ତେଲଙ୍ଗାନାରେ କଂଗ୍ରେସ-BRSର ଖେଳ ବିଗାଡ଼ିବ ବିଜେପି, ତ୍ରିକୋଣୀୟ ନିର୍ବାଚନ ନେଇ ଅନୁମାନ

Published By : Prameya-News7 Bureau | November 24, 2023 IST

ନୂଆଦିଲ୍ଲୀ: ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ସବୁ ରାଜନୀତିକ ଦଳ ନିଜ ଶକ୍ତି ଲଗାଇ ଦେଇଛନ୍ତି । ନିର୍ବାଚନରେ ରାଜ୍ୟରେ ଶାସନରେ ଥିବା ଭାରତ ରାଷ୍ଟ୍ର ସମିତି (ଭିଆରଏସ) ଓ କଂଗ୍ରେସ ମଧ୍ୟରେ ସିଧା ମୁକାବିଲା ଥିବା ଜଣାପଡ଼ୁଛି । କିନ୍ତୁ ଏଥର ବିଜେପି ନିଜ ରଣନୀତିରେ ରାଜ୍ୟ ରାଜନୀତିର ସବୁ ସମୀକରଣକୁ ବିଗାଡ଼ିପାରେ । ପ୍ରାୟ ୨୦ରୁ ୨୫ ବିଧାନସଭା ଆସନରେ ବିଜେପିର ପ୍ରଭାବ ରହିଛି । ଅନ୍ୟପଟେ ବିଜେପି ସହ ମିଶି ୮ ଆସନରେ ନିର୍ବାଚନ ଲଢୁଥିବା ପୱନ କଲ୍ୟାଣଙ୍କ ପାର୍ଟି ଜନ ସେନା ମଧ୍ୟ ଭିଆରଏସ ଓ କଂଗ୍ରେସକୁ ରେଜଲ୍ଟରେ ଚକିତ କରାଇପାରେ । ସେ ନିଜକୁ କିଙ୍ଗମେକର ସ୍ଥିତିକୁ ଆଣିପାରେ ।

ତେଲଙ୍ଗାନାର ନିର୍ମଳ, ନିଜାମାବାଦ, କରୀମନଗର, ଆଦିଲାବାଦ ଓ କାମାରେଡ୍ଡୀ ପରି ଜିଲ୍ଲାରେ ଭଲ ପ୍ରଦର୍ଶନ ନେଇ ବିଜେପି ଆଶା ରଖିଛି । ବିଜେପି ଏହି ସବୁ ଆସନରେ ମୋଦୀ ସରକାରଙ୍କ କଲ୍ୟାଣକାରୀ ଯୋଜନା ସହ ବିଜୟ ପାଇଁ ରଣନୀତି କରୁଛି । ନିର୍ବାଚନରେ ବିଜେପି ଅନ୍ୟ ଦଳଗୁଡିକୁ କ୍ଷତି ପହଞ୍ଚାଇବା ନିଶ୍ଚିତ । ଉତ୍ତର ତେଲଙ୍ଗାନାର ଚାରି ଲୋକସଭା ଆସନ ମଧ୍ୟରୁ ତିନିରେ ବିଜେପି ସାଂସଦ ଅଛନ୍ତି । କରୀମନଗରରୁ ବନ୍ଦୀ ସଞ୍ଜୟ, ନିଜାମାବାଦରୁ ଧର୍ମପୁରୀ ଅରବିନ୍ଦ ଓ ଆଦିଲାବାଦରୁ ସୋୟମ ବାପୁ ରାଓ ସାଂସଦ ଅଛନ୍ତି ।

ପଢନ୍ତୁ: ନିର୍ବାଚନ ଜିତିଲେ ମୁସ୍‌ଲିମ ଯୁବକଙ୍କ ପାଇଁ ଆଇଟି ପାର୍କ କରିବୁ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ପ୍ରଦେଶ ଅଧ୍ୟକ୍ଷ ଜି.କିଷନ ରେଡ୍ଡୀଙ୍କୁ ଛାଡ଼ି ଅନ୍ୟ ତିନି ସାଂସଦ ୨୦୨୩ ବିଧାନସଭା ନିର୍ବାଚନରେ ବିଧାୟକ ପ୍ରାର୍ଥୀ ରୂପେ ମୈଦାନରେ ଅଛନ୍ତି । ପାର୍ଟିର ଫାୟରବ୍ରାଣ୍ଡ ହିନ୍ଦୁତ୍ୱ ନେତା ବନ୍ଦୀ ସଞ୍ଜୟ କୁମାରଙ୍କ ମୁକାବିଲା ବିଆରଏସର ମଜଭୁତ ନେତା ଗଙ୍ଗୁଲା କମଲାକରଙ୍କ ହେବ । ତେବେ କାମାରେଡ୍ଡୀରେ ପାର୍ଟିକୁ ଅପ୍ରତ୍ୟାଶିତ ପରିଣାମ ମିଳିବା ନେଇ ଭରସା ରହିଛି । ଏଠାରେ ମୁଖ୍ୟମନ୍ତ୍ରୀ କେସିଆର ପ୍ରଥମ ଥର ନିର୍ବାଚନ ଲଢୁଛନ୍ତି । ବିଜେପି ପ୍ରାର୍ଥୀ ଭେଙ୍କଟରମଣ ରେଡ୍ଡୀଙ୍କୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ ସଦଭାବନା ରହିଛି । କାରଣ ସେ ଭିଆରଏସ ସରକାରଙ୍କ କାମାରେଡ୍ଡୀ ମାଷ୍ଟରପ୍ଲାନ ବିରୋଧରେ କୃଷକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଅନ୍ୟ ପ୍ରମୁଖ ପ୍ରାର୍ଥୀ ଭାବେ ତେଲେଙ୍ଗାନା କଂଗ୍ରେସ ଅଧ୍ୟକ୍ଷ ରେୱନ୍ତ ରେଡ୍ଡୀ ଏଠାରୁ ନିର୍ବାଚନ ଲଢୁଛନ୍ତି । କେସିଆରଙ୍କ ପରି ତାଙ୍କୁ ମଧ୍ୟ ବାହାର ଲୋକ ବୋଲି ଆଲୋଚକ କହୁଛନ୍ତି । ସେହିପରି ହାଇଦ୍ରାବାଦର ମୋଟ ୨୪ ବିଧାନସଭା ଆସନରୁ ୧୩ରେ ତ୍ରିକୋଣୀୟ ମୁକାବିଲା ନେଇ ଅନୁମାନ କରାଯାଉଛି ।

Also Read: ୫୦୦ ଟଙ୍କାରେ ଗ୍ୟାସ୍‌ ସିଲିଣ୍ଡର, ମାଗଣା ବିଜୁଳି: ତେଲେଙ୍ଗାନାରେ କଂଗ୍ରେସର ନିର୍ବାଚନୀ ପ୍ରତିଶ୍ରୁତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.