ଭୁବନେଶ୍ବର ୨।୫: ବିଜେଡି ଛାଡିଲେ ସନ୍ତୋଷ ଖଟୁଆ । ବାଲେଶ୍ବର ଜିଲ୍ଲା ବରିଷ୍ଠ ଉପସଭାପତି ଏବଂ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ନୀଳଗିରି ବିଧାନସଭା ଆସନରୁ ସେ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କୁ ନିରାଶ କରି ନୀଳଗିରିରୁ ଇଂ ସୁକାନ୍ତ କୁମାର ନାୟକଙ୍କୁ ଟିକେଟ୍ ଦେଇଛି । ତେଣୁ ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଛନ୍ତି । ଏହାସହ ଶୁକ୍ରବାର ସନ୍ତୋଷ ଖଟୁଆ ହଜାର ହଜାର ସମର୍ଥକଙ୍କ ସହ ଭୁବନେଶ୍ୱର କାର୍ଯ୍ୟାଳୟରେ ବିଜେପିରେ ମିଶିବେ ବୋଲି ଜଣାପଡିଛି ।
ନୀଳଗିରିରୁ ଆଶାୟୀ ଥିବା ସନ୍ତୋଷ ଖଟୁଆଙ୍କ ନେତୃତ୍ଵରେ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ନୀଳଗିରି ନିର୍ବାଚନ ମଣ୍ଡଳୀର ବିଜେଡ଼ି ଦଳ ପକ୍ଷରୁ ବିଧାନସଭା ପ୍ରାର୍ଥୀ ଟିକେଟ୍ ଘୋଷଣା କରାଯାଇନଥିବା ବେଳେ ବିଜେଡ଼ି ବିଧାୟକ ଆଶାୟୀ ପ୍ରାର୍ଥୀ ସନ୍ତୋଷ ଖଟୁଆ ଆସନ୍ତା ୧୦ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରିବା ନେଇ ସ୍ପଷ୍ଟ ଭାବେ କହିଥିଲେ । ତେବେ ବିଶାଳ କର୍ମୀ ସମାବେଶରେ ନୀଳଗିରି ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି, ଦଳୀୟ ପଦାଧିକାରୀ, ବରିଷ୍ଠ କର୍ମକର୍ତ୍ତା, ପଞ୍ଚାୟତ ତଥା ଏନଏସି ୱାର୍ଡ ସଭାପତି, ସମ୍ପାଦକ, ପର୍ଯ୍ୟବେକ୍ଷକ ସମେତ ସମସ୍ତ ୨୧୯ ବୁଥ୍ର ସଭାପତି, ସମ୍ପାଦକ ତଥା କୋଷାଧ୍ୟକ୍ଷ ମାନେ ଉପସ୍ଥିତ ରହି ସନ୍ତୋଷ ଖଟୁଆଙ୍କୁ ନୀଳଗିରିର ବିଧାୟକ କରାଇବା ନେଇ ରଣନୀତି ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଥିଲା । ଏପରିକି ବୁଥ୍ ସ୍ତରୀୟ ଅଫିସ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ତେବେ ସବୁ ଯୋଜନା ଫସର ଫାଟିଯାଇଥିଲା, ଯେତେବେଳେ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା । ବହୁ ବାଦ ବିବାଦ ଟଣା ଓଟରା ଓ ଶକ୍ତି ପ୍ରଦର୍ଶନ ପରେ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଟିକେଟ ହାତେଇଥିଲେ । ବିଜେଡି ସୁପ୍ରିମୋ ତାଙ୍କ ନାମ ଉପରେ ମୋହର ମାରିଛନ୍ତି । ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ବିଜେପି ଛାଡି ବିଜେଡିରେ ଯୋଗଦେବା ପରେ ଟିକେଟ୍ ଆଶାୟୀ ବିଜେଡି ନେତା ସନ୍ତୋଷ ଖଟୁଆ ଆଶା ଆଶଙ୍କାରେ ଥିଲେ । ଦୁହିଁଙ୍କ ମଧ୍ୟରେ ଗାଁ ଗାଁରେ ସାଂଗଠନିକ ବୈଠକ କରି ଶକ୍ତି ପ୍ରଦର୍ଶନ କରିଆସୁଥିବା ବେଳେ ଟିକେଟ ଘୋଷଣାକୁ ନେଇ ବିଳମ୍ବ ଲାଗିରହିଥିଲା । ଗୁରୁବାର ଶେଷ ପର୍ଯ୍ୟାୟ ଟିକେଟ୍ ଘୋଷଣାରେ ବିଜେଡି ସୁପ୍ରିମୋ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ ଆସ୍ଥା ରଖି ତାଙ୍କ ନାମରେ ମୋହର ମାରିଛନ୍ତି ।
You Can Read :
୬ ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା : ବାରବାଟୀ କଟକରୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରାର୍ଥୀ