ଢାକା ୨୬।୧୨: ବାଂଲାଦେଶରେ ଶେଖ ହସିନା ସରକାର ଯିବା ପରେ ମୌଳବାଦୀ ଲଗାତାର ଭାରତ ବିରୋଧରେ ଜହର ଉଦଗାରୁଛନ୍ତି। ଦେଶର ଅର୍ଥ ବ୍ୟବସ୍ଥା ପୂର୍ବରୁ ନଷ୍ଟ ହୋଇସାରିଛି ହେଲେବି ପଡୋଶୀ ଦେଶର ଜିହାଦୀ ମାନସିକତାର ଲୋକଙ୍କ ଉଦ୍ଦେଶ୍ୟ ଭାରତଠୁ ପ୍ରତିଶୋଧ ନେବେ। ତେବେ ଭାରତ ପ୍ରଥମରୁ ନେବର ଫାଷ୍ଟ ନୀତିରେ ଚଳି ଆସୁଛି। ଏହିକାରଣରୁ ମୂଲ୍ୟବୃଦ୍ଧି ବେକାରୀ ଓ ବୁଡୁଥିବା ଅର୍ଥ ବ୍ୟବସ୍ଥା ଯୋଗୁ ତ୍ରସ୍ତ ବାଂଲାଦେଶ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହାୟତାର ହାତ ବଢାଇଛନ୍ତି।
ବାଂଲାଦେଶକୁ ୭୦୦ ଟନ ଚାଉଳ ପଠାଯାଇଛି। ଦେଶରେ ୟୁନୁସ ସରକାର ଆସିବା ପରେ ପ୍ରଥମ ଥର ବାଂଲାଦେଶକୁ ସହାୟତା ପଠାଇଛି ଭାରତ। ଢାକା ଟ୍ରିବ୍ୟୁନ ରିପୋର୍ଟ ଅନୁସାରେ ଏ ନେଇ ବାଂଲାଦେଶ ସରକାରଙ୍କ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ସ୍ଥାନୀୟ ବଜାରରେ ବଢୁଥିବା ଦରକୁ ନିୟନ୍ତ୍ରିତ କରିବା ଲାଗି ଭାରତରୁ ୬୯୦ଟନ ଚାଉଳ ଗୁରୁବାର ସକାଳେ ଚଟଗାଓଁ ବନ୍ଦରକୁ ପହଞ୍ଚିଛି।
ଏହି ବୋଝେଇ ନେଇ ଏମଭି ତାନାଇସ୍ ଡ୍ରିମ ଗୁରୁବାର ସକାଳ ପାଖାପାଖି ସାଢେ ୫ଟା ବେଳେ ବନ୍ଦରରେ ଲଙ୍ଗର ପକାଇଛି। ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ଆସିବା ପରେ ଭାରତରୁ ଏହା ପ୍ରଥମ ଚାଉଳ ଆମଦାନୀ। ନଭେମ୍ବର ୧୧ରେ ଦୁଇ ଦେଶଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣା ଅନୁସାରେ ଏହି ଚାଉଳ ଆମଦାନୀ କରାଯାଇଛି। ପରୀକ୍ଷଣ ପରେ ଏହି ଚାଉଳକୁ ଖୁବ୍ ଶୀଘ୍ର ବଜାରକୁ ଛାଡି ଦିଆଯିବ।
ବାଂଲାଦେଶର ଅର୍ଥ ବ୍ୟବସ୍ଥା ଏବେ ଡୁବିବା ଅବସ୍ଥାକୁ ପହଞ୍ଚି ଯାଇଛି। ଏକ ସମୟ ଥିଲା ଶେଖ ହସିନାଙ୍କ ଶାସନରେ ବାଂଲାଦେଶ ବସ୍ତ୍ର ଉଦ୍ୟୋଗ ପାଇଁ ସାରା ବିଶ୍ୱରେ ନାଁ କରିଥିଲା । ହେଲେ ଏବେ ଦେଶର ପୁରା ବ୍ୟବସ୍ଥା ଚୌପଟ ହୋଇଯାଇଛି। ଆଇଏମଏଫଙ୍କ ଅନୁସାରେ ଜାରି ଆର୍ଥିକ ବର୍ଷରେ ବାଂଲାଦେଶର ଜିଡିପି ସାଢେ ୩ ଗତିରେ ଗୁରୁଣ୍ଡୁଥିବାର ଦେଖାଯିବ। ତେବେ ଆଗାମୀ ଆର୍ଥିକ ବର୍ଷରେ ଏଥିରେ କିଛି ସୁଧାର ଆସିପାରେ। ପରିସ୍ଥିତି ଏବେ ଏପରି ହୋଇଛି ଯେ ବାଂଲାଦେଶକୁ ଆଇଏମଏଫରୁ ୨ ବିଲିୟନ ଡଲାର ଋଣ ନେବାକୁ ପଡିଛି।
ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଅବସ୍ଥା ଏବେ ଅତ୍ୟନ୍ତ ଦୟନିୟ। ହିନ୍ଦୁଙ୍କ ଉପରେ ପୂର୍ବରୁ ଆକ୍ରମଣ ହେଉଥିଲା ଏବେ ପଡୋଶୀ ଦେଶରେ ଖ୍ରୀଷ୍ଟିୟାନଙ୍କୁ ମଧ୍ୟ ଟାର୍ଗେଟ କରାଗଲାଣି। ଶାସନ ବିରୋଧୀ ଆନ୍ଦୋଳନ ବାହାନାରେ ବାଂଲାଦେଶରେ ମନ୍ଦିରମାନଙ୍କ ଉପରେ ଜୋରଦାର ଆକ୍ରମଣ କରାଯାଉଛି। ହିନ୍ଦୁମାନଙ୍କ ଘର ଓ ସମ୍ପତ୍ତି ମଧ୍ୟ ଲୁଟପାଟ ହେଉଛି। ବାଂଲାଦେଶରେ ଇସ୍କନ ପୂଜାରୀଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯାଇଛି। ଏପଟେ ଭାରତରେ ଅବୈଧ ବାଂଲାଦେଶୀଙ୍କ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଦିଲ୍ଲୀରୁ ଆରମ୍ଭ କରି ଅନ୍ୟ ସହରାଞ୍ଚଳରେ ବାଂଲାଦେଶୀଙ୍କ ଧରପଗଡ ଜାରି ରହିଛି।