ଡିସେମ୍ବର ୨୬ ଓ ୨୭ ତାରିଖ ଲାଗି ରିଜର୍ଭ କରାଯାଇଛି । ସେଠାରେ ୧୮୦ଜଣ ଅତିଥି ରହିପାରିବା ଭଳି ସୁବିଧା ଅଛି । 

ସୂତ୍ର ଅନୁସାରେ, ଏହି ହାଇପ୍ରୋଫାଇଲ୍‌ ବିବାହରେ ସାମିଲ ହେବା ଲାଗି ଅତିଥିମାନେ ଖ୍ରୀଷ୍ଟମାସ ଦିନ ପରେ ସେଣ୍ଟ ରେଜିସ୍‌ ସମେତ ଆସ୍ପେନ୍‌ର ପ୍ରମୁଖ ପଞ୍ଚତାରକା ହୋଟେଲ୍‌ରେ ପହଞ୍ଚିବେ । ଅତିଥିଙ୍କ ଲାଗି ସହରର ଆଖପାଖରେ ଥିବା ବଡ଼ ଫାର୍ମହାଉସ୍‌ ବି ବୁକ୍‌ ହୋଇଛି । ବିବାହ କାର୍ଯ୍ୟକ୍ରମରେ ଦମ୍ପତିଙ୍କର ପସନ୍ଦକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ବିବାହ କେକ୍‌ ପ୍ୟାରିସ୍‌ରୁ ଅଣଯାଉଥିବାବେଳେ ହେୟାର ଷ୍ଟାଇଲିଶ୍‌ ନ୍ୟୁୟର୍କରୁ ଆସିବେ । 

ବିଶ୍ୱର ପ୍ରସିଦ୍ଧ ମ୍ୟୁଜିକାଲ ବ୍ୟାଣ୍ଡ ଏଥିରେ ସଙ୍ଗୀତ ପରିବେଷଣ କରିବେ । ସାଜସଜ୍ଜାର ଥିମ୍‌ ରହିଛି ‘ୱିଣ୍ଟର ୱଣ୍ଡରଲ୍ୟାଣ୍ଡ’ । ବିବାହରେ ବେଜୋସ୍‌ ଓ ସାଞ୍ଚେଜ୍‌ଙ୍କ ଘନିଷ୍ଠ ବନ୍ଧୁ ଓ ପରିବାର ସାମିଲ ହେବେ । ପୂର୍ବରୁ ୨୦୨୩ ମସିହା ଅଗଷ୍ଟରେ ଇଟାଲୀରେ ହୋଇଥିବା ସେମାନଙ୍କର ନିର୍ବନ୍ଧ ପାର୍ଟିରେ ବିଲ୍‌ ଗେଟ୍‌ସ, ଲିଓନାର୍ଡୋ ଡିକାପ୍ରିଓ, କ୍ରିସ୍‌ ଜେନର ଅତିଥି ଭାବେ ଯୋଗ ଦେଇଥିଲେ । ତେଣୁ ବିବାହ ଉତ୍ସବରେ ମଧ୍ୟ ସେମାନେ ଅତିଥି ଭାବେ ସାମିଲ ହୋଇପାରନ୍ତି । 

ବେଜୋସ୍‌ ନିଜର ନୂଆ ସୁପରୟଟ୍‌ରେ ସାଞ୍ଚେଜଙ୍କୁ ନିର୍ବନ୍ଧ ଲାଗି ପ୍ରସ୍ତାବ ଦେଇଥିଲେ । ସେ ସାଞ୍ଚେଜଙ୍କୁ ଏକ ହାର୍ଟ ଶେପ୍‌ର ମୁଦି ଦେଇଥିଲେ । ସେହି ମୁଦିରେ ୨୦ କ୍ୟାରେଟ୍‌ର ହୀରା ଲାଗିଛି । ସାଞ୍ଚେଜ ଜଣେ ପ୍ରସିଦ୍ଧ ଟିଭି ସାମ୍ବାଦିକ ହୋଇଥିବାବେଳେ ବ୍ଲାକ୍‌ ଅପ୍‌ସ ଆଭିଏସନ୍‌ର ମଧ୍ୟ ପ୍ରତିଷ୍ଠାତା । ବେଜୋସ୍‌ଙ୍କ ସହିତ ସଂପର୍କରେ ଆସିବା ପୂର୍ବରୁ ତାଙ୍କର ପ୍ରଥମ ସ୍ୱାମୀ ହଲିଉଡ୍‌ ଏଜେଣ୍ଟ ପ୍ୟାଟ୍ରିକ୍‌ ହ୍ୱାଇଟସେଲ୍‌ଙ୍କୁ ୨୦୧୯ରେ ଛାଡ଼ପତ୍ର ଦେଇଥିଲେ ସେ । ସେହି ବିବାହରୁ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି । 

ବେଜୋସ୍‌ ମଧ୍ୟ ସେହିବର୍ଷ ତାଙ୍କର ପତ୍ନୀ ମ୍ୟାକେନ୍‌ଜି ସ୍କଟ୍‌ଙ୍କୁ ଛାଡ଼ପତ୍ର ଦେଇଥିଲେ । ଉଭୟଙ୍କର ବିବାହ ୧୯୯୪ରେ ହୋଇଥିଲା । ବେଜୋସ୍‌ଙ୍କର ୩ଟି ପୁଅ ଓ ଜଣେ ପୋଷ୍ୟ କନ୍ୟା ଅଛନ୍ତି । ସୂଚନାଥାଉକି, ଜେଫ୍‌ ବେଜୋସ୍‌ଙ୍କ ମୋଟ ସମ୍ପତ୍ତି ହେଉଛି ୨୦.୨୬ ଲକ୍ଷ କୋଟି । ସେ ଆମାଜନ୍‌ର ପ୍ରତିଷ୍ଠାତା ଓ ସିଇଓ ହୋଇଥିବାବେଳେ ମିଡିଆ ହାଉସ୍‌ ‘ଦ ୱାଶିଂଟନ୍‌ ପୋଷ୍ଟ’ର ମାଲିକ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.