ଦେଶର ପ୍ରଥମ ଶିଖ୍ ପ୍ରଧାନମନ୍ତ୍ରୀ ଥିଲେ ଡ.ମନମୋହନ ସିଂହ, ଭାରତର ସଂକଟଗ୍ରସ୍ତ ଅର୍ଥନୀତିକୁ ଦେଇଥିଲେ ନୂଆ ଦିଗଦର୍ଶନ

Published By : Prameya-News7 Bureau | December 26, 2024 IST

ନୂଆଦିଲ୍ଲୀ ୨୬।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଭାରତୀୟ ରାଜନୀତିରେ ଏକ ଏପରି ନାମ ଯିଏ କୁଶଳ ନେତୃତ୍ୱ ଓ ଗହନ ଅର୍ଥଶାସ୍ତ୍ର ନିମନ୍ତେ ଜଣାଯାଆନ୍ତି। ୨୬ ସେପ୍ଟେମ୍ବର ୧୯୩୨ରେ ବ୍ରିଟିଶ ଭାରତୀୟ ରାଜ୍ୟ ପଞ୍ଜାବରେ ତାଙ୍କର ଜନ୍ମ। ଦେଶ ବିଭାଜନରେ ତାଙ୍କ ପରିବାର ଭାରତ ଚାଲିଆସିଥିଲେ। ପିଲାଟି ଦିନରୁ ପାଠପଢାରେ ଉତ୍କୃଷ୍ଟ ମନମୋହନ ସିଂହ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ  ସ୍ନାତକ ଓ ସ୍ନାତକୋତ୍ତର ହାସଲ କରିବା ପରେ କେମ୍ବ୍ରିଜ ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ପ୍ରାପ୍ତ କରିଥିଲେ। ତାଙ୍କ ରଚିତ ପୁସ୍ତକ ‘ଇଣ୍ଡିଆଜ୍ ଏକ୍ସପୋର୍ଟ ଟ୍ରେଣ୍ଡସ୍ ଆଣ୍ଡ ପ୍ରୋସପେକ୍ଟସ ଫର ସେଲଫ ସଷ୍ଟେଣ୍ଡ ଗ୍ରୋଥ’କୁ ଭାରତର ବାଣିଜ୍ୟ ନୀତିର ଗହନ ବିଶ୍ଳେଷଣ ମନେ କରାଯାଏ। 

ଅର୍ଥମନ୍ତ୍ରୀ ରୂପେ ଦେଶର ଆର୍ଥିକ ସୁଧାରର ନେଇଥିଲେ ନେତୃତ୍ୱ
୧୯୯୧ ମସିହାରେ ତତ୍କାଳୀନ ପି.ଭି ନରସିଂହ ରାଓ ସରକାରରେ ଅର୍ଥମନ୍ତ୍ରୀ ଥିବା ଡ.ମନମୋହନ ସିଂହ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଗୁରୁତର ସଂକଟରୁ ବାହାରକୁ ବାହାର କରିଥିଲେ। ସେ ଦେଶରେ ଆର୍ଥିକ ଉଦାରିକରଣ ନୀତିଗୁଡିକୁ ଲାଗୁ କରିଥିଲେ। ଫଳରେ ଭାରତକୁ ବିଦେଶୀ ନିବେଶ ଆସିବାର ରାସ୍ତା ଉନ୍ମୁକ୍ତ  ହୋଇଥିଲା ଓ ଦେଶ ବିଶ୍ୱ ବଜାର ସହ ସଂଯୁକ୍ତ ହୋଇଥିଲା। ତାଙ୍କର ନୀତିଗୁଡିକ ଦେଶରୁ ଲାଇସେନ୍ସ ରାଜକୁ ସମାପ୍ତ କରି ବ୍ୟବସାୟ ଓ ଉଦ୍ୟୋଗକୁ ନୂଆ ଦିଗଦର୍ଶନ ଦେଇଥିଲା। ଏଥି ପାଇଁ ତାଙ୍କୁ ଭାରତର ଆର୍ଥିକ ସଂସ୍କାର ଜନକ କୁହାଯାଏ। 

ନେହେରୁଙ୍କ ପରେ ଲଗାତାର ୨ଥର ହୋଇଥିଲେ ପ୍ରଧାନମନ୍ତ୍ରୀ
ଡ.ମନମୋହନ ସିଂହ ୨୦୦୪ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ଓ ୨୦୧୪ ମସିହା ପର୍ଯ୍ୟନ୍ତ ସେ ଲଗାତାର ଏହି ପଦୀବରେ ଥିଲେ।  ଜବାହାରଲାଲ ନେହେରୁଙ୍କ ପରେ ସେ ଏପରି ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ଯିଏ ଲଗାତାର ୨ଟି କାର୍ଯ୍ୟକାଳ ପୁରା କରିଥିଲେ। ତାଙ୍କ ନେତୃତ୍ୱରେ ଭାରତୀୟ ଅର୍ଥ ବ୍ୟବସ୍ଥା ୨୦୦୮ ମସିହା ମାନ୍ଦାବସ୍ଥାରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରିଥିଲା। ତେବେ ତାଙ୍କ କାର୍ଯ୍ୟକାଳରେ କୋଇଲା ଆବଣ୍ଟନ ଓ ୨ଜି ସ୍ପେକ୍ଟ୍ରମ ଭଳି ଦୁଇଟି ଦୁର୍ନୀତି ହୋଇଥିଲା। ଯେଉଁଥି ପାଇଁ ତାଙ୍କ ସରକାରଙ୍କୁ ବିରୋଧୀଙ୍କ ସମାଲୋଚନାର ଶରବ୍ୟ ହେବାକୁ ପଡିଥିଲା। 

ସମ୍ମାନୀତ ଜୀବନ ଓ ଯୋଗଦାନ

ନିଜ ଜୀବନ କାଳରେ ଡ. ମନମୋହନ ସିଂହ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର, ଯୋଜନା ଆୟୋଗ ଉପାଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ଭଳି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାମ କରିଥିଲେ। ୨୦୦୨ ମସିହାରେ ତାଙ୍କୁ ସର୍ବଶ୍ରେଷ୍ଠ ସାଂସଦ ପୁରସ୍କାରରେ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କର କୁଶଳ ନୀତି ଓ ରାଜନୈତିକ ଯୋଗଦାନ ତାଙ୍କୁ ଭାରତୀୟ ରାଜନୀତିରେ ଅଦ୍ୱିତୀୟ ସ୍ଥାନ ଦେଇଥିଲା। ବିବାଦ ସତ୍ତ୍ୱେ ଜଣେ ବିଦ୍ୱାନ ଓ ବିନମ୍ର ରାଜନେତା ରୂପେ ତାଙ୍କୁ ଆଜିବି ମନେ ପକାଯାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.