ବିଜେପି କାର୍ଯ୍ୟାଳୟରେ ଜଗନ୍ନାଥ ପ୍ରଧାନ, ଗିରଫଦାରି ନେଇ ସସପେନ୍ସ ଜାରି

Published By : Prameya-News7 Bureau | July 02, 2025 IST

ଭୁବନେଶ୍ଵର: ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ହେବା ଆଶଙ୍କା କରାଯାଉଛି। ଜଗନ୍ନାଥ ବୁଧବାର ବିଜେପି ରାଜ୍ୟ ମୁଖ୍ୟାଳୟରେ ପହଞ୍ଚି ପାର୍ଟିର ଶୃଙ୍ଖଳା କମିଟି ଆଗରେ ହାଜର ହୋଇ ନିଜର ପକ୍ଷ ରଖୁଛନ୍ତି। ଏହି ସମୟରେ ପାର୍ଟି ମୁଖ୍ୟାଳୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଅଛନ୍ତି। ବିଜେପି କାର୍ଯ୍ୟାଳୟ ବାହାରେ ଜଗନ୍ନାଥଙ୍କ ଶତାଧିକ ସମର୍ଥକ ଉପସ୍ଥିତ ଅଛନ୍ତି। ତେଣୁ କିଛି ବଡ଼ ଘଟଣା ଘଟିବାକୁ ଯାଉଥିବା କୁହାଯାଉଛି। ତାଙ୍କ ଗିରଫଦାରୀ ନେଇ ସସପେନ୍ସ ଲାଗି ରହିଛି। ତେଣୁ ବିଜେପି ରାଜ୍ୟ କାର୍ଯ୍ୟାଳୟ ସହ ଖାରବେଳନଗର ଥାନାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଖାରବେଳନଗର ଥାନା ପୋଲିସ ଛାଉଣିରେ ପରିଣତ ହୋଇଛି। ଜଗନ୍ନାଥଙ୍କ ଗିରଫ ଦାବିରେ ରାଜ୍ୟ ଓଏଏସ ସଂଘ ନିଜ ଆନ୍ଦୋଳନ ଜାରି ରଖିଛନ୍ତି। ତେଣୁ ରାଜ୍ୟରେ ପ୍ରଶାସନିକ କ୍ଷେତ୍ରରେ ଅଚଳାବସ୍ଥା ଲାଗି ରହିଛି।

କିଛି ସମୟ ପୂର୍ବରୁ ଜଗନ୍ନାଥ ପ୍ରଧାନ ଏକ୍ସରେ ପୋଷ୍ଟ କରି ଆଇନକୁ ସବୁ ପ୍ରକାରର ସହଯୋଗ କରିବି ବୋଲି କହିଥିଲେ। ସେ ଲେଖିଥିଲେ ରାଜ୍ୟରେ ଦୁଇ ଦିନ ହେବ ବିଏମସି ଘଟଣାରେ ବିରୋଧୀ ଦଳ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି। ମୁଁ ଆଗରୁ କହିଛି, ଏବେ ବି କହୁଛି ଏହି ଘଟଣା ଦୁଃଖଦାୟକ ଓ ନିନ୍ଦନୀୟ। ଏହାକୁ ମୁଁ କଡ଼ା ଶବ୍ଦରେ ନିନ୍ଦା କରୁଛି।  ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଆମ ସରକାର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି। ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ସେଥିରେ ମୁଁ ସଂପୂର୍ଣ୍ଣ ସହଯୋଗ କରିବି।

ସୂଚନାଯୋଗ୍ୟ, ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ବିଏମସି କାର୍ଯ୍ୟାଳୟ ଭିତରେ ୫ରୁ ୬ ଦୁର୍ବୃତ୍ତ ମାଡ଼ମାରିବା ସହ ଘୋଷାଡ଼ି ଘୋଷାଡ଼ି ନେଉଥିବାର ବିଚଳିତ କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହି ଘଟଣାରେ କମିଶନରେଟ୍ ପୋଲିସ ୫ ଜଣଙ୍କୁ ଗିରଫ କରି ସାରିଛି। ଗତକାଲି ସଂଜୀବ ମିଶ୍ର ଓ ସଚିକାନ୍ତ ସ୍ବାଇଁ ନାମରେ ୨ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ପୁଲିସ ସୋମବାର ଦିନ ତିନିଜଣ ଅଭିଯୁକ୍ତ ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଥିଲା। ସମସ୍ତ ଅଭିଯୁକ୍ତ ବିଜେପିର ହୋଇଥିବା ବେଳେ ଦଳ ସମସ୍ତଙ୍କୁ ପ୍ରାଥମିକ ସଦସ୍ୟରୁ ନିଲମ୍ବନ କରିଛି। ତେବେ ବିରୋଧୀ ଦଳ ବିଜେଡି ଓ ଓଏଏସ ସଂଘ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବି କରିଥିଲେ। ଏହି ଘଟଣା ରାଜ୍ୟ ରାଜନୀତିରେ ଚହଳ ପକାଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.