ଦରଦାମ୍ ବୃଦ୍ଧିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେଡ଼ି, ଆସନ୍ତା ୬ରେ ଲୋୟର ପିଏମ୍‌ଜିରେ ଗର୍ଜିବ ଦଳ

Published By : Prameya-News7 Bureau | January 03, 2025 IST

ଭୁବନେଶ୍ବର ୩।୧: ଦରଦାମ୍ ବୃଦ୍ଧିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜୁ ଜନତା ଦଳ । ଆସନ୍ତା ୬ ତାରିଖରେ ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରିବ ବିଜେଡି । ଦରଦାମ୍ ବୃଦ୍ଧି ପ୍ରତିବାଦରେ ବିଜେଡ଼ି ଆନ୍ଦୋଳନ କରିବ । ଏ ନେଇ ପ୍ରେସମିଟ୍ କରି ବିଜେଡ଼ିର ବରିଷ୍ଠ ନେତୃତ୍ବ ସୂଚନା ଦେଇଛନ୍ତି ।

ବିଜେଡ଼ି ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଦରଦାମ୍ ସମସ୍ତଙ୍କୁ ଅତିଷ୍ଠ କଲାଣି । ଗାଁ ଗହଳିର ଲୋକଙ୍କୁ ଅଧିକ ବାଧୁଛି । ଗରିବ ଶ୍ରେଣୀ କଥା ଆହୁରି ଶୋଚନୀୟ । ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ମାର୍କେଟ୍‌ରେ ଖସିଥିଲେ ସୁଦ୍ଧା ଦରଦାମ୍ କିନ୍ତୁ କମୁନି । ଏନେଇ ବିଜେଡ଼ି ଆସନ୍ତା ୬ ତାରିଖରେ ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦ କରିବ ବୋଲି ବିଜେଡ଼ି କହିଛି ।

ସେହିଭଳି ବରିଷ୍ଠ ବିଜେଡ଼ି ନେତା ପ୍ରତାପ ଜେନା କହିଛନ୍ତି, ନବୀନ ବାବୁଙ୍କ ସମୟରେ ଏଭଳି ସ୍ଥିତି ଉପୁଜି ନଥିଲା । ଗ୍ୟାସ୍, ପେଟ୍ରୋଲ, ଡିଜେଲ, ଡାଲି, ତେଲ, ଅଣ୍ଡା ଓ ପନିପରିବା ଦର ଅହେତୁକ ଭାବେ ବଢିଛି। ଦରଦାମ୍ ନିୟନ୍ତ୍ରଣ ଦାବିରେ ଆସନ୍ତା ୬ ତାରିଖରେ ସକାଳ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଲୋୟର ପିଏମ୍‌ଜିରେ ବିକ୍ଷୋଭ କରାଯିବ ବୋଲି ପ୍ରତାପ କହିଛନ୍ତି ।

ବରିଷ୍ଠ ବିଜେଡ଼ି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ଯେତେବେଳେ ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ଓଡ଼ିଶାରେ ଆସିଲା ସେତେବେଳେ ଦରଦାମ୍ ହୁ ହୁ ହୋଇ ବଢି ଚାଲିଛି । ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍ ବଢିଛି । ଲୋକେ ହନ୍ତସନ୍ତ ।   ଓଡିଶାବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଆମେ ଲଢେଇ ଜାରି ରଖିବୁ । ଆଳୁ, ପିଆଜ, ରସୁଣ, ଡାଲି ଜାତୀୟ ସମାଗ୍ରୀ ଦର ଆକାଶ ଛୁଆଁ । ଆମର ଦାବି ରହିବ ଦରଦାମ୍ ନିୟନ୍ତ୍ରଣ କରନ୍ତୁ । ନଚେତ୍ ୬ ତାରିଖ ପରେ ଓଡ଼ିଶାର ୩୦ ଜିଲ୍ଲାରେ ଆନ୍ଦୋଳନ ତୀବ୍ର ହେବ । 

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ରୋଷେଇ ଘରେ ମହଙ୍ଗା ମାଡ଼ । ମହିଳାଟିଏ ହନ୍ତସନ୍ତ ହେଉଛି । ଡବଲ୍ ଇଞ୍ଜିନ ସରକାର ଦରଦାମ୍ ନିୟନ୍ତ୍ରଣରେ ବିଫଳ । ଡବଲ୍ ଇଞ୍ଜିନ୍ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିନାହାନ୍ତି । ଯେଉଁଥିଲାଗି ଆମେ ଲୋକ ସେବା ଭବନ ଆଗରେ ବିକ୍ଷୋଭ କରିବୁ ବୋଲି ପ୍ରମିଳା କହିଛନ୍ତି । 

ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ କହିଛନ୍ତି, ୨୦୧୪ରେ ଯେତେବେଳେ ଏନ୍‌ଡ଼ିଏ ସରକାର ଆସିଲା ସେତେବେଳେ ଅଛେ ଦିନ୍ କଥା କହିଥିଲେ । ଆମ ସରକାର ଥିବା ସମୟରେ ବିଜେପି ଆନ୍ଦୋଳନ କରିଥିଲେ ରାଜ୍ୟ ଭାଟ୍ ହ୍ରାସ କରନ୍ତୁ । ଏବେ ତାଙ୍କ ସରକାର ଆସିଛି ସେମାନେ ଏବେ ଭାଟ୍ ହ୍ରାସ କରନ୍ତୁ । ଦରଦାମ୍ ନିୟନ୍ତ୍ରଣ ନହେଲେ ଆନ୍ଦୋଳନ ଜୋରଦାର ହେବ । ଏହା ବିଜେଡ଼ିର ସ୍ଵର ନୁହଁ ଲୋକଙ୍କ ସ୍ଵର ବୋଲି ବ୍ୟୋମକେଶ କହିଛନ୍ତି ।

You Can Read:

ମାଟି ଅତଡ଼ା ଉପକୁ ମାଡ଼ିଗଲା ତୀର୍ଥଯାତ୍ରୀ ବସ୍, ଅଳ୍ପକେ ବର୍ତ୍ତିଲେ ୬୦ ତୀର୍ଥଯାତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.